News7 Logo

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ୧୩ ଯାଏ ରାଜ୍ୟରେ ବର୍ଷାର ଆଲର୍ଟ

NEWS7
rain

ଭୁବନେଶ୍ୱର ୦୮।୦୯ : ଆସନ୍ତା ୧୩ ତାରିଖ ଯାଏ କାଁ ଭାଁ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଦକ୍ଷିଣ  ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

୮ ତାରିଖରେ ମାଲକାନଗିରି, କୋରାପୁଟ,  ରାୟଗଡ଼ା ଓ ଗଜପତିର କିଛି ସ୍ଥାନରେ ଅଧିକ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି।  ୯ରେ ଆଭ୍ୟନ୍ତରୀଣ ଓ ଦକ୍ଷିଣରେ କାଁ ଭାଁ ବର୍ଷା ହେବ ।  ୧୦ ତାରିଖରେ ଦକ୍ଷିଣ ଓଡ଼ିଶାର ହାତଗଣତି କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ। ୧୧ରେ ମୟୂରଭଞ୍ଜ  ଓ କେନ୍ଦୁଝରର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ  ବର୍ଷା ଆଶଙ୍କା ଅଛି। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷା ହେବ। ୧୨ ଓ ୧୩ରେ  ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି ।

ମହାନଦୀର ନରାଜଠାରେ ଜଳସ୍ତର ବିପଦ  ସଙ୍କେତ ପାଖାପାଖି ରହିଛି । ଏଠାରେ ବିପଦ  ସଙ୍କେତ ସ୍ତର ୨୬.୪୧ ମିଟର ହୋଇଥିବା ବେଳେ  ଜଳସ୍ତର ୨୫.୯୯ ମିଟର ଥିଲା । ତେବେ ମୁଣ୍ଡଳୀରେ ସେକେଣ୍ଡକୁ ୬ ଲକ୍ଷ ୨୦ହଜାର କ୍ୟୁସେକ୍‌ ଜଳ ପ୍ରବାହିତ  ହେଉଛି। ଧୀରେ ଧୀରେ ଏହି ଜଳସ୍ତର କମୁଛି। ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୨୬.୬୨ ଫୁଟ ରହିଛି । 

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ  ପୂଜାରୀ କହିଛନ୍ତି, ମହାନଦୀରେ ବନ୍ୟା ସ୍ଥିତି ନାହିଁ  ।  ୧୦ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେଲେ  ବନ୍ୟା ହୁଏ। ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । ବନ୍ୟା ସ୍ଥିତି ସୃଷ୍ଟି ହେଲେ ଏହାର ମୁକାବିଲା  ପାଇଁ ରାଜସ୍ୱ ବିଭାଗ ପ୍ରସ୍ତୁତ ଅଛି। ଜଳସମ୍ପଦ ବିଭାଗ  ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ମୁଣ୍ଡଳୀରେ  ବନ୍ୟା ଜଳ ସର୍ବୋଚ୍ଚ ସ୍ତରରେ ଅଛି। ହୀରାକୁଦରେ  ୪ଟି ଗେଟ୍‌ ଦେଇ ନିଷ୍କାସନ ହେଉଛି। ମୁଣ୍ଡଳୀରେ  ଧୀରେ ଧୀରେ ଜଳସ୍ତର କମିଯିବ । ରବିବାର ରାଜ୍ୟରେ  ଅଧିକ ବର୍ଷା ହୋଇନି। ମହାନଦୀର ଶାଖା ନରାଜ ଓ  କୁଶଭଦ୍ରାରେ ଜଳସ୍ତର ବିପଦ ସଙ୍କେତ ତଳେ ଅଛି।  ସବୁ ଜରୁରି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ  ସହ ଜଳସମ୍ପଦ ବିଭାଗ ପ୍ରସ୍ତୁତ ହୋଇ ରହିଛି।​​​​​​​