ଉଡନ୍ତା ବିମାନରେ ଲାଗିଲା ନିଆଁ, ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କଲେ ୧୭୫ ଯାତ୍ରୀ

Published By : Prameya-News7 Bureau | May 17, 2024 IST

ନୂଆଦିଲ୍ଲୀ ୧୭।୫: ଦିଲ୍ଲୀ ଏୟାରପୋର୍ଟରେ ଶୁକ୍ରବାର ସେତେବେଳେ ଚାଞ୍ଚଲ୍ୟ ଖେଳି ଯାଇଥିଲା, ଯେତେବେଳେ ବିମାନ ବନ୍ଦର ଏମାର୍ଜେନ୍ସୀ ଘୋଷଣା ହୋଇଥିଲା। ବେଙ୍ଗାଲୁରୁ-ଦିଲ୍ଲୀ ବିମାନର ଏସି ୟୁନିଟ୍‌ରେ ନିଆଁ ଲାଗିଥିବାର ସୂଚନା ମିଳିବାମାତ୍ରେ ଏହି ଏମାର୍ଜେନ୍ସୀ ଜାରି ହୋଇଥିଲା। ବିମାନରେ ନିଆଁ ଲାଗିବା ବେଳେ ସେଥିରେ ୧୭୫ ଜଣ ଯାତ୍ରୀ ଥିଲେ। ଏୟାରପୋର୍ଟରୁ ମିଳୁଥିବା ଅପଡେଟ୍‌ରେ ବିମାନ ସୁରକ୍ଷିତ ଅବତଣ କରିଛି। 

ଅଧିକାରୀଙ୍କ ସୂଚନା ଅନୁସାରେ ଏୟାର ଇଣ୍ଡିଆର ଉଡାଣ ସଂଖ୍ୟା ୮୦୭ ବେଙ୍ଗାଲୁରୁରୁ ଦିଲ୍ଲୀ ଆସୁଥିଲା। ବିମାନ ଉଡାଣ କରୁଥିବା ବେଳେ ଏହାର ଏସି ୟୁନିଟ୍‌ରେ ନିଆଁ ଲାଗିଥିବାର ସୂଚନା ମିଳିଥିଲା। ଏଣୁ ଫ୍ଲାଇଟ୍ ସହିତ ଦିଲ୍ଲୀ ବିମାନ ବନ୍ଦରରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଥିଲା। ଅଧିକାରୀଙ୍କ ଅନୁସାରେ ସନ୍ଧ୍ୟା ୫ଟା ୫୨ ମିନିଟ୍‌ରେ ଫ୍ଲାଇଟ୍‌ରେ ନିଆଁ ଲାଗିଥିବାର ସୂଚନା ମିଳିଥିଲା। ଏହା ପରେ ବିମାନକୁ ସୁରକ୍ଷିତ ଅବତରଣ କରାଇବା ପାଇଁ ବିମାନ ବନ୍ଦରରେ ଏମାର୍ଜେନ୍ସୀ ଘୋଷଣା କରାଯାଇଥିଲା। 

ବିମାନଟି ସନ୍ଧ୍ୟା ୬ଟା ୫୨ ମିନିଟ୍‌ରେ ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା। ବିମାନ ଅବତରଣ କରିବା ପରେ ଯାତ୍ରୀମାନେ ସୁରକ୍ଷିତ ବାହାରକୁ ଆସିଛନ୍ତି। ଉଡନ୍ତା ବିମାନରେ ନିଆଁ ଲାଗିବା  ସୂଚନା ମାତ୍ରେ ଦିଲ୍ଲୀ ବିମାନ ବନ୍ଦରରେ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଥିଲା। କାରଣ ଫ୍ଲାଇଟ୍‌ରେ ୧୭୫ ଜଣ ଯାତ୍ରୀ ଥିଲେ। ଏଣୁ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଥିଲା। ତେବେ ବିମାନ ବନ୍ଦର ଓ ଫ୍ଲାଇଟ୍ କ୍ରୁଙ୍କ ଉପସ୍ଥିତ ବୁଧି ଯୋଗୁ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡ କରାଯାଇ ପାରିଛି। 

ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଆଇଜିଆଇଏ) ଦେଶର ସବୁଠୁ ବ୍ୟସ୍ତତମ ବିମାନ ବନ୍ଦର ମଧ୍ୟରେ ଅନ୍ୟତମ। ଶୁକ୍ରବାର ସନ୍ଧ୍ୟାରେ ଯେତେବେଳେ ବେଙ୍ଗାଲୁରୁରୁ ଆସୁଥିବା ଏୟାରଇଣ୍ଡିଆ ଫ୍ଲାଇଟ୍ ଏସି ୟୁନିଟ୍‌ରେ ନିଆଁ ଲାଗିଥିବା ଖବର ମିଳିଲା ବିମାନ ବନ୍ଦରରେ ହଇଚଇ ସୃଷ୍ଟି ହୋଇଥିଲା। ଏଣୁ ଏମାର୍ଜେନ୍ସୀ ଘୋଷଣା କରାଯିବା ପରେ କୌଣସି ପ୍ରକାରେ ପରିସ୍ଥିତିକୁ ସମ୍ଭଳାଯିବା ସହ ବିମାନକୁ ସୁରକ୍ଷିତ ଅବତରଣ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.