News7 Logo

ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସହ କଥା ହେଲେ ପିଏମ୍ ମୋଦୀ, ୟୁକ୍ରେନ ଯୁଦ୍ଧ ଶେଷ କରିବା ଉପରେ ୨ ରାଷ୍ଟ୍ରାଧ୍ୟକ୍ଷ କଲେ ଚର୍ଚ୍ଚା

NEWS7

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ଦୁଇ ନେତା ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗରେ ପ୍ରଗତିର ସମୀକ୍ଷା କରିଛନ୍ତି । ଏହାସହ ୟୁକ୍ରେନରେ ଜାରି ସଂଘର୍ଷକୁ ଶେଷ କରିବା ପ୍ରୟାସ ଉପରେ ଚର୍ଚ୍ଚା କରିଛନ୍ତି । ଏହି ଆଲୋଚନା ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଏକ ସାର୍ଥକ ଆଲୋଚନା ହୋଇଛି । ଆମେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ପ୍ରଗତିର ସମୀକ୍ଷା ଓ ସକାରାତ୍ମକ ମୂଲ୍ୟାଙ୍କନ କରିଛୁ । ଆମେ ୟୁକ୍ରେନରେ ସଂଘର୍ଷରୁ ଶୀଘ୍ର ଶେଷ କରିବା ପ୍ରୟାସ ସହ ଅନ୍ତର୍ଜାତୀୟ ଓ ଦ୍ୱିପାକ୍ଷିକ ପ୍ରସଙ୍ଗରେ ବିଚାରର ଆଦାନ-ପ୍ରଦାନ କରିଛୁ । ଭାରତ-ଫ୍ରାନ୍ସ ରଣନୈତିକ ସହଭାଗୀତା ବିଶ୍ୱ ଶାନ୍ତି ଓ ସ୍ଥିରତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

ଦୁଇ ରାଷ୍ଟ୍ରଧ୍ୟାକ୍ଷଙ୍କ ମଧ୍ୟରେ ଏହି କଥାବର୍ତ୍ତା, ୟୁରୋପୀୟନ କମିଶନର ଅଧ୍ୟକ୍ଷା ଉର୍ସୁଲା ୱାନ୍ ଡେର ଲେୟେନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନାର ଦୁଇ ଦିନ ପରେ ହୋଇଛି । ଉର୍ସୁଲା କହିଥିଲେ, ୟୁକ୍ରେନ ଓ ରୁଷ ମଧ୍ୟରେ ତିନି ବର୍ଷରୁ ଅଧିକ ସମୟ ଧରି ଜାରି ଯୁଦ୍ଧକୁ ଶେଷ କରିବାରେ ଓ ଶାନ୍ତି ସ୍ଥାପନ ପାଇଁ ଚାପ ପକାଇବାରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଗତ ମାସରେ ଚୀନର ତିଆନଦିନରେ ଆୟୋଜିତ ସଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ତେବେ ଚୀନ ଗସ୍ତ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଫୋନ କରି ପିଏମ୍ ମୋଦୀଙ୍କୁ ଯୁଦ୍ଧ ସ୍ଥିତି ଉପରେ ଅବଗତ କରାଇଥିଲେ ।