ରାଏବରେଲିରୁ ରାହୁଲ ଗାନ୍ଧିଙ୍କ ନାମାଙ୍କନ ଦାଖଲ; ସାଥିରେ ଥିଲେ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ବହୁ ନେତା

Published By : Prameya-News7 Bureau | May 03, 2024 IST

ଲକ୍ଷ୍ନୌ: ମା’ ସୋନିଆଙ୍କ ଲୋକସଭା ଆସନରୁ ନାମାଙ୍କନ ଭରିଲେ ରାହୁଲ ଗାନ୍ଧି । କେରଳର ଓ୍ବାଏନାଡ୍ ସିଟ୍ ପରେ ଉତ୍ତରପ୍ରଦେଶର ରାଏବରେଲି ଆସନକୁ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏନେଇ ରାହୁଲ ଗାନ୍ଧି ଆଜି ଓଡ଼ିଶାର ରାୟଗଡ଼ା ଗସ୍ତକୁ ବାତିଲ୍ କରିଛନ୍ତି । ଏକ ବିରାଟ ପଟୁଆରରେ ଯାଇ ରାହୁଲ ଗାନ୍ଧି ରାଏବରେଲି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୋମିନେସନ ଫାଇଲ୍ କରିଛନ୍ତି । ରାହୁଲ ନାମାଙ୍କନ ଦାଖଲ ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହିତ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ରବଟ୍ ଭଦ୍ରା ଆଦି ବହୁ କଂଗ୍ରେସ ବରିଷ୍ଠ ନେତା ସାମିଲ୍ ଥିଲେ । 

୨୦୧୯ ନିର୍ବାଚନ ଭଳି ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି କଂଗ୍ରେସ ହେଭିଓ୍ବେଟ୍ ରାହୁଲ ଗାନ୍ଧି । ପ୍ରଥମେ ସେ କେରଳର ଓ୍ବାଏନାଡ୍ ଆସନରୁ ନିର୍ବାଚନ ଲଢ଼ିଥିବା ବେଳେ ଏବେ ରାଏବରେଲି ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଓ୍ବାଏନାଡ୍ ଆସନରେ ନିର୍ବାଚନ ଶେଷ ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ଏହି ଆସନରୁ ରାହୁଲ ଗାନ୍ଧିଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ପୂର୍ବ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧି ୟୁପିର ଆମେଠି ଆସନରୁ ନିର୍ବାଚନ  ଲଢ଼ିଥିଲେ । ମାତ୍ର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଥିଲେ । ଚଳିତ ଥର ଆମେଠି ବଦଳରେ ଦ୍ବିତୀୟ ଆସନ ରାଏବରେଲିରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.