ଭାରତର କାର୍ଯ୍ୟାନୁଷ୍ଠାନରେ ପାକ୍ ଖପ୍ପା, ବନ୍ଦ କଲା ଏରୋ ସ୍ପେସ୍

Published By : Prameya-News7 Bureau | April 24, 2025 IST

ଇସ୍ଲାମାବାଦ ୨୪।୪:  ଜମ୍ମୁ-କାଶ୍ମୀର ପହଲଗାମରେ ୨୨ ଏପ୍ରିଲ ମଙ୍ଗଳବାର ଆତଙ୍କବାଦୀ ଗୁଳିକାଣ୍ଡ ପରେ ପାକିସ୍ତାନ ବିରୋଧରେ ଭାରତ କଡ଼ା କାର୍ଯ୍ୟାନୁଷ୍ଠାନ କରିଛି। ଏଥିରେ ଭାରତ ୧୯୬୦ ସିନ୍ଧୁ ଜଳ ସନ୍ଧି ସମାପ୍ତ କରିବା ସହିତ ଏପରି ଅନେକ ପଦକ୍ଷେପ ନେଇଛି ଯାହାର ପ୍ରଭାବ ପାକିସ୍ତାନର ସବୁ ନାଗରିକଙ୍କ ଉପରେ ପଡିବ। ଏଥିରେ ପାକିସ୍ତାନ ବି ଏବେ ଚୁପ ବସି ନାହିଁ, ସୂତ୍ର ଅନୁସାରେ ପାକିସ୍ତାନ ଏରୋ ସ୍ପେସ୍ କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। 

ପାକିସ୍ତାନ ଭାରତରୁ ଯାତାୟାତ କରୁଥିବା କମର୍ସିଆଲ ଫ୍ଲାଇଟଙ୍କ ନିମନ୍ତେ ଏୟାରସ୍ପେସ୍ କୁ ବନ୍ଦ କରିଛି। ପାକିସ୍ତାନର ଶାହବାଜ ସରକାରଙ୍କ ଅନୁସାରେ ଏବେ ଭାରତୀୟ ଫ୍ଲାଇଟସ୍ ଙ୍କୁ ପାକିସ୍ତାନୀ ଏରୋ ସ୍ପେସରେ ପ୍ରବେଶ ଅନୁମତି ମିଳିବ ନାହିଁ। ସିନ୍ଧୁ ଜଳ ସନ୍ଧିକୁ ନିଲମ୍ବିତ କରିବା ଓ କୁଟନୈତିକ ସମ୍ପର୍କକୁ କମ୍ କରିବା ପାଇଁ ଭାରତର ନିଷ୍ପତ୍ତିରେ ପାକିସ୍ତାନ ସରକାର ହତାସ ହୋଇପଡିଛନ୍ତି। ଏଥିପାଇଁ ଶହବାଜ ସରିଫ ୨୪ ଏପ୍ରିଲ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ଏଥିରେ ଅନ୍ୟ ନିଷ୍ପତ୍ତି ସହ ଭାରତ ନିମନ୍ତେ ପାକିସ୍ତାନ ଏରୋସ୍ପେସ୍ କୁ ବନ୍ଦ କରିବାର ନିଷ୍ପତ୍ତି ମଧ୍ୟ ରହିଛି। 

ଏହା ପୂର୍ବରୁ ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀ ଇସାକ୍ ଡାର ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହ କଥାବାର୍ତ୍ତାରେ ଭାରତର କାର୍ଯ୍ୟାନୁଷ୍ଠାନକୁ ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି ବୋଲି କହିଥିଲେ। ପହଲଗାମ ଗୁଳିକାଣ୍ଡ ପରେ ଜେଦ୍ଦାରୁ ତତ୍କାଳ ଭାରତ ଫେରିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବିମାନ ପାକିସ୍ତାନ ବାୟୁ କ୍ଷେତ୍ରକୁ ପ୍ରବେଶ କରିନଥିଲା, ଏଥି ପାଇଁ ଅନ୍ୟ ବାଟ ବାଛିଥିଲା। ତେବେ ଏହା ପୂର୍ବରୁ ମଙ୍ଗଳବାର ଜେଦ୍ଦାଯିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବିମାନ ପାକିସ୍ତାନ ବାୟୁସୀମାରେ ଯାଇଥିଲା। 

ତେବେ ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡ ଘଟଣା ପରେ ଭାରତ ବୁଧବାର ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇ କୂଟନୈତିକ ସମ୍ପର୍କରେ ବ୍ୟାପକ ହ୍ରାସ ସହିତ ସିନ୍ଧୁ ଜଳ ସନ୍ଧି ସ୍ଥଗିତ କରିବା, ଅଟାରୀ ଫାଟକ ବନ୍ଦ କରିବା ଆଦି ଅନେକ ବଡ଼ ନିଷ୍ପତ୍ତି ନେଇଛି। ମେ ୧ ତାରିଖ ସୁଦ୍ଧା କୁଟନୈତିକ ସମ୍ପର୍କକୁ ଆହୁରି କାଟ କରି ପାକିସ୍ତାନ ଓ ଭାରତୀୟ ଉଚ୍ଚାୟୋଗରେ ମୁତୟନ ଲୋକଙ୍କ ମୋଟ ସଂଖ୍ୟା ହ୍ରାସ କରି ୫୫ରୁ ୩୦ କରିଦିଯିବ। 

ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ଯେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି (ସିସିଏସ୍) ଗୁଳିକାଣ୍ଡର ଅପରାଧୀଙ୍କୁ ନ୍ୟାୟର କାଠଗଡାରେ ଛିଡା କରିବାକୁ ସଂକଳ୍ପ   କରିଛନ୍ତି। ମିଶ୍ରି କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ବିଶ୍ୱସନୀୟ ରୂପେ  ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ୧୯୬୦ ସିନ୍ଧୁ ଜଳ ସନ୍ଧିକୁ ତତ୍କାଳ ପ୍ରଭାବରେ ସ୍ଥଗିତ କରିଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.