ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଜନୋରରେ ଡବଲ ମର୍ଡର। ଦୁଇ ଭଉଣୀଙ୍କୁ ବିଭତ୍ସ ଭାବେ ହତ୍ୟା କଲା ବଡ଼ ଭଉଣୀ। ରାତିର ଅନ୍ଧକାରରେ ନିରୀହଙ୍କ ହତ୍ୟା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତ ଜଣକ ୧୩ ବର୍ଷର ସାବତ ଭଉଣୀ। ଏକାଠି ଶୋଇଥିବା ବେଳେ ଦୁଇ ଭଉଣୀଙ୍କୁ ଗଳା କାଟି ହତ୍ୟା କରିଥିଲା। ବିଜନୋରର ନୁରପୁର ପୋଲିସ ଷ୍ଟେସନ ଅଞ୍ଚଳର ଗୋହାୱାରରେ ଏହି ଘଟଣା ଘଟିଛି ।
ପୋଲିସ ପଚରାଉଚରା ବେଳେ ବଡ ଭଉଣୀ ନିଜ ଅପରାଧ ସ୍ୱୀକାର କରିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ପୋଲିସ । ବଡ଼ ଭଉଣୀ କହିଛି- ଆମର ବଡ ପରିବାର। ବାପା ଚିନ୍ତିତ ଥିଲେ। ମୋତେ ସମସ୍ତ ଘର କାମ କରିବାକୁ ପଡୁଥିଲା। ଏହି କାରଣରୁ ମୁଁ ଉଭୟ ସାନ ଭଉଣୀଙ୍କୁ ହତ୍ୟା କଲି। ଝିଅର ମା ଦ୍ୱିତୀୟ ବିବାହ କରିଛନ୍ତି। ଅଭିଯୁକ୍ତ ଝିଅଟି ତାଙ୍କର ପ୍ରଥମ ସ୍ୱାମୀର ଝିଅ। ମୃତକ ଦୁଇ ଝିଅ ଦ୍ୱିତୀୟ ସ୍ୱାମୀର ସନ୍ତାନ।
ଗୁରୁବାର ରାତି ପ୍ରାୟ ୧୨ଟା ସମୟରେ ଏହି ଘଟଣା ଘଟିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏସପି ନୀରଜ କୁମାର ଜଡାଉନ୍, ଏସପି ସିଟି ସଞ୍ଜୀବ ବାଜପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। କୋଠରୀରେ ଥିବା ଖଟ ଉପରେ ଉଭୟ ଭଉଣୀଙ୍କ ଶବ ପଡ଼ିଥିଲା। ଉଭୟ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ପୋଲିସ ପରିବାର ସଦସ୍ୟଙ୍କୁ ପଚରାଉଚରା କରିବା ସମୟରେ ସେମାନେ ବଡ଼ ଭଉଣୀ ଉପରେ ସନ୍ଦେହ କରିଥିଲେ। ପଚରାଉଚରା ବେଳେ ସତ ସ୍ୱୀକାର କରିଥିଲା ।