LIVE TV

ପ୍ରଶାନ୍ତ କିଶୋର ବୁଝାଇ ଦେଲେ ବିହାର ବିଧାନସଭା ନିର୍ବାଚନର ପୁରା ଗଣିତ, କହିଲେ-ଗଢିବେ ସରକାର

NEWS7
Jan Suraj

ପାଟନା ୬।୧୦:  ବିହାର ଜନସୁରାଜ ପାର୍ଟି (ଜସୁପା) ସୂତ୍ରଧର ପ୍ରଶାନ୍ତ କିଶୋର ନିର୍ବାଚନରେ ତାଙ୍କ ପାର୍ଟିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି। ସୋମବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏନଡିଏ ଓ ମହାମେଣ୍ଟକୁ ମିସାଇ ୭୨% ଭୋଟ ପଡିଥିଲା। ଯେଉଁ ୨୮% ଭୋଟର ଭୋଟ ଦେଇ ନଥିଲେ ସେମାନେ ଏଥର ଜସୁପାକୁ ଭୋଟ ଦେବେ। ବିଭିନ୍ନ ସର୍ଭେରୁ ମଧ୍ୟ ଏହା ଜଣାପଡୁଛି ଯେ ଜସୁପା ଯୋଗୁ ଦୁଇ ପ୍ରମୁଖ ମେଣ୍ଟଙ୍କ କିଛିକିଛି ଭୋଟ କ୍ଷତି ହେଉଛି। ଯଦି ଏଥିରେ ଦୁଇ ମେଣ୍ଟଙ୍କ ୧୦% ଲେଖାଏଁ ଭୋଟ କ୍ଷତି ହୁଏ ତେବେ ଜସୁପାର ଭୋଟ ପ୍ରତିଶତ ୪୮% ହେବ। ଯାହା ରାଜ୍ୟରେ ସରକାର ଗଢିବା ପାଇଁ ଯଥେଷ୍ଟ ବୋଲି ପି.କେ କହିଛନ୍ତି।

ପି.କେ କହିଛନ୍ତି ଯେ ରାଜ୍ୟରେ ଆମ ଦଳକୁ ଭୋଟ କଟା ଦଳ ବୋଲି ଲୋକେ କହୁଛନ୍ତି। ତେବେ ଆମେ ଏହାକୁ ଆମ ଲାଗି ମଡେଲ ବୋଲି କହୁଛୁ। ଆମେ ଦୁଇ ମେଣ୍ଟର ଏତେ ଭୋଟ କାଟିବୁ ଯେ ସେମାନେ ରାଜ୍ୟରୁ ନିଶ୍ଚିହ୍ନ ହୋଇଯିବେ। ନିର୍ବାଚନ କମିଶନ ଦୁଇ ପର୍ଯ୍ୟାୟରେ ରାଜ୍ୟରେ ନିର୍ବାଚନ କରାଇବେ ବୋଲି ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ କିଶୋର ଏହାକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ନରେନ୍ଦ୍ର ମୋଦି ଯେପରି ଅଧିକରୁ ଅଧିକ ଜନସଭା କରିପାରିବେ ସେଥି ପାଇଁ ପୂର୍ବରୁ ଅନେକ ପର୍ଯ୍ୟାୟ ନିର୍ବାଚନ ହେଉଥିଲା। ଏବେ ବିଜେପି ଜାଣିସାରିଲାଣି ଯେ ମୋଦିଙ୍କ ସଭାରୁ କିଛି ମିଳିବାର ନାହିଁ। ଏଣୁ ନିର୍ବାଚନ ଯେତେ ଶୀଘ୍ର ସରିବ ସେତେ ଭଲ।  

ସେ କହିଛନ୍ତି ଆଜି ବିହାରରେ ନିର୍ବାଚନ ଘୋଷଣା ହୋଇନି ଯେ ରାଜ୍ୟରୁ ପ୍ରବାସୀ ଶ୍ରମିକ ସମାପନର ଘୋଷଣା ହୋଇଛି। ବିହାରର ଲୋକେ ଏଥର ମୋଦି, ନିତିଶ କି ଲାଲୁଙ୍କୁ ନୁହେଁ ବରଂ ନିଜ ପିଲାଙ୍କ ଭଲ ଭବିଷ୍ୟତ ପାଇଁ ଭୋଟ ଦେବେ। ସେ କହିଛନ୍ତି ଯେ ଆମେ ରାଜ୍ୟକୁ ଏହି ବ୍ୟବସ୍ଥା ଦେବାକୁ ଆସିଛୁ ଯେ ରାଜ୍ୟକୁ ବିହାର ଓ ମହାରାଷ୍ଟ୍ରରୁ ପିଲା ପାଠପଢିବାକୁ ଆଉ କାମ କରିବାକୁ ଆସିବେ। ଆମ ରାଜ୍ୟର ଯୁବକ ଅନ୍ୟ ରାଜ୍ୟକୁ ଆଉ କାମ କରିବାକୁ ଯିବେନି।