ନୂଆଦିଲ୍ଲୀ: ପାକିସ୍ତାନ ନିଜର ପ୍ରଥମ ଚନ୍ଦ୍ର ରୋଭର୍ (Lunar Rover) 'ଜିନ୍ନା-୧' କୁ ଚୀନ୍‌ର ସହାୟତାରେ ୨୦୨୯ ମସିହାରେ ଚନ୍ଦ୍ରପୃଷ୍ଠକୁ ପଠାଇବାକୁ ଯୋଜନା କରିଛି। ପାକିସ୍ତାନର ଜାତୀୟ ମହାକାଶ ସଂସ୍ଥା 'ସୁପାରକୋ' ଗୁରୁବାର ଏହି ରୋଭରର ନାମକରଣ ସମ୍ପର୍କରେ ସୂଚନା ଦେଇଛି।

ପାକିସ୍ତାନର ଜାତିର ପିତା କୁହାଯାଉଥିବା କାଏଦ୍-ଇ-ଆଜମ୍ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନାମାନୁସାରେ ଏହି ରୋଭରର ନାମ 'ଜିନ୍ନା-୧' ରଖାଯାଇଛି। ସମଗ୍ର ଦେଶରେ ଆୟୋଜିତ ଏକ ପ୍ରତିଯୋଗୀତାରେ ପ୍ରାୟ ୪,୦୦୦ ଆବେଦନ ମଧ୍ୟରୁ ୭ ଜଣ ପ୍ରତିଯୋଗୀ "ଜିନ୍ନା-୧" ନାମ ପ୍ରସ୍ତାବ ଦେଇଥିଲେ। ଲଟେରୀ ମାଧ୍ୟମରେ ବାହାବଲନଗରର ୧୭ ବର୍ଷୀୟ କିଶୋର ତୟବ କରିମଙ୍କୁ ବିଜେତା ଘୋଷଣା କରାଯାଇଛି।

'ଜିନ୍ନା-୧' ରୋଭର ଚୀନ୍‌ର 'ଚାଙ୍ଗ-୮' ମହାକାଶ ଅଭିଯାନ ଜରିଆରେ ଚନ୍ଦ୍ରର ଦକ୍ଷିଣ ମେରୁ (South Pole) ରେ ଅବତରଣ କରିବ। ସୁପାର୍‌କୋ ଅନୁଯାୟୀ, ଏହି ରୋଭର୍ ଚନ୍ଦ୍ରପୃଷ୍ଠର ପ୍ଲାଜ୍‌ମା, ବିକିରଣ ଏବଂ ଭୂତତ୍ତ୍ୱ ସମ୍ପର୍କରେ ଅଧ୍ୟୟନ କରିବ। ଏହା ବ୍ୟତୀତ ଭବିଷ୍ୟତରେ ଚନ୍ଦ୍ରରେ ମାନବ ଗବେଷଣା ପାଇଁ ଆବଶ୍ୟକୀୟ ପରୀକ୍ଷଣ ମଧ୍ୟ କରିବ। ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ଧକାରମୟ ଗର୍ତ୍ତଗୁଡ଼ିକରେ ବରଫ ଆକାରରେ ଜଳ ମିଳିବାର ସମ୍ଭାବନା ଥିବାରୁ ଏହା ବିଶ୍ୱର ବିଭିନ୍ନ ଦେଶ ପାଇଁ ଏକ ମୁଖ୍ୟ ଆକର୍ଷଣ ପାଲଟିଛି। 

ପାକିସ୍ତାନର ଏହି ଚନ୍ଦ୍ର ଅଭିଯାନ ଏବଂ ନାମକରଣକୁ ନେଇ ଭାରତର ବରିଷ୍ଠ ସାମ୍ବାଦିକ, ଲେଖକ ତଥା ପୂର୍ବତନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍.ଜେ. ଆକବର କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ‘ଜିନ୍ନା-୧ ରୋଭର୍ ସମଗ୍ର ବ୍ରହ୍ମାଣ୍ଡ ପାଇଁ ବିପଦ ସୃଷ୍ଟି କରିପାରେ, କାରଣ ୧୯୪୭ ମସିହାରେ ଭାରତ ବିଭାଜନ କରିଥିବା ଜିନ୍ନାଙ୍କ ନାମରେ ନାମିତ ଏହି ରୋଭର୍ ଚନ୍ଦ୍ରକୁ ମଧ୍ୟ ବିଭାଜନ କରିବାକୁ ଚେଷ୍ଟା କରିପାରେ ।’