ଲଣ୍ଡନ: ପ୍ରିନ୍ସ ହ୍ୟାରୀ ଓ ତାଙ୍କ ପତ୍ନୀ ମେଗନ ମାର୍କେଲ ରାଜକୀୟ ଦାୟିତ୍ୱରୁ ନିବୃତ୍ତ ହୋଇ ଆମେରିକା ଚାଲିଯିବାର ୬ ବର୍ଷ ପରେ ଚଳିତ ମାସରେ ବ୍ରିଟେନ ଫେରିବା ପାଇଁ ଯୋଜନା କରୁଛନ୍ତି। ଏକ କଥା ଏକ ରିପୋର୍ଟରୁ ଜଣାପଡିଛି। ପିପଲ ମ୍ୟାଗଜିନ ଓ ‘ଦି ଟେଲିଗ୍ରାଫ’ ଖବର ମୁତାବକ ସସେକ୍ସ ଡ୍ୟୁକ୍ ଓ ଡଚେସ୍ ତାଙ୍କ ୭ବର୍ଷର ପୁଅ ପ୍ରିନ୍ସ ଆର୍ଚି ଓ୫ ବର୍ଷର ଝିଅ ପ୍ରିନ୍ସେସ ଲିଲିବେଟ୍ ଙ୍କ ସହିତ କାଲିଫର୍ଣ୍ଣିୟାରୁ ବ୍ରିଟେନ ଯାଉଛନ୍ତି ଏବଂ ସେମାନେ ସେପ୍ଟେମ୍ବରରେ ସେଠାରେ ସ୍କୁଲ ଯିବା ଆରମ୍ଭ କରିବେ।

ତେବେ ମାମଲାରେ ହ୍ୟାରିଙ୍କ ମୁଖପାତ୍ର ଅଥବା ବକିଂଘମ ପ୍ୟାଲେସ ପକ୍ଷରୁ ଏ ବାବଦେ କୌଣସି ଟିପ୍ପଣୀ କରାଯାଇନି। ତେବେ ଏହି ଦମ୍ପତ୍ତିଙ୍କ ଏକ ନିକଟ ସମ୍ପର୍କୀୟ ସୂତ୍ର ଖବରର ସତ୍ୟତା ପୁଷ୍ଟି କରିଛନ୍ତି। ଦି ଟେଲିଗ୍ରାଫ ଅନୁସାରେ ଏହି ଦମ୍ପତ୍ତି ରାଜକୀୟ ବାସଭବନରେ ରହିବେ ନାହିଁ। ସେମାନେ ନନ ୱାର୍କିଂ ରୟାଲସ୍ (ରାଜକାର୍ଯ୍ୟ କରୁନଥିବା ସଦସ୍ୟ) ଭାବେ ଅବସ୍ଥାନ କରିବେ। ମାର୍ଚ୍ଚ ୨୦୨୦ରେ ରାଜକୀୟ ଦାୟିତ୍ୱ ତ୍ୟାଗକରିବା ସମୟରେ ଦିବଂଗତ ମହାରାଣୀ ଏଲିଜାବେଥଙ୍କ ସହ ଏହା ନିର୍ଦ୍ଧାରିତ ହୋଇଥିଲା। ପ୍ରିନ୍ସ ହ୍ୟାରୀ ୨୦୧୮ ମସିହାରେ ୱିଣ୍ଡସର କ୍ୟାସଲରେ ଅନୁଷ୍ଠିତ ଏକ ଉତ୍ସବରେ ମେଗନ ମାର୍କେଲଙ୍କୁ ବିବାହ କରିଥିଲେ।

ତେବେ ଆସନ୍ତା ସେପ୍ଟେମ୍ବର ମାସରେ ବ୍ରିଟେନ ମହାରାଜଙ୍କ ସହିତ କନିଷ୍ଠ ପୁତ୍ର ହ୍ୟାରିଙ୍କ ପରିବାରର ସମ୍ପର୍କ ସୁଧାର ହେଉଥିବାର ଦେଖା ଯାଉଛି। ପିତା-ପୁତ୍ର ଗତ ୨୦ ମାସରେ ପ୍ରଥମ ଥର ପରସ୍ପରକୁ ଭେଟିଛନ୍ତି। ୨୦୨୪ରେ କିଙ୍ଗ ଚାର୍ଲସଙ୍କୁ ଏକ ଅଜ୍ଞାତ କ୍ୟାନସର ହୋଇଥିବାର ଜଣାପଡିଥିଲା। ଗତବର୍ଷ ଡିସେମ୍ବରରେ ସେ ଟେଲିଭିଜନରେ ଘୋଷଣା କରିଥିଲେ ଯେ ଚିକିତ୍ସା ଦ୍ୱାରା ତାଙ୍କ ଉପରେ ଭଲ ପ୍ରଭାବ ପଡୁଛି ଓ ଡାକ୍ତର ଧିରେ ଧିରେ ଉପଚାର କମ କଲେଣି।

ଗତମାସରେ ହ୍ୟାରୀ, ମେଗନ ଓ ସେମାନଙ୍କ ପିଲାମାନେ ବ୍ରିଟେନ ବୁଲି ଆସିଥିଲେ ଓ ଚାର୍ଲସ ୨୦୨୨ ମସିହା ପରେ ପ୍ରଥମ ଥର ତାଙ୍କ ନାତି ଓ ନାତୁଣୀଙ୍କୁ ଭେଟିଥିଲେ। ଯଦିଓ ହ୍ୟାରି ଓ ରାଜାଙ୍କ ସମ୍ପର୍କରେ ସୁଧାର ଆସିଛି ତେବେ ତାଙ୍କ ବଡ଼ ଭାଇ ପ୍ରିନ୍ସ ୱିଲିୟମଙ୍କ ସହ ତାଙ୍କ ସମ୍ପର୍କ ଯଥାବତ ରହିଛି। ସେମାନଙ୍କ ମଧ୍ୟରେ ପରସ୍ପର କଥାବାର୍ତ୍ତା ମଧ୍ୟ ନାହିଁ। ହ୍ୟାରି ତାଙ୍କ ପିତା କିଙ୍ଗ ଚାର୍ଲସ ଓ ଭାଇ ପ୍ରିନ୍ସ ୱିଲିୟମଙ୍କ ସମ୍ପର୍କରେ କଟୁ ଟିପ୍ପଣୀ କରିଥିଲେ। ଏଣୁ ସେମାନଙ୍କ ପାରିବାରିକ ସମ୍ପର୍କ ଏକ ପ୍ରକାର ଭାଙ୍ଗି ଯାଇଥିଲା।