LIVE TV

LoCରେ ସିଜଫାୟାର ଭାଙ୍ଗିଲା ପାକିସ୍ତାନ, ୪୦ ମିନିଟ୍ ଧୂଆଁଧାର ଗୁଳିବର୍ଷା, ଜବାବରେ ସେନାପୋଷ୍ଟ ଧ୍ୱଂସକଲା ଭାରତ

NEWS7
Indiana Army

ଶ୍ରୀନଗର ୨୧।୯: ସାଉଦୀ ଆରବ ସହ ରକ୍ଷା ବୁଝାମଣା ପରେ ପରେ ପାକିସ୍ତାନ ଜମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା(ଏଲଓସି)ରେ ରବିବାର ସିଜଫାୟାର ଉଲ୍ଲଂଘନ କରିଛି। ପାକିସ୍ତାନୀ ସେନା ପାଖାପାଖି ୪୦ ମିନିଟ୍ ଧରି ଗୁଳି ବର୍ଷା କରିଛି। ଏହା ପରେ ଭାରତୀୟ ସେନା ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଏକ ପ୍ରମୁଖ ମନିଟରିଂ ପୋଷ୍ଟକୁ ଉଡାଇଦେଇଛି। ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ପକ୍ଷରୁ ଗତିବିଦ୍ଧି ଥମିଯାଇଛି।

ପାକିସ୍ତାନ ରବିବାର ଏହି ଆକ୍ରମଣ ଜମ୍ମୁ-କାଶ୍ମୀରର ସେହି ସ୍ଥାନରେ କରିଛି ଯେଉଁଠି ଦୁଇ ଦେଶର ସେନା ମୁହାଁମୁହିଁ ରହିଥାନ୍ତି। ପାକିସ୍ତାନୀ ସେନା ଛୋଟ ଅସ୍ତ୍ରଶସ୍ତ୍ର ଓ ମୋର୍ଟାରରେ ଭାରତୀୟ ପୋଷ୍ଟ  ଉପରକୁ ଆକ୍ରମଣ କରିଥିଲେ। ଭାରତୀୟ ସେନା ତୁରନ୍ତ ଓ ପ୍ରଭାବୀ ଢଙ୍ଗରେ ଜବାବ ଦେଇ ପାକିସ୍ତାନ ପୋଷ୍ଟକୁ ଟାର୍ଗେଟ୍ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଏକ ପ୍ରମୁଖ ମନିଟିରିଂ ପୋଷ୍ଟ ଧ୍ୱଂସ୍ତ ହୋଇଛି। ଫଳରେ ସେପଟରୁ ଗତିବିଦ୍ଧି ଅଚାନକ ଥମିଯାଇଛି।

ସୀମାରେ ପାକିସ୍ତାନ ସେନାର ଏପରି କାର୍ଯ୍ୟାନୁଷ୍ଠାନ ସେତେବେଳେ ହୋଇଛି ଯେତେବେଳେ ଦିନକ ପୂର୍ବରୁ ସାଉଦୀ ଆରବ ସହିତ ପ୍ରତିରକ୍ଷା ବୁଝାମଣା କରିଛି। ଏହି ବୁଝାମଣା ଅନୁସାରେ ସାଉଦୀ ଆରବ ପାକିସ୍ତାନକୁ ସୈନ୍ୟ ସହାୟତା ଓ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି। ବିଶେଷଜ୍ଞଙ୍କ ଅନୁସାରେ ଏହି ବୁଝାମଣା ପରେ ଭାରତକୁ ଉସକାଇବା ପାଇଁ ଓ ନିଜର ନୂଆ ସାମରିକ କ୍ଷମତା ପ୍ରଦର୍ଶନ ପାଇଁ ପାକିସ୍ତାନ ଏଭଳି ପଦକ୍ଷେପ ନେଇଛି। ଏଥିରୁ ଭାରତ-ପାକ୍ ସୀମାରେ ଏବେବି ଉତ୍ତେଜନା ଲାଗି ରହିଥିବା ପ୍ରମାଣିତ ହୋଇଛି।

ତେବେ ସବୁଥର ଭଳି ଭାରତ ଏଥର ମଧ୍ୟ ନିଜ ସୀମାରେ ଉସକାଇବା ଭଳି କାର୍ଯ୍ୟର କଡ଼ା ଜବାବ ଦେବାର ନୀତି ଆପଣେଇଛି। ଭାରତୀୟ ସେନା ଜବାନମାନେ ଏହି ଚ୍ୟାଲେଞ୍ଜକୁ ସାହାସର ସହିତ ସାମ୍ନା କରିଥିବା ବେଳେ ପାକିସ୍ତାନର ବିପୁଳ କ୍ଷୟକ୍ଷତି କରିଛନ୍ତି। ଫଳରେ ପାକିସ୍ତାନ ନିଜ ଆଡୁ ଚୁପ୍ ହୋଇଯାଇଛି।