ଇସଲାମାବାଦ: ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ଦେଶର ରାଷ୍ଟ୍ରପତି ଆସିଫ ଅଲୀ ଜର୍ଦ୍ଦାରୀ ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଜର୍ଦ୍ଦାରୀ ଦାବି କରିଛନ୍ତି ଯେ, ଭାରତୀୟମାନେ 'ଅଖଣ୍ଡ ଭାରତ'ରେ ବିଶ୍ୱାସ କରନ୍ତି, ମାତ୍ର ପାକିସ୍ତାନୀ ହିନ୍ଦୁମାନେ ଭାରତ ଯିବା ଅପେକ୍ଷା ପାକିସ୍ତାନରେ ରହିବାକୁ ଶ୍ରେୟସ୍କର ମଣନ୍ତି।

ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଜର୍ଦ୍ଦାରୀ କହିଛନ୍ତି ଯେ, ‘ଭାରତୀୟମାନେ ଅଖଣ୍ଡ ଭାରତରେ ବିଶ୍ୱାସ କରନ୍ତି। ମାତ୍ର ଆମେ ମୁସଲିମ ଏବଂ ଆମର ମାନସିକତା ସହନଶୀଳ। ପାକିସ୍ତାନରେ ୪% ହିନ୍ଦୁ ଜନସଂଖ୍ୟା ରହିଛନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ ସେମାନେ ଭାରତ ଅପେକ୍ଷା ଆମ ସହ ରହିବାକୁ ପସନ୍ଦ କରନ୍ତି।’

ଗତବର୍ଷ ଭାରତ-ପାକିସ୍ତାନ ସଂଘର୍ଷ ସମୟରେ ଫିଲ୍ଡ ମାର୍ଶଲ ଅସୀମ ମୁନିରଙ୍କ ନେତୃତ୍ୱରେ ପାକିସ୍ତାନ ସେନା ଭାରତକୁ ଉଚିତ ଜବାବ ଦେଇଥିଲା ବୋଲି ଜର୍ଦ୍ଦାରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି ଯେ, ପାକିସ୍ତାନ ଶାନ୍ତି ଚାହେଁ, ମାତ୍ର ଏହାକୁ ଦୁର୍ବଳତା ଭାବିବା ଉଚିତ ନୁହେଁ।

୨୦୨୫ ମେ' ୭ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ 'ଅପରେସନ ସିନ୍ଦୂର' ଆରମ୍ଭ କରିବା ସହ ସିନ୍ଧୁ ଜଳ ଚୁକ୍ତିକୁ ନିଲମ୍ବିତ କରିଥିଲା। ଏହାକୁ ସରିଫ ବେଆଇନ ବୋଲି କହିବା ସହ ପାକିସ୍ତାନର ଜଳ ସମ୍ପଦ ତାଙ୍କ ପାଇଁ 'ରେଡ୍ ଲାଇନ' ବୋଲି ଚେତାବନୀ ଦେଇଛନ୍ତି। ଯୁଦ୍ଧବିରାମ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭୂମିକାକୁ ସରିଫ ଧନ୍ୟବାଦ ଜଣାଇଛନ୍ତି। ତେବେ ଭାରତ ଏହି ମାମଲାରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଆସିଛି।