News7 Logo

ସରିଲା ପୀୟୂଷ ସସ୍‌ପେନ୍ସ, ଯାତ୍ରା ପେଣ୍ଡାଲକୁ ଫେରୁଛନ୍ତି ହରିଶଙ୍କର ତ୍ରିପାଠୀ

NEWS7
Piyush

ଭୁବନେଶ୍ୱର ୧୪।୦୯ : ସରିଲା ସସ୍‌ପେନ୍ସ । ଦୀର୍ଘ ଦିନର ବିରତି ପରେ ପୁଣି ଥରେ ଯାତ୍ରା ମଞ୍ଚକୁ ଫେରିବେ ହରିଶଙ୍କର ତ୍ରିପାଠୀ ଓରଫ ପୀୟୁଷ। ଆସନ୍ତା ଜାନୁଆରୀ ୫  ତାରିଖରୁ ଯାତ୍ରା ସିଂହବାହିନୀରେ ନାଟକ କରିବେ ଓଡ଼ିଆ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ। ଏନେଇ ଯାତ୍ରା ଦଳ ମାଲିକ ସଞ୍ଜୀବ ପାଢ଼ୀ ଗଣମାଧ୍ୟମରେ  ସୂଚନା ଦେଇଛନ୍ତି। ମାତ୍ର ଏ ସମ୍ପର୍କରେ ପୀୟୂଷ କିମ୍ବା ଯାତ୍ରା ମାଲିକ ସଂଘ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ଶ୍ରୀ ପାଢ଼ୀ ଆହୁରି କହିଛନ୍ତି, ଯାତ୍ରା ସିଂହବାହିନୀର ନୂଆ ନାଟକ "ତୁ ମୋ ବଜରଙ୍ଗୀନାଟକରେ ମଞ୍ଚ ଚଢ଼ିବେ ପୀୟୁଷ । ଏଥିରେ ସେ ରାମ ଭୂମିକାରେ ଅଭିନୟ କରୁଛନ୍ତି । ନାଟକ ଆଉ ତାଙ୍କ ଭୂମିକା  ଫାଇନାଲ୍‌ ହୋଇସାରିଛି। ଆସନ୍ତା ଦଶହରା ନବମୀ ତିଥିରେ ନାଟକର ଟିଜର୍‌ ସହ କଳାକାରଙ୍କ ଘୋଷଣା ହେବ ବୋଲି ଶ୍ରୀ ପାଢ଼ୀ ଶନିବାର ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି। ଦର୍ଶକମାନଙ୍କର ଭଲ ପାଇବା ଓ ଅନୁରୋଧ ରକ୍ଷା କରି ମଞ୍ଚରେ ଅଭିନୟ କରିବାକୁ ପୀୟୂଷ ଆସୁଛନ୍ତି ବୋଲି ଶ୍ରୀ ପାଢ଼ୀ କହିଛନ୍ତି ।

ସୂଚନାଯୋଗ୍ୟ, ଦୁଇ ଯାତ୍ରା ଦଳରୁ  ଅଗ୍ରୀମ ଟଙ୍କା ନେବାକୁ ନେଇ ପୀୟୂଷ, ସମ୍ପୃକ୍ତ ଯାତ୍ରା ଦଳ ମଧ୍ୟରେ ବିବାଦ ଉପୁଜିଥିଲା। କଥା ଯାଇ ଓଡ଼ିଶା ଯାତ୍ରା ମାଲିକ ସଂଘରେ ପହଞ୍ଚିବା ପରେ ଚଳିତ ଯାତ୍ରା ବର୍ଷ ପୂର୍ବରୁ ଅସୁସ୍ଥତା ଦର୍ଶାଇ ବର୍ଷକ ପାଇଁ ଯାତ୍ରାରୁ ବିଶ୍ରାମ ନେଇଥିଲେ ପୀୟୂଷ। ଏପିରିକି ପୀୟୁଷ କେଉଁ ଯାତ୍ରା ପାର୍ଟିକୁ ଯିବେ । ତାକୁ ନେଇ ବି ସସ୍‌ପେନ୍ସ ବଢୁଥିଲା । ଗୋଟିଏ ପଟେ ସୂର୍ଯ୍ୟମନ୍ଦିର ଆଉ ଗୋଟିଏ ପଟେ ସିଂହବାହିନୀ । କେଉଁ ଯାତ୍ରା ପାର୍ଟିକୁ ଯିବେ, ସେନେଇ କୌଣସି ଆଧିକାରିକ ଘୋଷଣା ହୋଇନଥିଲା । ହେଲେ ଏବେ ପୀୟୁଷ ପୁଣି ଥରେ ମଞ୍ଚକୁ ଫେରିବା ନେଇ ସୂଚନା ମିଳିଛି। ତାହା ପୁଣି ସିଂହବାହିନୀ ପାର୍ଟିକୁ । ସିଂହବାହିନୀ ପାର୍ଟି ନିଜ ଅଫିସିଆଲ୍‌ ପେଜ୍‌ରେ ଏହି ସୂଚନା ଦେଇଛି । ଆସନ୍ତା ବର୍ଷ ମାନେ ୨୦୨୬ ଜାନୁଆରୀ ୫ ତାରିଖରେ ପାର୍ଟିକୁ ଫେରୁଛନ୍ତି ।