ନୂଆଦିଲ୍ଲୀ: ନେପାଳର ସଂସଦରେ ଧସେଇ ପଶିଲେ ବିକ୍ଷୋଭକାରୀ। ନେପାଳର ରାଜଧାନୀ କାଠମାଣ୍ଡୁର ରାସ୍ତାରେ ବିଶାଳ ପ୍ରତିବାଦ ଦେଖିବାକୁ ମିଳୁଛି। ହଜାର ହଜାର ଜେନ-ଜେଡର ଯୁବକ ଯୁବତୀ ରାସ୍ତାକୁ ଓହ୍ଲାଇଛନ୍ତି। ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ବିରୋଧରେ ସ୍ୱର ଉଠାଇଛନ୍ତି। ଆନ୍ଦୋଳନ ତୀବ୍ର ହୋଇଛି ଏହାକୁ ଦୃଷ୍ଟିରେ ରଖି କାଠମାଣ୍ଡୁରେ କର୍ଫ୍ୟୁ ଜାରି କରାଯାଇଛି। ପୋଲିସ ବ୍ଲାଙ୍କ ଫାୟାରିଂ କରିଛି।

କାଠମାଣ୍ଡୁର ବିଭିନ୍ନ ସହରରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସରକାରଙ୍କ ବିରୁଦ୍ଧରେ ଜେନ-ଜେଡର ବିପ୍ଳବ ଆରମ୍ଭ ହୋଇଛି। ଏହି ସମୟରେ ବିକ୍ଷୋଭକାରୀମାନେ ସଂସଦ ଭବନରେ ପ୍ରବେଶ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ୍ ଗୁଳି ଚଳାଇଥିଲା। ଦେଶର ଯୁବ ପିଢ଼ି ସରକାରଙ୍କ ଦ୍ୱାରା ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଠାରୁ ଆରମ୍ଭ କରି ଦୁର୍ନୀତି ପର୍ଯ୍ୟନ୍ତ ସବୁକିଛି ବିରୋଧରେ ପ୍ରତିବାଦ କରୁଛନ୍ତି।

ଏହି ପ୍ରଦର୍ଶନରେ ହଜାର ହଜାର ଯୁବକ ରାସ୍ତାରେ ଶୋଭାଯାତ୍ରା କରି ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଉଥିବା ଦେଖାଯାଉଛି। ପ୍ରଦର୍ଶନ ସମୟରେ ସରକାର ଘଣ୍ଟା ଘଣ୍ଟା ଧରି ଫୋନ ଏବଂ ଇଣ୍ଟରନେଟ୍ ସେବାକୁ ବାଧାପ୍ରାପ୍ତ କରିଥିଲେ। ନେପାଳ ସରକାର ଦ୍ୱାରା ଫେସବୁକ୍, ଟ୍ୱିଟର, ହ୍ୱାଟ୍ସଆପ୍ ଏବଂ ୟୁଟ୍ୟୁବ୍ ଭଳି 26ଟି ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଯୁବକମାନେ ସେପ୍ଟେମ୍ବର ୮ ତାରିଖରୁ ଜେନ୍-ଜେଡ୍ ବିପ୍ଳବ ନାମରେ ପ୍ରତିବାଦ ଆରମ୍ଭ କରିଛନ୍ତି। 

ସେପ୍ଟେମ୍ବର ୪ ତାରିଖରେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ସରକାର ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ହ୍ୱାଟ୍ସଆପ୍, ରେଡିଟ୍ ଏବଂ ଏକ୍ସ ଭଳି 26ଟି ସୋସିଆଲ ମିଡିଆ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ।