ବ୍ରହ୍ମପୁର: ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପୋଲିସର ବଡ଼ ଆକ୍ସନ। ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ବିଶ୍ବଜିତ ଜେନାଙ୍କୁ ଗିରଫ କଲା ଗୋଳନ୍ଥରା ଥାନା ପୋଲିସ। ଏନେଇ ବ୍ରହ୍ମପୁର ଏସପି ଡ଼ ଶରବଣା ବିବେକ ଏମ୍ ସୂଚନା ଦେଇଛନ୍ତି।

ସୂଚନାଥାଉକି, ରବିବାର ବ୍ରହ୍ମପୁର ନିକଟ ଗୋଳନ୍ଥରା ନିକଟରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର ମହିଳା ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଛାତ୍ରୀଜଣକ ବୁଗୁଡ଼ା ଅଞ୍ଚଳର। ତେବେ ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଥିବା ବେଳେ, ଛାତ୍ରୀଙ୍କ ପରିବାର ସଦସ୍ୟ ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ ବିଶ୍ବଜିତ।

ଛାତ୍ରୀଙ୍କ ପରିବାର ସଦସ୍ୟ ଅଭିଯୋଗ, ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା। ବିଶ୍ବଜିତ୍ ଜେନା ହିଁ ମୁଖ୍ୟ ଅଭିଯୁକ୍ତ । ପ୍ରେମ ଓ ପ୍ରତାରଣା ପାଇଁ ହିଁ ସ୍ମୃତି ମାନସିକ ଭାରସାମ୍ୟ ହରାଇଛନ୍ତି। କେବଳ ପରିବାର ନୁହନ୍ତି, ଛାତ୍ରୀଙ୍କ ଗାଁ ବୁଗୁଡ଼ା ବ୍ଲକ ବାଲିପଦରର ଜନତା ମଧ୍ୟ ଅନୁରୂପ ଭାବେ ଅଭିଯୋଗ କରି ବିଶ୍ବଜିତଙ୍କୁ ଗିରଫ କରାନଗଲେ ସୋମବାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଗିରଫ କରାଯିବ ବୋଲି ଧମକ ଦେଇଛନ୍ତି।

ତେବେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିବା ସହ ପୁରୁଷବନ୍ଧୁ ବିଶ୍ବଜିତ ଜେନାଙ୍କୁ ଗିରଫ କରିଛି। ବିଶ୍ବଜିତଙ୍କ ନାଁରେ ଗୋଳନ୍ଥରା ଥାନାରେ ବିଏନଏସ୍ ଦଫାରେ ଆତ୍ମହତ୍ୟା ପ୍ରରୋଚନା ମାମଲା ରୁଜୁ ହୋଇଛି। ମୃତକଙ୍କ ଲାପଟପ ଓ ମୋବାଇଲ ଜବତ କରାଯାଇଥିବାବେଳେ, କଲ ଡିଟେଲସ୍ ରିପୋର୍ଟ ମଧ୍ୟ ମଗାଯାଇଛି।