ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସୋସିଆଲ ମିଡିଆର ଏକ ନୂଆ  ମାର୍ଗ ଆପଣେଇଛନ୍ତି। ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକର କଡ଼ା ନଜରରୁ ବର୍ତ୍ତିବା ପାଇଁ ସେମାନେ ହ୍ୱାଟସ୍‌ଆପ୍ , ଫେସବୁକ୍ ମେସେଞ୍ଜର ଏବଂ ସିଗ୍ନାଲ ଭଳି ପାରମ୍ପରିକ ପ୍ଲାଟଫର୍ମ ଛାଡ଼ି ଏବେ ପୋର୍ନୋଗ୍ରାଫିକ୍ ଓ ଡେଟିଂ ୱେବସାଇଟଗୁଡ଼ିକରେ ଥିବା ରିଅଲ-ଟାଇମ୍ ଚାଟ୍ ଅପସନ୍‌କୁ ବ୍ୟବହାର କରୁଛନ୍ତି।

ଭାରତରେ ପ୍ରତିବନ୍ଧିତ ଥିବା ଆଡଲ୍ଟ ୱେବସାଇଟଗୁଡ଼ିକୁ ବେଆଇନ ଭାବରେ ଭିପିଏନ୍ ଜରିଆରେ ଆକ୍ସେସ କରାଯାଉଛି, ଯାହାଦ୍ୱାରା ଡିଜିଟାଲ୍ ଫୁଟପ୍ରିଣ୍ଟକୁ ଲୁଚାଯାଇପାରୁଛି। ପରିଚୟ ଲୁଚାଇବା ପାଇଁ 'ଟୋର' ଆଧାରିତ ଆପ୍ଲିକେସନ୍ ଯଥା - କୋଟେକ୍ସ ଏବଂ କୋନିଓନର ପ୍ରଚୁର ବ୍ୟବହାର ହେଉଛି। ଏହିସବୁ ଗୁପ୍ତ ଆପ୍ସରେ ଆକାଉଣ୍ଟ ଖୋଲିବା ପାଇଁ ମୋବାଇଲ୍ ନମ୍ବର କିମ୍ବା ସିମ୍ କାର୍ଡର ଆବଶ୍ୟକତା ପଡୁନାହିଁ। 

ଏଥିସହ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ସୁବିଧା ରହିଥିବାରୁ ଏହାକୁ ଟ୍ରାକ୍ କରିବା କଷ୍ଟକର ହୋଇପଡ଼ୁଛି। ଏହି ଆପ୍‌ଗୁଡ଼ିକ ୨ଜି  ଏବଂ EDGE ଭଳି ଧୀମା ନେଟୱର୍କରେ ମଧ୍ୟ ସହଜରେ କାମ କରୁଥିବାରୁ ସୀମାନ୍ତ ଓ ଦୁର୍ଗମ ଅଞ୍ଚଳରେ ଏହାକୁ ବ୍ୟବହାର କରାଯାଉଛି। ସୁରକ୍ଷା ବାହିନୀର କ୍ରାକଡାଉନ୍ ପରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ଏହି ଡିଜିଟାଲ୍ ଆତଙ୍କୀ ଇକୋସିଷ୍ଟମକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରୁଛି । 

ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ‘ଏହା ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ଏକ ନୂଆ ଚାଲ୍‌। ଯୁବକମାନଙ୍କୁ ଆତଙ୍କବାଦ ଆଡ଼କୁ ଆକର୍ଷିତ କରିବା ପାଇଁ ଇଣ୍ଟରନେଟର କଳା ଦୁନିଆକୁ ଅସ୍ତ୍ର କରାଯାଉଛି। ଗୁପ୍ତଚର ସଂସ୍ଥାଗୁଡ଼ିକ ଭିପିଏନ୍  ବ୍ୟବହାର ଉପରେ ନିର୍ଭରଶୀଳ  ଏବଂ ଏହି ଗୁପ୍ତ ଡିଜିଟାଲ୍ ନେଟୱର୍କକୁ ଭେଦ କରିବାକୁ ପ୍ରତିରୋଧ ବ୍ୟବସ୍ଥା ଆରମ୍ଭ କରିଛନ୍ତି।