ଲାହୋର ୧୭।୧୦:  ପାକିସ୍ତାନ ଲାହୋରରୁ ଏକ ଭୟାବହ ଖବର ଆସୁଛି। ରିପୋର୍ଟ ଅନୁସାରେ ପାକ୍ ସେନା ପ୍ରୋ-ପାଲେଷ୍ଟାଇନ ପ୍ରଦର୍ଶନ ଉପରକୁ ଖୋଲା ଗୁଳି ଚାଳନା କରିଛି। ଫଳରେ ବିକ୍ଷୋଭରେ ସାମିଲ ୧୦୦୦ରୁ ଅଧିକ ଲୋକେ ପ୍ରାଣ ହରାଇଥିବାର ଆଶଙ୍କା କରାଯାଉଛି। ଏହି ଘଟଣା ସେତେବେଳେ ହୋଇଛି ଯେତେବେଳେ ତେହେରିକ-ଏ-ଲବ୍ୟାକ୍ ପାକିସ୍ତାନ (ଟଏଲପି) ସମର୍ଥକ ଲାହୋରରୁ ଇସ୍ଲାମାବାଦସ୍ଥିତ ଆମେରିକା ଦୂତାବାସକୁ ଏକ ବିଶାଳ ରାଲିରେ ଯାଉଥିଲେ। ଏହି ରାଲି ଗାଜାରେ ଜାରି ଯୁଦ୍ଧ ଓ ପାକିସ୍ତାନ ସରକାରଙ୍କର ଇସ୍ରାଏଲ ସହ ବଢୁଥିବା କଥିତ ନିକଟତାକୁ ବିରୋଧ କରି ଆୟୋଜନ କରାଯାଇଥିଲା।

ଅନ୍ତର୍ଜାତୀୟ ସାମ୍ବାଦିକ ରାୟନ ଗ୍ରୀମ ତାଙ୍କ ରିପୋର୍ଟରେ ଦାବି କରିଛନ୍ତି ଯେ ଲାହୋର ସହର ବାହାରେ ସେନା ଅଚାନକ ବିକ୍ଷୋଭକାରୀଙ୍କ ଉପରକୁ ଅନ୍ଧାଦୁନିଆ ଗୁଳି ଚାଳନା କରିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଶହଶହ ଶବ ସଡ଼କ ଉପରେ ପଡିଥିଲା ଓ ପରେ ସେଗୁଡିକୁ ଟ୍ରକ୍ ରେ ଲଦି କେଉଁଆଡେ ନିଆଯାଇଛି। ଗ୍ରୀମ ଲେଖିଛନ୍ତି ଏହି ଗୁଳିକାଣ୍ଡ କେବଳ ବିକ୍ଷୋଭ ରୋକିବାକୁ ନଥିଲା ବରଂ ସାରା ଦେଶରେ ଥିବା ଅସହମତିକୁ ଦବାଇ ଦେବା ପାଇଁ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ସୁରକ୍ଷା ବଳ ପ୍ରଦର୍ଶନକାରୀଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ କରିଛନ୍ତି ଓ ସେମାନଙ୍କୁ କୌଣସି ପ୍ରକାରେ ଆଗକୁ ବଢିବାକୁ ଦିଆଯାଇ ନଥିଲା।

ଏ ନେଇ ଏବେ ସୋସିଆଲ ମିଡିଆରେ ଅନେକ ଭିଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୁଳିକାଣ୍ଡର ଶବ୍ଦ ଓ ଆହତ ପ୍ରଦର୍ଶନକାରୀ ଦେଖା ଯାଉଛନ୍ତି। ତେବେ ଏପରି ସବୁ ଭିଡିଓକୁ ପ୍ରୋପାଗଣ୍ଡା କହି ପାକିସ୍ତାନ ସରକାର ଖାରଜ କରିଦେଇଛନ୍ତି। ହିଂସାରେ ଏହି ଦୃଶ୍ୟ ଦର୍ଶାଉଛି ଯେ ସେନା ଏହି ରାଲିକୁ କୌଣସି ପରିସ୍ଥିତିରେ ମଧ୍ୟ ଆଗକୁ ବଢୁ ବୋଲି ଚାହୁଁନଥିଲା। ଗ୍ରୀମର କହିଛନ୍ତି ଏହା ଦେଶରେ ଲୋକଙ୍କ ମନରେ ଡର ଓ ନିୟନ୍ତ୍ରଣ ସ୍ଥାପିତ କରିବାର ଏକ ସରକାରୀ ଉପାୟ।

ତେହରିକ୍-ଏ-ଲବ୍ବାକ୍ ପାକିସ୍ତାନ (ଟିଏଲପି)ର ଏହି ରାଲି ଲାହୋରରୁ ଆରମ୍ଭ ହୋଇ ଇସ୍ଲାମାବାଦର ଆମେରିକା ଦୂତାବାସ ପର୍ଯ୍ୟନ୍ତ ଯାଇଥାନ୍ତା। ଏହି ବିକ୍ଷୋଭ ଯେତିକି ଆଗକୁ ବଢୁଥିଲା ପ୍ରଶାସନ ରାସ୍ତା ଅବରୋଧ କରିଥିଲା। ଲୋକେ ଅବରୋଧକକୁ ହଟାଇ ଆଗକୁ ବଢିବାରୁ ସୁରକ୍ଷା ବଳ ପ୍ରଥମେ ଲୁହବୁହା ବାସ୍ପ ଓ ୱାଟର କାନନ ଯୋଗେ ଘଉଡାଇବାକୁ ଚେଷ୍ଟା କରିଥିଲେ। ହେଲେ ଲୋକେ ନ ହଟିବାରୁ ସେନା ସିଧାଶଳଖ ଗୁଳିଚାଳନା କରିବା ଆରମ୍ଭ କରିଥିଲା। ଏଥିରେ ଲୋକଙ୍କ ମୁଣ୍ଡ ଓ ଛାତିକୁ ଲକ୍ଷ କରି ଗୁଳି କରାଯାଇଥିବାରୁ ବହୁ ସଂଖ୍ୟାରେ ଲୋକେ ପ୍ରାଣ ହରାଇଥିବାର ଆଶଙ୍କା କରାଯାଉଛି।

ରିପୋର୍ଟ ଅନୁସାରେ ଟିଏଲପି ମୁଖ୍ୟ ସାଦ ରିଜଭି ମଧ୍ୟ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ ଓ ସୁରକ୍ଷା ବଳଙ୍କୁ ହିଂସା ରୋକିବାକୁ ନିବେଦନ କରିଥିଲେ। ଏହି ସମୟରେ ତାଙ୍କୁ ମଧ୍ୟ ଗୁଳି କରାଯାଇଥିଲା। ତା ପରଠାରୁ ତାଙ୍କର କୌଣସି ଖବର ନାହିଁ। ସ୍ଥାନୀୟ ସୂତ୍ରଙ୍କ ଅନୁସାରେ ଗୁଳି ବାଜିବା ପରେ ତାଙ୍କୁ ଗିରଫ କରି ନିଆଯାଇଥିଲା।  ହେଲେ ତାଙ୍କୁ କେଉଁଠି ରଖା ଯାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ପୋଲିସ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଅନେକ ଉପଦ୍ରବୀ ପଳାୟନ କରିଛନ୍ତି ଓ ସାଦ ରିଜଭିଙ୍କ ସମେତ କିଛି ନେତାଙ୍କୁ ଖୋଜା ଯାଉଛି। ତେବେ ଟିଏଲପି ସମର୍ଥକ ଏହାକୁ ରାଜନୈତିକ ଅପହରଣ ବୋଲି କହୁଥିବା ବେଳେ ସୋସିଆଲ ମିଡିଆରେ # ହୋୟାର ଇଜ୍ ସାଦ ରିଜଭି ଟ୍ରେଣ୍ଡ କରୁଛି।