ରବିବାରଠୁ ତାତିରେ ଲାଗିବ ବ୍ରେକ୍, କାଳବୈଶାଖୀ ପ୍ରଭାବରେ ୨ ଯାଏଁ ବର୍ଷା

Published By : Prameya-News7 Bureau | April 27, 2025 IST

ଭୁବନେଶ୍ୱର ୨୭।୦୪ :  ତାତିରେ ଲାଗିବ ବ୍ରେକ । ଆଜିଠୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ। ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଝଡ଼ ବର୍ଷା ଆଶଙ୍କା ଅଛି। ୫୦ରୁ ୬୦ କିମି   ବେଗରେ ପବନ ବହିପାରେ। ବର୍ଷା ଯୋଗୁ ତାତିରେ ସାମୟିକ ବିରତି ଲାଗିପାରେ । ପାଣିପାଗ ବିଶେଷଜ୍ଞ  ଏଭଳି ପୂର୍ବାନୁମାନ କରିଛନ୍ତି । 

ରବିବାର ମୟୂରଭଞ୍ଜ, ବାଲେଶ୍ୱର,କେନ୍ଦୁଝର, କୋରାପୁଟ ଓ ଗଞ୍ଜାମରେ କୁଆପଥର ବର୍ଷା ଓ ଘଡ଼ଘଡ଼ି ସହ   ୫୦ରୁ ୬୦କିମି ବେଗରେ ପବନ  ବହିପାରେ । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରିରେ ବର୍ଷା ଓ ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି। ଉପକୂଳ ଓଡ଼ିଶା ସମେତ ରାଜ୍ୟର  ଅନ୍ୟ ଅଞ୍ଚଳରେ ବି କାଳବୈଶାଖୀ ବର୍ଷା ହୋଇପାରେ ବୋଲି ସୋଆ ଜଳବାୟୁ  ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି । 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୮ ତାରିଖ (ସୋମବାର)  ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ କୁଆପଥର ସହିତ  ପ୍ରବଳ ବର୍ଷା ହୋଇପାରେ । ଏହି ୩ ଜିଲ୍ଲାରେ ବର୍ଷା ସହିତ ୫୦ରୁ ୬୦  କିମି ବେଗରେ ପବନ ବହିବାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି   ହୋଇଛି । ସେହିଭଳି ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କେନ୍ଦୁଝର ଓ ଜଗତ୍‌ସିଂହପୁରରେ ଘଡ଼ଘଡି ସହିତ ପ୍ରବଳ ବର୍ଷା ହୋଇପାରେ ।   ୪୦ରୁ ୫୦ କିମି ବେଗରେ ପବନ ବହିବ । ପୁରୀ, ଖୋର୍ଦ୍ଧା, ନୟାଗଡ଼,  ଗଜପତି, ଗଞ୍ଜାମ, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,  ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । 

୨୯ ଓ ୩୦ ତାରିଖରେ ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ୧ ଓ ୨ ତାରିଖରେ ମଧ୍ୟ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ଦୁଇ ଦିନ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୫ ଡିଗ୍ରୀ ଯାଏ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ରବିବାର ଅପରାହ୍ନରେ କଟକ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କନ୍ଧମାଳ,  ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ ଓ ଅନୁଗୁଳରେ କାଳବୈଶାଖୀ ପ୍ରଭାବରେ  ବର୍ଷା ହୋଇଛି । ଝାରସୁଗୁଡ଼ାର ଦିନ ତାପମାତ୍ରା ସବୁଠୁ ଅଧିକ ୪୪.୭ ଡିଗ୍ରୀ   ସେଲସିୟସ୍‌ ଥିଲା । ବୌଦ୍ଧରେ ୪୪.୫, ସମ୍ବଲପୁରରେ ୪୩, ବଲାଙ୍ଗୀର ଓ  ସୋନପୁରରେ ୪୨.୨, ରାଉରରେଲାରେ ୪୨.୧, ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ  ୪୨ ଡିଗ୍ରୀ, ହୀରାକୁଦରେ ୪୧.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.