ନୂଆଦିଲ୍ଲୀ: ପଞ୍ଜାବର ଜଣେ ବ୍ୟବସାୟୀ ନବରାତ୍ରି ଓ ଦୁର୍ଗାପୂଜା ଉପଲକ୍ଷେ ଏକ ବଡ଼ ଅଫର ଘୋଷଣା କରିଛନ୍ତି। ସେ ‘ଜୟ ମାତା ଦୀ’ ଲେଖିଲେ ମାଗଣାରେ ଆଇଫୋନ୍ ଦେବା ପାଇଁ ‘ଆଇଫୋନ୍ ଲଙ୍ଗର’ ଆୟୋଜନ କରିଥିବା ଦାବି କରିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

କିଏ ଏହି ବ୍ୟବସାୟୀ?
ପଞ୍ଜାବର ଜଳନ୍ଧରରେ ଥିବା ଏକ ଜଣାଶୁଣା ଆପଲ୍ ରିସେଲର୍ ଓ ଗାଜେଟ୍ ଷ୍ଟୋର୍‌ର ମାଲିକ ଅଙ୍କୁଶ କପୁର ଏହି ଅଫର ବିଷୟରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଷ୍ଟୋର୍‌ ବାହାରେ ଆଇଫୋନ୍ ବାକ୍ସଗୁଡ଼ିକୁ ସଜାଇ ରଖାଯାଇଛି ।

ବ୍ୟବସାୟୀ ଜଣକ ଘୋଷଣା କରିଛନ୍ତି ଯେ, ଯେଉଁ ଗ୍ରାହକମାନେ ଆସି ‘ଜୟ ମାତା ଦୀ’ ଲେଖିବେ କିମ୍ବା ଶ୍ରଦ୍ଧାର ସହ ଜପ କରିବେ, ସେମାନଙ୍କୁ Lucky Draw କିମ୍ବା ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଆଧାରରେ ମାଗଣା ଆଇଫୋନ୍ ପ୍ରଦାନ କରାଯିବ। ସେ ଏହାକୁ ଧାର୍ମିକ ଆସ୍ଥା ଏବଂ ନବରାତ୍ରିର ଶୁଭ ଅବସର ସହ ଯୋଡ଼ି‘ଆଇଫୋନ୍ ଲଙ୍ଗର’ ର ନାମ ଦେଇଛନ୍ତି।

ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବା ପରେ ନେଟିଜେନ୍ସଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ଲୋକ ଏହାକୁ ନବରାତ୍ରି ପର୍ବର ଏକ ନିଆରା ପାଳନ ଏବଂ ଭକ୍ତିର ପ୍ରତୀକ ବୋଲି କହି ପ୍ରଶଂସା କରିଛନ୍ତି। ଅନ୍ୟପଟେ, ବହୁ ସଂଖ୍ୟକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ କେବଳ ନିଜ ଦୋକାନର ପବ୍ଲିସିଟି ଏବଂ ଗ୍ରାହକଙ୍କୁ ଆକୃଷ୍ଟ କରିବାର ଏକ ବ୍ୟବସାୟିକ କୌଶଳ ବୋଲି କହି କଟାକ୍ଷ କରିଛନ୍ତି। ଏହି ଅଫର ଯୋଗୁଁ ସମ୍ପୃକ୍ତ ଦୋକାନ ଆଗରେ ଶ୍ରଦ୍ଧାଳୁ ଏବଂ ଯୁବପିଢ଼ିଙ୍କ ପ୍ରବଳ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି।