LIVE TV

ନିଶାମୁକ୍ତ ଗାଁ ଗଠନ ପାଇଁ ଅଣ୍ଟା ଭିଡ଼ିଲେ ସରକାର, ଅକ୍ଟୋବର ୨ରୁ ଆରମ୍ଭ ହେବ ସଚେତନତା

NEWS7
Drugs Free village

ଭୁବନେଶ୍ୱର ୩୦।୦୯ : ଅଣ୍ଟା ଭିଡ଼ିଲେ ସରକାର । ନିଶାମୁକ୍ତ ଗାଁ ଗଠନ ପାଇଁ ପଦକ୍ଷେପ । ଆମ ସଂକଳ୍ପ ନିଶା ନୁହେଁ ଜୀବନ । ଡ୍ରଗ୍ସ ଫ୍ରି ଭୁବନେଶ୍ୱର ପାଇଁ ଆୟୋଜନ ହେବ ୨ୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ ହେବ । ମଦ୍ୟପାନ କରି ଗାଡ଼ି ଚାଳନା ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ RTO ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ନିଶା ବିପଦକୁ ମୁକାବିଲା କରିବା, ଏକ ସୁସ୍ଥ, ନିରାପଦ ଏବଂ ନିଶାମୁକ୍ତ ସମାଜ ଗଠନ ପାଇଁ ଅବକାରୀ ବିଭାଗ ସ୍ୱତନ୍ତ୍ର ସଚେତନତା ଏବଂ ପ୍ରବର୍ତ୍ତନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ "ଡ୍ରଗ୍ସ ଫ୍ରି ଭୁବନେଶ୍ୱର" ଆୟୋଜନ କରିବ। ଆସନ୍ତା ଅକ୍ଟୋବର ୨ରେ ସଚେତନତା ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗାନ୍ଧୀ ଜୟନ୍ତୀ ଅର୍ଥାତ୍ ଅକ୍ଟୋବର ୨ରୁ ଏକ ମାସ ପାଇଁ ଚାଲିବ କାର୍ଯ୍ୟକ୍ରମ। ପ୍ରଚାର ସମୟରେ ବାର୍ତ୍ତା ପ୍ରସାର ପାଇଁ ପିଆର-ଡବ୍ଲୁ ବିଭାଗ, ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଏବଂ ପଞ୍ଚାୟତ ସମିତିକୁ ସାମିଲ କରାଯିବ। ପ୍ରତ୍ୟେକ ପଞ୍ଚାୟତରେ ୨ ଅକ୍ଟୋବରରେ ଗ୍ରାମସଭାର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ନିଶାମୁକ୍ତ ଗାଁ ଉପରେ ଆଲୋଚନା କରାଯିବ । ନିଶାମୁକ୍ତ ଗ୍ରାମ ଗଠନ ପାଇଁ ପ୍ରୟାସ କରିବାକୁ ପଞ୍ଚାୟତମାନଙ୍କୁ ଉତ୍ସାହିତ କରାଯିବ। ସଫଳ ଗ୍ରାମପଞ୍ଚାୟତ ଗୁଡ଼ିକୁ ସ୍ଥାନିତ କରାଯିବ ଏବଂ ତାପରେ, ଶ୍ରେଷ୍ଠ ତିନି ଗ୍ରାମପଞ୍ଚାୟତକୁ ପୁରସ୍କୃତ କରାଯିବ। SSEPD ବିଭାଗ ବିଭିନ୍ନ NGO ଗୁଡ଼ିକୁ ସାମିଲ କରି ରାଜ୍ୟର ବିଭିନ୍ନ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ

ସେହିପରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବେ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏକ ମାସ ମଧ୍ୟରେ ସ୍ୱାସ୍ଥ୍ୟ ଶିବିର, କର୍ମଶାଳା, ସମ୍ମିଳନୀରେ ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ କରିବ । ବାଣିଜ୍ୟ ଏବଂ ପରିବହନ, ସ୍କୁଲ ଏବଂ ଗଣଶିକ୍ଷା, ମିଶନ ଶକ୍ତି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ,ଏସଏସ ଏବଂ ଇପିଡି, କ୍ରୀଡା ଏବଂ ଯୁବସେବା ବିଭାଗ ସହ ଅବକାରୀ ବିଭାଗ ମିଳିତ ଭାବେ କାର୍ଯ୍ୟକ୍ରମ କରିବେ । ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନଲାଇନ୍ ପ୍ରବନ୍ଧ/ବିତର୍କ ପ୍ରତିଯୋଗିତା ଆୟୋଜନ କରି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ।