ରାୟବରେଲୀରେ ପ୍ରାର୍ଥୀପତ୍ର ଦାଖଲ ପରେ ଆସିଲା ରାହୁଲ ଗାନ୍ଧିଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | May 03, 2024 IST

ରାୟବରେଲୀ ୩।୫: କଂଗ୍ରେସ ନେତା ରାହୁଲ ଗାନ୍ଧି ଶୁକ୍ରବାର ଉତ୍ତରପ୍ରଦେଶର ରାୟବରେଲୀ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହା ପରେ ରାହୁଲ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ରାୟବରେଲୀରୁ ପ୍ରାର୍ଥୀପତ୍ର ଦାଖଲ କରିବା ତାଙ୍କ ପାଇଁ ଏ ଭାବୁକ ମୂହୁର୍ତ୍ତ ଥିଲା ବୋଲି ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ମୋ ମା ବଡ଼ ଆଶା ଭରସାରେ ପରିବାରର କର୍ମଭୂମି ସମର୍ପଣ କରିଛନ୍ତି ଓ ଏହାର ସେବା ପାଇଁ ସୁଯୋଗ ଦେଇଛନ୍ତି। ଆମେଥି ଓ ରାୟବରେଲୀ ମୋ ପାଇଁ ପୃଥକ ନୁହେଁ ଉଭୟ ମୋର ପରିବାର। 

ସେ କହିଛନ୍ତି ମୋତେ ଏହା କହିବାକୁ ଖୁସି ଲାଗୁଛି ଯେ ୪୦ ବର୍ଷ ଧରି ଅଞ୍ଚଳର ସେବା କରିଥିବା କିଶୋରୀ ଲାଲ ଆମେଥିରୁ ପାର୍ଟିର ପ୍ରତିନିଧିତ୍ୱ କରିବେ। ଅନ୍ୟାୟ ବିରୋଧରେ ଚାଲିଥିବା ନ୍ୟାୟ ଯୁଦ୍ଧରେ ମୁଁ  ମୋ ଲୋକଙ୍କ ଆଶିର୍ବାଦ ଓ ଭଲପାଇବା ମାଗୁଛି। ମୋର ବିଶ୍ୱାସ ସମ୍ବିଧାନ ଓ ଗଣତନ୍ତ୍ର ବଞ୍ଚାଇବା ପାଇଁ ଏହି ଲଢେଇରେ ଆପଣମାନେ ସମସ୍ତେ ମୋ ସହିତ ଛିଡା ହୋଇଛନ୍ତି। 


ଉଲ୍ଲେଖଯୋଗ୍ୟ ଯେ ଉତ୍ତର ପ୍ରଦେଶର ଏହି ଆସନରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଲଢି ଆସୁଥିଲେ। ତେବେ ନିର୍ବାଚନ ଲଢିବା ପାଇଁ ତାଙ୍କର ଆଉ ଆଗ୍ରହ ନଥିବାରୁ ସେ ରାଜସ୍ଥାନରୁ ରାଜ୍ୟସଭାକୁ ସାଂସଦ ନିର୍ବାଚିତ ହୋଇଛନ୍ତି। ତେବେ ସେ ରାଜ୍ୟସଭା ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ସେ ଆଉ ରାୟବରେଲୀରୁ ନିର୍ବାଚନ ଲଢିପାରିବେନି ବୋଲି ଘୋଷଣା କରିଥିଲେ ଓ ନିଜ ଲୋକସଭା ନିର୍ବାଚନମଣ୍ଡଳିର ଲୋକଙ୍କୁ ଏ ବାବଦେ ସୂଚିତ କରିଥିଲେ। ଏଣୁ ସୋନିଆଙ୍କ ପରେ ରାହୁଲ ଅଥବା ପ୍ରିୟଙ୍କା କଂଗ୍ରେସର ଏହି ପାରମ୍ପରିକ ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆକଳନ କରାଯାଉଥିଲା। 


ଆମେଥି ଓ ରାୟବରେଲୀକୁ ଏମିତିରେ ବିଜେପି ହାତକୁ ଟେକି ଦେଇ ହେବନି ବୋଲି ସୋନିଆ କହିଥିଲେ। ସେହି ଅନୁସାରେ ରାହୁଲ ତାଙ୍କ ମାଙ୍କ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ପ୍ରିୟଙ୍କା ଭଦ୍ରା ଏଥର ନିର୍ବାଚନରେ ମଧ୍ୟ ପ୍ରତ୍ୟକ୍ଷ ରାଜନୀତିରୁ ନିଜକୁ ଦୂରେଇ ରଖଛନ୍ତି ଓ ଦଳ ନିମନ୍ତେ ପ୍ରଚାର କରୁଛନ୍ତି। ରାହୁଲ ଗାନ୍ଧି ଏହା ପୂର୍ବରୁ କେରଳର ୱାଇନାଡରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସେ ଏବେବି ୱାଇନଡ ସାଂସଦ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.