LIVE TV

ପଦାର୍ଥ ବିଜ୍ଞାନ ପାଇଁ ୩ ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର, କ୍ୱାଣ୍ଟମ ଟନର୍ଲିଂ ଉପରେ କରିଥିଲେ ଗବେଷଣା

NEWS7
physic

ନୂଆଦିଲ୍ଲୀ: ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇଁ ତିନି ଜଣ ଆମେରିକୀୟ ବୈଜ୍ଞାନିକଙ୍କ ନାଁ ଘୋଷଣା କରାଯାଇଛି । ବୈଜ୍ଞାନିକ ଜନ କ୍ଲାର୍କ, ମାଇକେଲ୍ ଡେଭୋରେଟ୍, ଜନ୍.ଏମ୍.ମାର୍ଟିନିସଙ୍କୁ ଚଳିତ ବର୍ଷ ନୋବେଲ ସମ୍ମାନରେ ସମ୍ମାନିତ କରାଯିବ । ମଙ୍ଗଳବାର ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଏହି ଘୋଷଣା କରାଯାଇଛି । ବୈଦ୍ୟୁତିକ ସର୍କିଟରେ ବଡ଼ ପରିମାଣର ମାକ୍ରୋସ୍କୋପିକ୍ କ୍ୱାଣ୍ଟମ୍ ଟନେଲିଂ ଏବଂ ଶକ୍ତି ସ୍ତର ଆବିଷ୍କାର ପାଇଁ ଏହି ପୁରସ୍କାର ମିଳିଛି । କ୍ୱାଣ୍ଟମ୍ ଟନେଲିଂ ହେଉଛି ଏକ ପ୍ରକ୍ରିୟା ଯାହା ଦ୍ଵାରା ଏକ କଣିକା ଏକ ପ୍ରତିବନ୍ଧକକୁ ଅତିକ୍ରମ କରେ, ଯାହା ସାଧାରଣ ପଦାର୍ଥ ବିଜ୍ଞାନ ଅନୁସାରେ ଅସମ୍ଭବ ।​​​​​​​

​​​​​​​ଦୈନନ୍ଦିନ ଜୀବନରେ ଆମେ ଦେଖିଥାଉ ଯେ କାନ୍ଥରେ ବଲ୍ ବାଜିବା ପରେ ଫେରି ଆସିଥାଏ । କିନ୍ତୁ କ୍ୱାଣ୍ଟମ୍ ଦୁନିଆରେ, କ୍ଷୁଦ୍ର କଣିକାଗୁଡ଼ିକ କେତେକ ସମୟରେ କାନ୍ଥ ପାର କରି ଅନ୍ୟ ପାର୍ଶ୍ୱରେ ପହଞ୍ଚିପାରନ୍ତି । ଏହାକୁ କ୍ୱାଣ୍ଟମ୍ ଟନେଲିଂ କୁହାଯାଏ । ବର୍ତ୍ତମାନ ବୈଜ୍ଞାନିକମାନେ ଏହି ଟନର୍ଲିଂକୁ ବୈଦ୍ୟୁତିକ ସର୍କିଟ ପରି ବଡ଼ ସିଷ୍ଟମରେ ଦେଖିଛନ୍ତି, ଯାହା ପୂର୍ବରୁ ଅସମ୍ଭବ ମନେ କରାଯାଉଥିଲା । ଏହା ବ୍ୟତୀତ ସେମାନେ ଉର୍ଜାର ନିଶ୍ଚିତ ସ୍ତରକୁ (କ୍ୱିଣ୍ଟିଫିକେସନ୍ସ) ଦେଖିଛନ୍ତି, ଯାହା ଏହି ଆବିଷ୍କାରକୁ ଆହୁରି ଉଲ୍ଲେଖନୀୟ କରିଛି ।

​​​​​​​ଏହି ଆବିଷ୍କାର ଭବିଷ୍ୟତରେ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ବିକାଶ କରିବାରେ ସହାୟକ ହେବ । କ୍ୱାଣ୍ଟମ ଟେକ୍ନୋଲୋଜି ସେମିକଣ୍ଡକ୍ଟର, କମ୍ପ୍ୟୁଟର ଓ ମାଇକ୍ରୋ ଚିପ୍ସରେ ବ୍ୟବହାର ହୋଇଥାଏ । ଏହା ଡିଜିଟାଲ୍ ଟେକ୍ନୋଲୋଜିର ଆଧାର ଅଟେ । ବିଜେତାମାନଙ୍କୁ ୧୧ ନିୟୁତ ସ୍ୱିଡିସ୍ କ୍ରୋନର (୧୦.୩ କୋଟି) ସ୍ୱର୍ଣ୍ଣ ପଦକ ଏବଂ ଏକ ପ୍ରମାଣପତ୍ର ମିଳିବ । ପୁରସ୍କାରଗୁଡ଼ିକ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମରେ ପ୍ରଦାନ କରାଯିବ ।