ମୁମ୍ୱାଇ: ଆଇଆଇଟି ଦିଲ୍ଲୀ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଂ ୨୦୨୬ରେ ଭାରତରେ ନିଜ ଶୀର୍ଷ ସ୍ଥାନ ବଜାୟ ରଖିଛି । ଚଳିତ ବର୍ଷ ମୋଟ ୨୯୪ ଭାରତୀୟ ଶିକ୍ଷାନୁଷ୍ଠାନ ଏହି ରାଙ୍କିଂରେ ସାମିଲ ହୋଇଛନ୍ତି । ଏଥିରୁ ୭ଟି ସଂସ୍ଥାନ ଶୀର୍ଷ ୧୦୦, ୨୦ଟି ଶୀର୍ଷ ୨୦୦ ଓ ୬୬ଟି ଶୀର୍ଷ ୫୦୦ରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି ।

ଗତ ବର୍ଷ ତୁଳନାରେ ଚଳିତ ଥର ୩୬ ବିଶ୍ୱବିଦ୍ୟାଳୟର ରାଙ୍କିଂରେ ସୁଧାର ହୋଇଛି । ୧୬ ସଂସ୍ଥାନର ସ୍ଥିତି ସ୍ଥିର ରହିଛି ଓ ୧୦୫ଟି ରାଙ୍କିଂରେ ହ୍ରାସ ଘଟିଛି । ଭାରତ ଚଳିତ ବର୍ଷ 'ପେପର୍ସ ପେର ଫ୍ୟାକଲ୍ଟି' ଓ 'ଷ୍ଟାଫ୍ ୱିଦ୍ ପିଏଚ୍‌ଡି' ପରି ମାନଦାଣ୍ଡରେ ସବୁଠୁ ଅଧିକ ଅଙ୍କ ହାସଲ କରିଛି ।

ଭାରତର ୫ ବିଶ୍ୱବିଦ୍ୟାଳୟ ଏସିଆର ଟପ୍ ୧୦ ଓ ୨୮ ବିଶ୍ୱବିଦ୍ୟାଳୟ ଶୀର୍ଷ ୫୦ ମଧ୍ୟରେ ରହିଛନ୍ତି । ସେହିପରି ୪୫ ସଂସ୍ଥାନ ଷ୍ଟାଫ୍ ୱିଦ୍ ପିଏଚ୍‌ଡି ଶ୍ରେଣୀରେ ଏସିଆର ଟପ୍ ୧୦୦ରେ ସାମିଲ ଅଛନ୍ତି । ଚଳିତ ବର୍ଷ ୧୩୭ ନୂଆ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ପାଇଁ କ୍ୟୁଏସ୍ ଏସିଆ ରାଙ୍କିଂରେ ସ୍ଥାନ ପାଇଛନ୍ତି, ଯାହା ଆଜି ଯାଏର ସବୁଠୁ ବଡ଼ ସଂଖ୍ୟା ।

ଶୀର୍ଷ ୧୦୦ରେ ଥିବା ଭାରତର ୭ ବିଶ୍ୱବିଦ୍ୟାଳୟ

ଆଇଆଇଟି ଦିଲ୍ଲୀ-୫୯

ଆଇଆଇଏସସି ବେଙ୍ଗାଲୁରୁ-୬୪

ଆଇଆଇଟି ମାଦ୍ରାସ-୭୦

ଆଇଆଇଟି ବମ୍ୱେ-୭୧

ଆଇଆଇଟି କାନପୁର-୭୭

ଆଇଆଇଟି ଖଡ଼ଗପୁର-୭୭

ଦିଲ୍ଲୀ ବିଶ୍ୱବିଦ୍ୟାଳୟ-୯୫

କ୍ୟୁଏସ୍ କ୍ୱାକ୍ୱେରେଲି ସାଇମଣ୍ଡ୍ସର ସିଇଓ ଜେସିକା ଟର୍ଣ୍ଣର କହିଛନ୍ତି, ଭାରତର ଉଚ୍ଚ ଶିକ୍ଷାରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ ହେବାର ପାଞ୍ଚ ବର୍ଷ ପରେ, ଭାରତ କେବଳ ବୈଶ୍ୱିକ ସ୍ତରରେ ନିଜ ପରିଚୟ କରି ନାହିଁ ବରଂ ସ୍ଥାନୀୟ ସ୍ତରରେ ବି ଶିକ୍ଷାକୁ ମଜଭୁତ କରିଛି । ୧୩୦ରୁ ଅଧିକ ଭାରତୀୟ ବିଶ୍ୱବିଦ୍ୟାଳୟ କ୍ୟୁଏସ୍ ଏସିଆ ରାଙ୍କିଂରେ ସାମିଲ ହେବା ଦର୍ଶାଉଛି ଯେ ଭାରତ ଏବେ ଜ୍ଞାନ ଓ ନବସୃଜନର ବୈଶ୍ୱିକ କେନ୍ଦ୍ର ହେବାରେ ଲାଗିଛି ।