ନୂଆଦିଲ୍ଲୀ, ୧୯|୧୧: ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ସହ ଯାହା ହୋଇଥିଲା ପୁଣି ସେମିତି କିଛି ହୋଇପାରେ । ଭାରତ ସୀମା ପାର୍ କରି ଆକ୍ରମଣ କରିପାରେ । କିଛି ଏମିତି ଭୟ ଘାରିଛି ପାକିସ୍ତାନୀକୁ । ଏନେଇ ନିଜେ କହିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ୱାଜା ଆସିଫ୍ । ଭାରତ ପୁଣି ଥରେ ମିସାଇଲ୍ ଆଟାକ କରିପାରେ ବୋଲି ସେ ଚେତାବନୀ ଦେଇଛନ୍ତି ।

ଆସିଫ କହିଛନ୍ତି ଯେ, ଭାରତର ସେନା ମୁଖ୍ୟ ଦେଇଥିବା ବୟାନକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ । ଭାରତ ଆଉ ଏକ ଷ୍ଟ୍ରାଇକ୍ କରିପାରେ । ଏହାସହ ଏକ ସାକ୍ଷାତକାରରେ ଅନେକ ମିଛ କହିଛନ୍ତି ଆସିଫ୍ । ସେ କହିଛନ୍ତି ଯେ, ଆଫଗାନିସ୍ତାନ ଅନୁପ୍ରବେଶ କରୁଛି । ଭାରତର ଏଥିରେ ଭୂମିକା ରହିଛି । ସାଉଦି ଆରବ, ୟୁଏଇ, ଇରାନ ଏବଂ ଚୀନ ପାକିସ୍ତାନ ସୀମାରେ ଅନୁପ୍ରବେଶକୁ ରୋକିବା ପାଇଁ ଚାହୁଁଛନ୍ତି । ଏବେ କାବୁଲ ଆତଙ୍କବାଦୀଙ୍କ ଆଡ୍ଡା ପାଲଟିଛି ।

ସେ ଆହୁରି କହିଛନ୍ତି ଯେ, ଭାରତ କେବେହେଲେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଭଲ ସମ୍ପର୍କ ଚାହୁଁନାହିଁ । ପାକିସ୍ତାନକୁ ଅନ୍ୟ ଦିଗରେ ବ୍ୟସ୍ତ ରଖି ଭାରତ ଫାଇଦା ନେବାକୁ ଚାହୁଁଛି । ପାକିସ୍ତାନ କେବେ ହିନ୍ଦୁସ୍ଥାନ ଉପରେ ଭରସା କରିବ ନାହିଁ । ଭାରତ ସୀମାରେ ଆକ୍ରମଣ କରିପାରେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ସେନାମୁଖ୍ୟ କହିଥିଲେ ଯେ ଅପରେସନ ସିନ୍ଦୂର କେବଳ ଟ୍ରେଲର ଥିଲା । ଏହାର ଏପିସୋଡ୍ ୮୮ ଘଂଟା ପରେ ଶେଷ ହୋଇଯାଇଥିଲା । ଯଦି ପାକିସ୍ତାନ ଆଉ କିଛି କରେ ତାହାଲେ ଭାରତ ଛାଡିବ ନାହିଁ । ପାକିସ୍ତାନକୁ ପଡୋଶୀଙ୍କ ସହ କିପରି ବ୍ୟବହାର କରାଯାଏ ତାହା ଶିଖାଇଦେବୁ । ଯାହା ପରଠୁ ପାକିସ୍ତାନ ଏଯାରଷ୍ଟ୍ରାଇକ୍ ଭୟରେ ରହିଛି ।