LIVE TV

UP ଫାର୍ରୁଖାବାଦରେ ବିମାନ ଦୁର୍ଘଟଣା, ରନୱେରେ ଗଡୁଥିବା ବେଳେ ଝାଡିକୁ ପଶିଗଲା ପ୍ରାଇଭେଟ ଜେଟ୍

NEWS7
Air Crash

ଫାର୍ରୁଖାବାଦ ୯।୧୦:  ଉତ୍ତରପ୍ରଦେଶ (ୟ.ପି) ଫାର୍ରୁଖାବାଦ ଜିଲ୍ଲାରେ ଗୁରୁବାର ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି। ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡାଣ ନିମନ୍ତେ ରନୱେରେ ଗଡୁଥିବା ପ୍ରାଇଭେଟ ଜେଟ୍ ଅନିୟନ୍ତ୍ରିତ ହୋଇଛି। ବିମାନଟି ରନୱେରୁ ଓହ୍ଲାଇ କଡରେ ଥିବା ଝାଡିରେ ପଶି ଯାଇଛି। ଫଳରେ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଓ ୨ ପାଇଲଟ ଅଳ୍ପକେ ବର୍ତି ଯାଇଛନ୍ତି। ବିମାନ ଦୁର୍ଘଟଣା ସୂଚନା ପାଇ ଏସଡିଏମଙ୍କ ସହିତ ଅନ୍ୟ ଉଚ୍ଚସ୍ତରୀୟ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି।

ଫାର୍ରୁଖାବାଦରେ ଯେଉଁ ଘରୋଇ ଜେଟ୍ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ବିୟର ଫ୍ୟାକ୍ଟ୍ରି ଏମଡିଙ୍କର ଥିଲା। କାରଖାନା ପରିଦର୍ଶନ ପାଇଁ ଏମଡି ତାଙ୍କ ପ୍ରାଇଭେଟ ଜେଟ୍ ରେ ଆସିଥିଲେ। ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି। ବିମାନଟି ରନୱରେ ପ୍ରାୟ ୪୦୦ ମିଟର ଯିବା ପରେ ଟେକଅଫ ପୂର୍ବରୁ ଟାୟାରରେ ପ୍ରେସର କମ ଯୋଗୁ ଏହା ଅନିୟନ୍ତ୍ରିତ ହୋଇ ପକ୍କା ସଡକରୁ ଓହ୍ଲାଇ ଯାଇଥିଲା। ଘଟଣାର ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପ୍ରଶାସନ ପହଞ୍ଚିବା ସହିତ ମାମଲାର ଯାଞ୍ଚ ଆରମ୍ଭ କରିଛି।

ଏହି ପ୍ରାଇଭେଟ ଜେଟ୍ ରେ ଏମଡି ଅଜୟ ଆରୋରା ବସିଥିଲେ। ତାଙ୍କ ସହ ଏସବିଆଇ ହେଡ୍ ସୁମିତ ଶର୍ମା, ଡିପିଓ ରାକେଶ ଟିକୁ ଓ ୨ ପାଇଲଟ କ୍ୟାପ୍ଟେନ ନସିବ ଭାମଲ ଓ ପ୍ରତୀକ ଫର୍ଣ୍ଣାଣ୍ଡିଜ ଥିଲେ। ଉଡାଣ କରିବାମାତ୍ରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ କେହି ହତାହତ ହୋଇଥିବାର ସୂଚନା ନାହିଁ। ପ୍ରାରମ୍ଭିକ ଯାଞ୍ଚରୁ ବିମାନର ଖରାପ ଟାୟାରକୁ କାରଣ ବୋଲି କୁହାଯାଉଛି। ତେବେ ପାଗ ଓ ପାଇଲଟଙ୍କ ତ୍ରୁଟିକୁ ମଧ୍ୟ ଧ୍ୟାନ ଦିଆଯାଉଛି। ଏହି ଏୟାରଷ୍ଟ୍ରିପଟି ମୁଖ୍ୟତଃ ଛୋଟ ବିମାନ ଲାଗି ବ୍ୟବହୃତ ହେଉଛି, ଯାହା ଲକ୍ଷ୍ନୌ ଓ କାନପୁରର ବଡ଼ ଏୟାରପୋର୍ଟର ବିକଳ୍ପ ଭାବେ କାମ କରୁଛି।