ଭୁବନେଶ୍ବର ୧୮/୧: ଯୋଗାଣ ମନ୍ତ୍ରୀଙ୍କ ଭୂତ ରାସନ କାର୍ଡ ମନ୍ତବ୍ୟକୁ ନେଇ ଚିହିଁକି ଉଠିଛନ୍ତି ବିରୋଧୀ । କାଉଣ୍ଟର ଆଟାକ କରି ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ରାସନରେ ଭୂତ କାର୍ଡ କହି ଲୋକଙ୍କୁ ଭୂତାଉଛନ୍ତି ସରକାର । ରାସନ କାର୍ଡ ସହ ଆଧାର କାର୍ଡ ସଂଯୋଗ ରହିଛି । ଆଧାରକାର୍ଡ ଭାରତ ସରକାରଙ୍କ ସ୍ବୀକୃତ ପାପ୍ତ । ୬ମାସ ହେଲା ରାଜ୍ୟ ସରକାର E-KYC ଆଳରେ ଗରିବଙ୍କୁ ରାସନ ଦେଉନାହାନ୍ତି । ଆଧାର କାର୍ଡ ମିଛ କି ? ଯଦି ଆଧାର କାର୍ଡ ରାସନ ସହ ସଂଯୋଗ ତେବେ ଭୂତ କାର୍ଡ ଆସିଲା କେଉଁଠୁ । ଯୋଗାଣ ମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ବାହାର ରାଜ୍ୟରେ ଥିବା ଲୋକେ E-KYC କରିନାହାନ୍ତି । ଯଦି ସେମାନେ E-KYC ପାଇଁ ଆସିବେ ୫ ହଜାର ଖର୍ଚ୍ଚ କରିବେ । ସେହି ହିତାଦିକାରୀଙ୍କୁ ଭୂତ କହି ଭୂତାଉଛନ୍ତି ସରକାର ।
କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ଜାଲ୍ ରାସନକାର୍ଡ ଧାରୀଙ୍କ ଉପରେ ଆକ୍ସନ ହେବା ଦରକାର । ଆୟକର ଦାତା କାର୍ଡ ନେବା ଠିକ୍ ନୁହେଁ ।
ଆୟକରଦାତା ନେଉଥିଲେ ରାସନ କାର୍ଡ । ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଥିଲେ ପ୍ରାୟ ୪ ଲକ୍ଷ ଆୟକରଦାତା ରାସନ ନେଉଥିଲେ । ଏ ନେଇ ବିଭାଗ ପାଖରେ ତଥ୍ୟ ପହଞ୍ଚିଛି । ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ପୂର୍ବ ସରକାର ସମୟରେ ଆୟକରଦାତା ମାନେ ରାସନ କାର୍ଡ ପାଇଥିଲେ ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ। ତେବେ କେତେ ଆୟକରଦାତା ରାସନ କାର୍ଡ ପାଇଛନ୍ତି ତାହାକୁ ନେଇ ଅନୁଧ୍ୟାନ ଚାଲିଛି । ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁରା ତଥ୍ୟ ଆସିବା ପରେ ସେମାନଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ