News7 Logo

ବିକ୍ରି ହୋଇପାରେ ରତନ ଟାଟାଙ୍କ ନ୍ଯୁୟର୍କର ‘ପିୟରେ ହୋଟେଲ’, ଜାଣନ୍ତୁ କେତେ ଟଙ୍କାରେ ଡିଲ କରିବ ଟାଟା ଗ୍ରୁପ

NEWS7
pierre hotel

ମୁମ୍ବାଇ ୧୮।୯: ଭାରତୀୟ ଉଦ୍ୟୋଗ ଜଗତର ଦିଗ୍ଗଜ ଟାଟା ଗ୍ରୁପ ତାଙ୍କ ହୋଟେଲ କାରବାରରେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଖବର ଆସୁଛି ଟାଟାର ତାଜ ହୋଟେଲ ଚେନ ଆମେରିକା ନ୍ୟୁୟର୍କରେ ଥିବା ‘ଦି ପିୟରେ ହୋଟେଲ’କୁ ବିକ୍ରି କରିପାରେ। ଏହି ଡିଲ ପାଖାପାଖି ୨ ବିଲିୟନ ଡଲାର ଅର୍ଥାତ ୧୭,୬୨୮ କୋଟି ଟଙ୍କାରେ ହୋଇପାରେ। ହୋଟେଲକୁ କିଣିବା ପାଇଁ କ୍ରେତା ରୂପେ ବୃନେଇ ସୁଲତାନ ହସନଲ ବଲକିୟା ଓ ସାଉଦୀ ଆରବ ବ୍ୟବସାୟୀ ଏସ୍ସମ ଖସୋଗୀଙ୍କ ନାମ ସାମ୍ନାକୁ ଆସୁଛି। ଯଦି ଏହି କାରବାର ଚୂଡ଼ାନ୍ତ ହୁଏ ତେବେ ପାଖାପାଖି ୨୦ ବର୍ଷ ପରେ ତାଜ୍ ଏହି ପ୍ରତିଷ୍ଠିତ ହୋଟେଲର ପ୍ରବନ୍ଧନ ଛାଡିବ।

ଏହା ପରେ ଆମେରିକାରେ ତାଜର କେବଳ ଗୋଟିଏ ହୋଟେଲ ସାନଫ୍ରାନସିସ୍କୋ ସ୍ଥିତ ତାଜ୍ କେମ୍ପଟନ ପ୍ଲେସ୍ ରହିବ। ତେବେ ଏହି ଡିଲ ନେଇ ତାଜ ହୋଟେଲ ଏ ପର୍ଯ୍ୟନ୍ତ କୌଣସି ଅଧିକାରୀକ ଟିପ୍ପଣୀ କରି ନାହିଁ। ହେଲେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ଦି ପିୟରେ ହୋଟେଲ ବୋର୍ଡ ବିକ୍ରି ଲାଗି କଥାବାର୍ତ୍ତାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ଏହି କାରବାର ପକ୍କା ହୋଇଯାଏ ତେବେ ହୋଟେଲର ମ୍ୟାନେଜମେଣ୍ଟ ବଲକିୟାଙ୍କ ଲଗଜରୀ ଚେନ୍ ଡୋର୍ଚେଷ୍ଟର କେଲକ୍ସନକୁ ମିଳିପାରେ। ଏଥି ପାଇଁ ଏସ୍ସମ ଖସୋଗୀ ଫଣ୍ଡିଂ କରିବେ।

ତାଜ ୨୦୦୫ ମସିହାରେ ଦି ପିୟରେ ହୋଟେଲକୁ କିଣିଥିଲା ଓ ଉତ୍ତର ଆମେରିକାରେ ଏହାକୁ ନିଜର ଖାସ ହୋଟେଲରେ ପରିଣତ କରିଥିଲା। ୨୦୦୯ ମସିହାରେ ୧୦୦ ମିଲିୟନ ଡଲାର ବ୍ୟୟରେ ହୋଟେଲର ନବିକରଣ କରାଯାଇଥିଲା। ହୋଟେଲରେ ୧୮୯ଟି କୋଠରୀ ଥିବା ବେଳେ ରେଷ୍ଟୋରେଣ୍ଟ ଓ ଲଗଜରୀ ଆପାର୍ଟମେଣ୍ଟ ରହିଛି। ହୋଟେଲରେ ରହୁଥିବା ଆପାର୍ଟମେଣ୍ଟ ମାଲିକ ମଧ୍ୟ ଏହାର ସେୟାରଧାରୀ ଅଛନ୍ତି।

ଦି ପିୟରେ ହୋଟେଲ ଓ ସାନଫ୍ରାନସିସ୍କୋର ତାଜ କ୍ୟାମ୍ପଟନ ପ୍ଲେସ୍ ଉଭୟ ୟୁନାଇଟେଡ ଓଭରସିଜ୍ ହୋଲ୍ଡିଂରେ ଅଛନ୍ତି, ଯାହା ଟାଟା ଗ୍ରୁପର ହୋଟେଲ କମ୍ପାନୀ ଇଣ୍ଡିଆନ ହୋଟେଲସ୍ କମ୍ପାନୀ ଲିମିଟେଡ( ଆଇଏଚସିଏଲ)ର ୧୦୦% ସହାୟକ କମ୍ପାନୀ ଅଟନ୍ତି। ରିପୋର୍ଟ ଅନୁସାରେ ଆଇଏଚସିଏଲ ୨୦୨୫ ମସିହାରେ ଓଭରସିଜ ହୋଲ୍ଡିଂ ବାବଦେ ୨,୨୩୪ କୋଟି ଟଙ୍କା ନିବେଶ କରିଛି। ଏହି ସମୟରେ କମ୍ପାନୀକୁ ୮୨ କୋଟି ଟଙ୍କା କ୍ଷତି ହୋଇଥିଲା।

ନିକଟରେ ଆଇଏଚସିଏଲ ଚେୟାରମ୍ୟାନ ଏନ.ଚନ୍ଦ୍ରଶେଖରନ କହିଥିଲେ ଯେ ବିଦେଶରେ କମ୍ପାନୀ ବିସ୍ତାରର କୌଣସି ଯୋଜନା ନାହିଁ। ଗତ ଜୁଲାଇରେ ଅନୁଷ୍ଠିତ ହୋଇଥିବା ଏଜିଏମ କାଳରେ ସେ କହିଥିଲେ ଯେ, ଆମେ ସବୁ ବୈଶ୍ୱିକ ବଜାରକୁ ଯିବୁ ନାହିଁ, ହେଲେ କିଛି ବଛାବଛା ସ୍ଥାନରେ ବିସ୍ତାର କରିବୁ। ଆଇଏଚସିଏଲର ଅନ୍ତରାଷ୍ଟ୍ରୀୟ ହୋଟେଲମାନେ ୨୦୨୫ ଆର୍ଥିକ ବର୍ଷରେ  ପାଖାପାଖି ୧,୫୧୨ କୋଟିର ରେଭିନ୍ୟୁ ଓ ୨୦୨ କୋଟି ଟଙ୍କାର ପରିଚାଳନା ଲାଭ ଦେଖାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଦି ପିୟରେ ହୋଟେଲ ବିକ୍ରି ଖବର ରତନ ଟାଟାଙ୍କ ପରଲୋକର ବର୍ଷକ ଭିତରେ ଆସିଛି। ଏଣୁ ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।