ମଣ୍ଡସୋର ୨।୧୦: ସାରା ଦେଶରେ ଗୁରୁବାର ଦଶହରା ଧୂମଧାମରେ ପାଳିତ ହେଉଛି। ଏହି ଅବସରରେ ବିଭିନ୍ନ ପୂଜା କମିଟି ରାବଣ ଦହନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରନ୍ତି। ଦୂର୍ଗା ପୂଜାରେ ରାବଣପୋଡି ଓ ଆତଶବାଜୀ ଅନେକ ସ୍ଥାନର ଆକର୍ଷଣ କେନ୍ଦ୍ର ପାଲଟିଥାଏ। ହେଲେ ଏହାର ବିପରିତ ମଧ୍ୟପ୍ରଦେଶ ମଣ୍ଡସୋର ଜିଲ୍ଲାରେ ରାବଣର ପୂଜା ହୋଇଛି। ଏଥିରେ ରାବଣ ବଧ ହେଉଥିଲେ ମଧ୍ୟ ରାବଣ ପୋଡି ହୁଏନି। କୁହାଯାଉଛି ନାମଦେବ ସମାଜ ଲଙ୍କପତି ରାବଣର ପତ୍ନୀ ମନ୍ଦୋଦରୀଙ୍କୁ ନିଜ ଝିଅ ଓ ଭଉଣୀ ମାନନ୍ତି। ଏଣୁ ଏଠାରେ ରାବଣଙ୍କୁ ଜ୍ୱାଇଁ ସମ୍ମାନ ଦିଆଯାଏ।

ରାବଣ ମଣ୍ଡସୋରର ଜ୍ୱାଇଁ ହୋଇଥିବାରୁ ରାବଣ ପୂଜାସ୍ଥଳକୁ ମହିଳାମାନେ ଓଢଣା ଟାଣି ଯାଇଥାନ୍ତି। ରାବଣକୁ ଜ୍ୱାଇଁ ସମ୍ମାନ କରିଥାନ୍ତି। ଦିନବେଳା ରାବଣର ପାଣ୍ଡିତ୍ୟକୁ ପୂଜା କରାଯାଉଥିବା ବେଳେ ସୀତା ହରଣ ଭଳି କୃତ୍ୟ ପାଇଁ ରାତିରେ ବଧ କରିଦିଆଯାଏ। ହେଲେ ଏଠାରେ ରାବଣ ପୋଡି ହୁଏନି। ନାମଦେବ ସମାଜ ସହରର ଖାନପୁରାରେ ଥିବା ରାବଣ ମୂର୍ତ୍ତି ନିକଟରେ ପୂଜାର୍ଚ୍ଚନା କରନ୍ତି। ଶହଶହ ବର୍ଷରୁ ଏଠାରେ ଏହି ପ୍ରଥା ପ୍ରଚଳିତ ରହିଛି।

ସମାଜର ଲୋକେ ରାବଣ ପୂଜନ କରୁଥିବା ବେଳେ ଲୋକେ ସେମାନଙ୍କ ରୋଗ ଓ ଦୁଃଖକଷ୍ଟ ଦୂର କରିବା ପାଇଁ ମାନସିକ ପାଇଁ ଆସନ୍ତି। କୁହାଯାଏ ମଣ୍ଡସୋରର ଅସଲ ନାମ ଦଶପୁର ଥିଲା। ଏଠାରେ ମନ୍ଦୋଦରୀଙ୍କ ବାପଘର ଥିଲା। ଏଠାରେ ରାବଣ ଜ୍ୱାଇଁ ହୋଇଥିଲା। ରାବଣଙ୍କୁ ଏଠାକାର ଲୋକେ ପ୍ରକାଣ୍ଡ ବିଦ୍ୱାନ ଓ ଶିବ ଭକ୍ତ ଭାବେ ପୂଜା କରନ୍ତି। ଏଠାରେ କେବଳ ତାଙ୍କ ଭଲ ଗୁଣର ପୂଜା ହୁଏ। ମହିଳାମାନେ ରାବଣ ପ୍ରତୀମା ଗୋଡରେ ସୂତା ବାନ୍ଧି ସ୍ୱାସ୍ଥ୍ୟ ସମ୍ପର୍କିତ ମାନସିକ ପୂରଣ ପାଇଁ ପ୍ରାର୍ଥନା କରନ୍ତି।

ଏଠାରେ ଦଶହରା ପାଳନ ମଧ୍ୟ ଅନନ୍ୟ। ଦଶହରା ଦିନ ସକାଳେ ରାବଣ ମୂର୍ତ୍ତି ନିକଟରେ କ୍ଷମା ଯାଚନା କରାଯାଏ, କାରଣ ସୀତାହରଣ ଭଳି ଭୁଲ କାମ କରିଥିବାରୁ ତାର ବଧ ହେବ। ସକାଳେ ପୂଜାର୍ଚ୍ଚନା କରାଯାଏ ଓ ମହିଳାମାନେ ଓଢଣା ତଳେ ରହି ଜ୍ୱାଇଁଙ୍କ ପୂଜାର୍ଚ୍ଚନା କରନ୍ତି। ସନ୍ଧ୍ୟାରେ ରାବଣକୁ ସାଂକେତିକ ବଧ କରାଯାଏ। ଏଥିରୁ ମନ୍ଦ ଉପରେ ଭଲର ବିଜୟ ବାର୍ତ୍ତା ଦିଆଯାଏ। ମଣ୍ଡସୋରରେ ରାବଣର ଏକ ବିଶାଳକାୟ ପ୍ରତିମା ମଧ୍ୟ ରହିଛି। ଏଠାରେ ରାବଣକୁ ବର୍ଷତମାମ ପୂଜା କରାଯାଏ।