News7 Logo

ଉତ୍ତର କୋରିଆରେ ବିଦେଶୀ TV ସୋ ଦେଖିଲେ ଲୋକଙ୍କୁ ମିଳୁଛି ଫାଶୀଦଣ୍ଡ: ରିପୋର୍ଟ

NEWS7
Kim Jung Un

ନୂଆଦିଲ୍ଲୀ ୧୩।୯: ଉତ୍ତର କୋରିଆରେ ବିଦେଶୀ ଟେଲିଭିଜନ ସୋ ଅଥବା ଫିଲ୍ମ ଦେଖିବା କିମ୍ବା ଏହାକୁ ଲୋକଙ୍କ ନିକଟକୁ ପହଞ୍ଚାଉଥିବା ଲୋକଙ୍କୁ ଫାଶୀ ଦଣ୍ଡ ଦିଆଯାଉଛି। ଏଥିରେ ଦକ୍ଷିଣ କୋରିଆ ଡ୍ରାମା ଦେଖିଲେ ଲୋକଙ୍କୁ ସବୁଠୁ ଅଧିକ ଦଣ୍ଡ ଭୋଗିବାକୁ ପଡୁଛି, ଯେଉଁଗୁଡିକୁ ଲୋକେ ଲୁଚିଛପି ଦେଖିଥାନ୍ତି।ଜାତି ସଂଘ ନୂଆ ମାନବାଧିକାର ରିପୋର୍ଟରେ କୁହାଯାଇଛି ସରକାର ଏବେକା ବର୍ଷମାନଙ୍କରେ ବ୍ୟକ୍ତି ସ୍ୱାଧୀନତା ଉପରେ ଜୋର ଜବରଦସ୍ତ ରୋକ ଲଗାଇ ଦେଇଛନ୍ତି।

ଏହି ରିପୋର୍ଟ ୧୪ ପୃଷ୍ଠାର ହୋଇଥିବା ବେଳେ ଏଥିରେ ୩୦୦ରୁ ଅଧିକ ଏପରି ସାକ୍ଷ ଓ ପୀଡ଼ିତଙ୍କ ସହିତ କଥାବାର୍ତ୍ତା ରହିଛି ଯେଉଁମାନେ ଉତ୍ତର କୋରିଆରୁ ଖସି ପଳାୟନ କରିବାରେ ସଫଳ ହୋଇଛନ୍ତି। ଏଥିରେ ସ୍ପଷ୍ଟ କୁହାଯାଇଛି ନଜର ରଖିବା ସିଷ୍ଟମ ଏବେ ଆହୁରି ବି କଡ଼ାକଡ଼ି ହୋଇଯାଇଛି, ଏଥି ପାଇଁ ନୂଆ ଟେକ୍ନୋଲଜିର ଉପଯୋଗ ହେଉଛି ଓ ଏଥି ପାଇଁ ଦଣ୍ଡ ପୂ୍ର୍ବାପେକ୍ଷା ଅଧିକ କଠୋର କରିଦିଆଯାଇଛି। ଜାତିସଂଘ ଏହାକୁ ବିଶ୍ୱର ସବୁଠୁ  ପ୍ରତିବନ୍ଧିତ ଦେଶ ବୋଲି କହିଛି।

ରିପୋର୍ଟ ଅନୁସାରେ ୨୦୧୫ ମସିହା ପରଠାରୁ ସେଠାରେ ନାଗରିକଙ୍କ ଜୀବନର ପ୍ରତ୍ୟେକ ଭାଗ ଉପରେ ନିୟନ୍ତ୍ରଣ ବଢାଇ ଦିଆଯାଇଛି। ୟୁଏନ ନର୍ଥ କୋରିଆ କାର୍ଯ୍ୟାଳୟ ମୁଖ୍ୟ ଜେମ୍ସ ହିନନ କହିଛନ୍ତି ଯେ କୋଭିଡ-୧୯ ସମୟରୁ ଦେଶରେ ସାଧାରଣ ଅପରାଧ ଓ ରାଜନୈତିକ ଅପରାଧ ଉଭୟ ନିମନ୍ତେ ଫାଶୀ ଦଣ୍ଡ ସଂଖ୍ୟା ବଢି ଯାଇଛି। ଏଥିରେ କେତେକ ଲୋକଙ୍କୁ କେବଳ ବିଦେଶୀ ଟିଭି ସିରିଏଲ ଖାସ କରି ଦକ୍ଷିଣ କୋରିଆ ଡ୍ରାମା ବାଣ୍ଟିବା ଯୋଗୁ ମୃତ୍ୟୁ ଦଣ୍ଡ ଦିଆଯାଇଛି।

ଏହି ରିପୋର୍ଟରେ କୁହାଯାଇଛି ଦେଶରେ ପିଲାମାନଙ୍କୁ ମଧ୍ୟ ଜୋର ଜବରଦସ୍ତ ଶ୍ରମିକ ଭାବେ କାମରେ ଉପଯୋଗ କରାଯାଉଛି। ସେମାନଙ୍କୁ ଶକ୍ ବ୍ରିଗେଡ ନାମକ ସମୂହରେ ଖଣି ଖାଦାନ ଓ ନିର୍ମାଣ କାର୍ଯ୍ୟଭଳି ବିପଦଜନକ କାର୍ଯ୍ୟରେ ନିୟୋଜନ କରାଯାଉଛି। ଏପରି ପିଲାଙ୍କ ମଧ୍ୟରେ ଅଧିକାଂଶ ଗରିବ ପରିବାରର ପିଲା ଅବିଶ୍ରାନ୍ତ କାମ କରୁଛନ୍ତି। ତେବେ ଧନୀ ଲୋକେ ସେମାନଙ୍କ ପିଲାଙ୍କୁ ଲାଞ୍ଚ ଦେଇ ଏପରି କ୍ଷେତ୍ରରୁ ଖସାଇ ନେଉଛନ୍ତି। ହେଲେ ଉତ୍ତର କୋରିଆ ୟୁଏନର ଏହି ରିପୋର୍ଟ କୁ ଖାରଜ କରିଦେଇଛି ଓ କହିଛି ଏପରି ଅଭିଯୋଗକୁ ଆମେ ମାନ୍ୟତା ଦେଉ ନାହୁଁ।