LIVE TV

ଆସୁଛି ବଡ଼ ବର୍ଷା, ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ

NEWS7
rahul-gandhi-launches-white-t-shirt-movement-for-justice-equality

ଭୁବନେଶ୍ୱର ୨୧/୧୧: ମାଲାକ୍କା ନିକଟ ସମୁଦ୍ରରେ ଘୂର୍ଣ୍ଣିବଳୟ ସକ୍ରିୟ । କାଲି ସୁଦ୍ଧା ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ୨୨ରେ ଲଘୁଚାପ, ୨୪କୁ ଅବପାତ । ୨୮ରେ ଗଭୀର ଅବପାତ ନେବା ସମ୍ଭାବନା ରହିଛି । ତା’ପରେ ଆହୁରି ଘନୀଭୂତ ହୋଇପାରେ । ବର୍ତ୍ତମାନ ସୁଦ୍ଧା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏତିକି ପୂର୍ବାନୁମାନ କରିଛି । 

ତେବେ ୨୭ରୁ ଦକ୍ଷିଣ ଏବଂ ଉପକୂଳରେ ବର୍ଷା ଆଶଙ୍କା ଦେଖାଦେଇଛି ।​​​​​​​ ଆଇଏମଡିର ଆକଳନ ଅନୁସାରେ ୨୬ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା ଦେଖାଯାଉନି । ୨୭ ତାରିଖ କିମ୍ବା ତା’ପରେ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ୨୭ ନଭେମ୍ବରରୁ ଡିସେମ୍ବର ୩ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳ, ଆନ୍ଧ୍ର ଉପକୂଳ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ବିସ୍ତାରିତ ବର୍ଷା ସମ୍ଭାବନା ଅଛି ।

ଏଥିରୁ ଅନୁମାନ କରାଯାଉଛି, ଓଡ଼ିଶାରେ ସମ୍ଭାବ୍ୟ ଅବପାତ ବା ବାତ୍ୟାର ପ୍ରଭାବ ନଭେମ୍ବର ଶେଷ ସପ୍ତାହରେ ପଡ଼ିପାରେ । ବର୍ତ୍ତମାନ ରାଜ୍ୟରେ ନା ଶୀତ ପ୍ରକୋପ ରହିବନି । ରାଜ୍ୟରେ ରାତି ତାପମାତ୍ରା ବଢ଼ିଥିବା ବେଳେ ଏବେ ସପ୍ତାହେ ପର୍ଯ୍ୟନ୍ତ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ । ରାଜ୍ୟରେ ଏବେ ରାତି ତାପମାତ୍ରା କ୍ରମଶଃ ବଢ଼ୁଛି । କୋରାପୁଟ, ଅନୁଗୁଳ, ଫୁଲବାଣୀ, ଦାରିଙ୍ଗିବାଡ଼ିକୁ ଛାଡ଼ିଦେଲେ ଆଉ କୌଣସି ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀରୁ କମ୍ ନଥିଲା । ଭୁବନେଶ୍ୱର ତାପମାତ୍ରା ୨୦ ଡିଗ୍ରୀରେ ପହଞ୍ଚିଛି ।

ଏଠାରେ ସ୍ପଷ୍ଟ ଯେ, ବାତ୍ୟା ହେବ କି ନାହିଁ? ଯଦି ହେବ କୁଆଡ଼େ ମୁହାଁଇବ? କେଉଁଠି ମାଡ଼ ହେବ, କିଛି ସ୍ପଷ୍ଟ ଆକଳନ ନାହିଁ । କିନ୍ତୁ ପାରିପାର୍ଶ୍ବିକ ପରିବେଶ ଓ ପାଣିପାଗର କାରକ ବାତ୍ୟା ଦାନା ବାନ୍ଧିବାକୁ ଅନୁକୂଳ ବୋଲି ଅଧିକାଂଶ ବିଶେଷଜ୍ଞ କହିଛନ୍ତି । ମାତ୍ର ସମ୍ଭାବ୍ୟ ଗତିପଥକୁ ନେଇ ଦ୍ୱନ୍ଦ୍ୱ ରହିଛି । ଏବେଠାରୁ ସ୍ପଷ୍ଟ ଆକଳନ କରିବା ସହଜ ହେଉନି । କିନ୍ତୁ, ଆଇଏମଡିର ବିସ୍ତାରିତ ପୂର୍ବାନୁମାନରେ କୁହାଯାଇଛି, ୨୭ରୁ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ଅଛି । ବିସ୍ତାରିତ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଓ ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ।

ବାତ୍ୟା ମାଡ଼ ହେଉ କି ନ ହେଉ, କେବଳ ବର୍ଷା ହେଲେ ବି ଓଡ଼ିଶାରେ ଚାଷୀକୂଳଙ୍କ ପାଇଁ ବିପତ୍ତି ଡାକି ଆଣିବ । ଯଦି ଶୀତରେ ଏଭଳି ବର୍ଷା ହୁଏ, ତେବେ ସବୁଠାରୁ ଅଧିକ ପ୍ରଭାବିତ ହେବ ଧାନ ଚାଷ । ବର୍ତ୍ତମାନ ଅଧିକାଂଶ ଜିଲ୍ଲାରେ ଅମଳ ସମୟ । ପ୍ରାୟତଃ ଧାନ ପାଚିଲାଣି । ଆଉ କିଛି ଅଞ୍ଚଳରେ ଡିସେମ୍ବର ଦ୍ୱିତୀୟ ସପ୍ତାହବେଳକୁ ଧାନ ଅମଳ ହେବ । ଧାନ ଯେତେ ପାଚିଥିବ,ସେଠାରେ ସମ୍ଭାବ୍ୟ ବର୍ଷା କିମ୍ବା ପବନ ସେତେ କ୍ଷତି କରିପାରେ । କେବଳ ଧାନ ନୁହେଁ, ବିରି, ଆଳୁ, ଚିନାବାଦାମ, କୋବି ଓ ଅନ୍ୟାନ୍ୟ ଫସଲକୁ ଉଜାଡ଼ି ଦେଇପାରେ ଏହି ଅଦିନିଆ ବର୍ଷା, ପବନ ।