ପୁରୀ ୨୭।୧: ଆସନ୍ତା ୩ ତାରିଖ ଅର୍ଥାତ୍ ମଙ୍ଗଳବାର ପୁରୀ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମଙ୍ଗଳବାର ବସିବ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶ୍ରୀମନ୍ଦିର ଦର୍ଶନ ନେଇ ଆଲୋଚନା ହେବ । ଅପରାହ୍ନ ୪ଟା ୩୦ରେ ବସିବ ବୈଠକ । ବୈଠକରେ ଜିଲ୍ଲାପାଳ, ଏସ୍‌ପି, ଛତିଶା ନିଯୋଗ ସେବାୟତ ପ୍ରତିନିଧିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ଫେବ୍ରୁଆରୀ ୩ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ପରିବାର ସହ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ‌। ଏନେଇ ରାଷ୍ଟ୍ରପତିଙ୍କ ଗସ୍ତର ସୂଚନା ପୁରୀ ଜିଲ୍ଲା ପ୍ରଶାସନ ନିକଟକୁ ଆସିବା ପରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ରାଷ୍ଟ୍ରପତିଙ୍କୁ କିଭଳି ସ୍ବାଗତ କରାଯିବ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ସମୀକ୍ଷା କରିଛନ୍ତି ।

ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସୂଚନା ଅନୁସାରେ ଆସନ୍ତା ଫେବ୍ରୁଆରୀ ୩ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ବେତଗଙ୍ଗାକୁ ଯିବେ ।‌ ସେଠାରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ଥିବାବେଳେ ସେଠାରେ ଏନେଇ ସମସ୍ତ ପ୍ରସ୍ତୁତି ସଠିକ୍ ଭାବେ ହୋଇପାରିବ ସେନେଇ ଶ୍ବେତଗଙ୍ଗା ପୁଷ୍କରିଣୀକୁ ଯାଇ ଅନୁଧ୍ୟାନ କରିଥିଲେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସ୍‌ପି । ଶ୍ବେତଗଙ୍ଗା ପୁଷ୍କରିଣୀରେ ସ୍ବଚ୍ଛତା, ପୁଷ୍କରିଣୀର ଚତୁଃପାର୍ଶ୍ଵରେ ରଙ୍ଗ କାର୍ଯ୍ୟ, ରାସ୍ତାଘାଟର ମରାମତି କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ନିଷ୍ପତ୍ତି ହୋଇଛି ।‌

ଶ୍ବେତଗଙ୍ଗାରେ ରାଷ୍ଟ୍ରପତି ପିଣ୍ଡଦାନ କାର୍ଯ୍ୟ ସାରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ତେବେ ସିଂହଦ୍ଵାର ନିକଟରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିବେ ମହାମହିମ । ରାଷ୍ଟ୍ରପତିଙ୍କୁ ଉପହାର ସ୍ବରୂପ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ, ମହାପ୍ରସାଦ ଉପହାର ସ୍ବରୂପ ପ୍ରଦାନ କରାଯିବ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିବା ପରେ ପ୍ରଥମେ ୨୦୨୨ ମସିହା ଡିସେମ୍ବର ୧୦ ରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପରେ ଗତ ୨୦୨୪ ମସିହା ରଥଯାତ୍ରାରେ ରାଷ୍ଟ୍ରପତି ଅତିଥି ଭାବେ ପୁରୀ ଆସିଥିବା ବେଳେ ୨୦୨୪ ଡିସେମ୍ବର ୪ ତାରିଖରେ ପୁରୀରେ ଅନୁଷ୍ଠିତ ହୋଇଥିବା ନୌସେନା ଦିବସରେ ଅତିଥି ଭାବେ ଯୋଗ ଦେଇଥିଲେ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁ ତିନିଥର‌ ପୁରୀ ଆସିଥିବା ବେଳେ ଆସନ୍ତା ଫେବ୍ରୁଆରୀ ୩ ତାରିଖରେ ଚତୁର୍ଥ ଥର ପାଇଁ ପୁରୀ ଆସିବାର କାର୍ଯ୍ୟକ୍ରମ ରହିଛି । ​​​​​​​