ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଶା ମୁକ୍ତ ଯୁବ(ଯୁବପିଢି) – ବିକଶିତ ଭାରତ ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିଛନ୍ତି । ନିଶା ବିରୋଧରେ ୧୦୦ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାରାଦେଶରୁ ୧୦ ହଜାରରୁ ଅଧିକ ସ୍ଥାନରୁ ଯୁବକମାନେ ଯୋଡ଼ି ହୋଇଥିଲେ । ମାଇ ଭାରତ ଭଲଣ୍ଟିୟର୍ସ, ୟୁଥ୍ କ୍ଲବ୍, ସ୍କୁଲ୍, କଲେଜ, ବିଶ୍ୱବିଦ୍ୟାଳୟ, ଅଣ-ସରକାରୀ ସଂଗଠନ, ଶିଳ୍ପ ସଂଗଠନ ଏବଂ ୧୨୫ରୁ ଅଧିକ ଆଧ୍ୟାତ୍ମିକ ସଂଗଠନର ପ୍ରତିନିଧି ମଧ୍ୟ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ଭାବେ ଯୋଡ଼ି ହୋଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି କୌଣସି ଯୁବକ ଭୁଲବଶତଃ ନିଶାରେ ଫସି ମଧ୍ୟ ଯାଇଛନ୍ତି, ତେବେ ଏହାର ମାନେ ନୁହେଁ ଯେ ତାଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଯାଇଛି । ଆମକୁ ସବୁବେଳେ ଏହି କଥାର ଧ୍ୟାନ ରଖିବାକୁ ହେବ, ଘରର କୌଣସି ପିଲା ଯଦି ନିଶାର ଶିକାର ହୋଇଯାଇଛି, ତେବେ ଏହାକୁ ସାମାଜିକ ସମ୍ମାନ ଆଢୁଆଳରେ ଲୁଚାନ୍ତୁ ନାହିଁ । ଆବଶ୍ୟକୀୟ ସହଯୋଗ ନିଅନ୍ତୁ । ମେଡିକାଲ୍ ସାହାଯ୍ୟରେ ନିଜ ପିଲାକୁ ନିଶାରୁ ମୁକ୍ତ କରିବାକୁ ପ୍ରୟାସ କରନ୍ତୁ । ଆମକୁ ପରିବାରରେ ପିଲାମାନଙ୍କ ସହ ଖୋଲାଖୋଲି କଥାବାର୍ତ୍ତା କରିବାର ସଂସ୍କୃତି ମଧ୍ୟ ତିଆରି କରିବାକୁ ପଡ଼ିବ, ଯାହାଦ୍ୱାରା ଏପରି ଜାଲରେ ଫସିବା ପୂର୍ବରୁ ହିଁ ଆପଣ ତାଙ୍କ ହାତ ଧରିପାରିବେ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, କିଛି କାମ ଏପରି ଥାଏ, ଯାହା ବ୍ୟକ୍ତିଗତ ଭାବେ କେହି ପ୍ରୟାସ କଲେ କେବେ କେବେ ନିରାଶ ହୋଇଯାଏ, ଲମ୍ବା ବାଟ ଚାଲିବାରେ ମନ ରାଜି ହୁଏନି । କିନ୍ତୁ ଯେତେବେଳେ ସାମୂହିକ ଅଭିଯାନ ହୋଇଯାଏ ଏବଂ କାନ୍ଧରେ କାନ୍ଧ ମିଶାଇ କୋଟି କୋଟି ଲୋକ ଚାଲିବାକୁ ଲାଗନ୍ତି, ସେତେବେଳେ ଏକ ଉର୍ଜା ମିଳିଯାଏ । ଆଜି ସେହି ଶକ୍ତିକୁ ନେଇ ଏହି ଅଭିଯାନ ପ୍ରତ୍ୟେକ ଯୁବ ମନକୁ ଛୁଇଁବାକୁ ଯାଉଛି ।

ପିଏମ୍ କହିଛନ୍ତି, ଆଜି ଆମେ ସମସ୍ତେ ଯେଉଁ ଅଭିଯାନର ସାକ୍ଷୀ ହେଉଛୁ, ସେହି ଅଭିଯାନ ବ୍ୟକ୍ତି ପାଇଁ, ପରିବାର ପାଇଁ, ସମାଜ ପାଇଁ ମଧ୍ୟ ଏବଂ ସବୁଠାରୁ ବଡ଼ କଥା ହେଉଛି ଏହା ରାଷ୍ଟ୍ର ପାଇଁ । 'ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବ', ଏହି ମୁଭମେଣ୍ଟର ନାମ ହିଁ ଏହାର ସଂକଳ୍ପକୁ ସ୍ପଷ୍ଟ କରୁଛି ।

ସେ ଆହୁରି କହିଛନ୍ତି ଯେ, ଆମର ଶତ୍ରୁମାନେ ନିଶାରେ ବୁଡ଼ି ରହିଥିବା ଯୁବକଙ୍କୁ କବଜାକୁ ନେଇ ଦେଶ ବିରୋଧରେ ଷଡ଼ଯନ୍ତ୍ର ରଚୁଛନ୍ତି । ସେମାନେ ନିଜର ଡ୍ରଗ୍ସ ବ୍ୟବସାୟ ବଢ଼ାଇବା ପାଇଁ ଏପରି ଯୁବକଙ୍କ ସାହାଯ୍ୟ ନିଅନ୍ତି । ସେଥିପାଇଁ ଆମକୁ ଆମ ଯୁବକମାନଙ୍କୁ ସମ୍ଭାଳିବାକୁ ପଡ଼ିବ । ନିଶାରେ ସମ୍ପୂର୍ଣ୍ଣ ଘର ବର୍ବାଦ ହୋଇଯାଏ ।

ଯେତେବେଳେ ଦେଶ 'ବିକଶିତ ଭାରତ' ହେବା ଆଡ଼କୁ ଆଗେଇ ଚାଲିଛି, ସେତେବେଳେ ଆମ ଯୁବକମାନେ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରହିବା ଅତ୍ୟନ୍ତ ଜରୁରି । ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରି ରହୁ ଏବଂ ସେମାନେ ସବୁଦିନ ପାଇଁ ନିଶାଦ୍ରବ୍ୟର ମାରାତ୍ମକ ଅଭ୍ୟାସରୁ ଦୂରେଇ ରୁହନ୍ତୁ । ଏହାହିଁ ଏହି ଅଭିଯାନର ଉଦ୍ଦେଶ୍ୟ । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଅଭିଯାନର ଶୁଭାରମ୍ଭ ଗତବର୍ଷ କାଶୀରୁ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବେ କରାଯାଇଥିଲା । ଆଜି ଆମର କୋଟି କୋଟି ଦେଶବାସୀଙ୍କ କଲ୍ୟାଣ ପାଇଁ ୧୨୫ରୁ ଅଧିକ ଆଧ୍ୟାତ୍ମିକ ସଂଗଠନ ଆମ ସହ ଯୋଡ଼ି ହୋଇଛନ୍ତି ।