ନୂଆଦିଲ୍ଲୀ ୨୯।୧୦: ଘୂର୍ଣ୍ଣିବାତ୍ୟା ମୋନ୍ଥା ଅନେକ ରାଜ୍ୟର ପାଗ ବଦଳେଇ ଦେଇଛି ଓ ଦେଶର ଅନେକ ଅଞ୍ଚଳରେ ଏବେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ବୁଧବାର ଓ ଗୁରୁବାର ଦେଶର ଅନେକ ଅଞ୍ଚଳରେ ଭୀଷଣ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରିଛନ୍ତି। ଆଗାମୀ ଦିନମାନଙ୍କରେ ଘୂର୍ଣ୍ଣିବାତ୍ୟା ମୋନ୍ଥାର ପ୍ରଭାବ ପଶ୍ଚିମବଙ୍ଗ, ସିକ୍କିମ, ଝାଡ଼ଖଣ୍ଡ ଓ ବିହାରର କେତେକ ଅଞ୍ଚଳରେ ପଡିବାର ଆଶଙ୍କା କରାଯାଉଛି। ଫଳରେ ଭୀଷଣ ବର୍ଷା ହୋଇପାରେ।

ଆଇଏମଡିଙ୍କ ଅନୁମାନ ଅନୁସାରେ ଆଗାମୀ ୨୪ ଘଣ୍ଟାରେ ଛତିଶଗଡ଼, ଓଡିଶା, ଗୁଜରାଟ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ଭୀଷଣ ବର୍ଷା ହୋଇପାରେ। ସୌରାଷ୍ଟ୍ର ଓ କଚ୍ଛ ର କିଛି ଅଞ୍ଚଳରେ ମଧ୍ୟ ଭୀଷଣ ବର୍ଷାର ସମ୍ଭାବନା ରହିଛି। ଏହା ଛଡା ଅକ୍ଟୋବର ୩୦ରୁ ନଭେମ୍ବର ୨ ତାରିଖ ମଧ୍ୟରେ ଅଋଣାଚଳ ପ୍ରଦେଶ, ଆସାମ ଓ ମେଘାଳୟରେ ମଧ୍ୟ ବର୍ଷା ଆଶଙ୍କା କରାଯାଉଛି। ୩୦ ଓ ୩୧ ଅକ୍ଟୋବରରେ ପୂର୍ବ ଉତ୍ତର ପ୍ରଦେଶର କିଛି ସ୍ଥାନରେ ବର୍ଷା ପୂର୍ବାନୁମାନ କରାଯାଇଛି। ୩୦ ତାରିଖରେ ପଶ୍ଚିମ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା କରାଯାଉଛି। ଏହି ସବୁ ଅଞ୍ଚଳରେ ଆଗାମୀ ୫-୭ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସେପରି କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଇଏମଡି କହିଛନ୍ତି।

ସେହିପରି ବର୍ଷା ଲାଗି ତାମିଲନାଡୁରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ରାଜଧାନୀ ଚେନ୍ନାଇ ସମେତ ଚେଙ୍ଗଲପଟ୍ଟୁ, କାଞ୍ଚିପୂରମ, ରାନୀପେଟ୍, ତିରିଭଲ୍ଲୁର ତିରୁଭନ୍ନାମଲାଇ ଓ ଭିଲ୍ଲୁ ପୁରମ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେପଟେ ଗୁଜରାଟରେ ମଧ୍ୟ ଭୀଷଣ ବର୍ଷା ଆଶଙ୍କା କରାଯାଉଛି। ଏଥି ପାଇଁ ଅମରେଲୀ, ଭାବନଗର, ଗିର ସୋମନାଥ ଓ ଖେଡା ସମେତ ଅନେକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ବର୍ଷା ଜାରି ରହିଛି।