LIVE TV

ପୁଣି ପାକିସ୍ତାନ ଅପମାନିତ, IND vs PAK ମ୍ୟାଚ୍‌ରେ ଆଣ୍ଡି ପାଇକ୍ରଫ୍ଟ ହେବେ ରେଫରୀ, ICC ଶୁଣାଇଲା ନିଷ୍ପତ୍ତି

NEWS7
andy pycroft

ନୂଆଦିଲ୍ଲୀ: ଏସିଆ କପରେ ଆଜି ଭାରତ- ପାକିସ୍ତାନ ମଧ୍ୟରେ ଖେଳାଯିବ ସୁପର-୪ ମୁକାବିଲା। ଏହି ଟୁର୍ଣ୍ଣାମେଣ୍ଟରେ ଦ୍ଵିତୀୟ ଥର ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ଦଳ। ଏହା ପୂର୍ବରୁ ଲିଗ୍ ପର୍ଯ୍ୟାୟ ମୁକାବିଲାରେ କରମର୍ଦ୍ଦନ ବିବାଦ ବେଶ ଚର୍ଚ୍ଚାରେ ରହିଥିଲା। ଭାରତୀୟ ଖେଳାଳି କରମର୍ଦ୍ଦନ କରିବାକୁ ମନା କରିବାରୁ ବିଳିବିଳେଇ ହୋଇ ଉଠିଥିଲା ପାକିସ୍ତାନ। ଏଥିପାଇଁ ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ  ଦାୟୀ କରି ଏସିଆ କପରୁ ହଟାଇବାକୁ ଦାବି କରିଥିଲା। ଆଇସିସି ପାକିସ୍ତାନର ଦାବିକୁ ଅଗ୍ରାହ୍ୟ କରିବା ସହ ଓଲଟା ପାକିସ୍ତାନକୁ ନିୟମରେ ରହିବାକୁ କହିଥିଲା।

ଏବେ ସୁପର-୪ରେ ମୁକାବିଲା ପୂର୍ବରୁ ପାକିସ୍ତାନକୁ ଲାଗିଛି ବଡ଼ ଝଟକା। କାରଣ ଯେଉଁ ମ୍ୟାଚ୍ ରେରଫୀଙ୍କୁ ଟୁର୍ଣ୍ଣାମେଣ୍ଟରୁ ହଟାଇବାକୁ ଦାବି କରୁଥିଲା ସେହି ରେଫରୀ ଆଣ୍ଡି ପାଇକ୍ରଫ୍ଟ  ଆଜିର ମ୍ୟାଚ୍‌ରେ ରେଫରୀ ଦାୟିତ୍ଵ ତୁଲାଇବେ। ଏହା ଉପରେ ଭାରତର ପୂର୍ବତନ ତାରିକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ କହିଛନ୍ତି, ଆଣ୍ଡି ପାଇକ୍ରଫ୍ଟ ସମସ୍ତଙ୍କୁ ଅପ୍ରୀତିକର ଦୃଶ୍ୟ ଦେଖିବାରୁ ବଞ୍ଚାଇ ଦେଇଛନ୍ତି। ଭାରତ ପୂର୍ବରୁ ହିଁ ମ୍ୟାଚ୍ ରେଫରୀଙ୍କୁ ସୂଚିତ କରାଇ ଦେଇଥିଲା ଯେ, ଆମେ ପାକିସ୍ତାନ ଖେଳାଳିଙ୍କ ସହ କରମର୍ଦ୍ଦନ କରିବୁ ନାହିଁ। ମ୍ୟାଚରେ ପାକିସ୍ତାନ ପରାଜିତ ହୋଇଥିଲା। ଅଭିଯୋଗ କେଉଁ କଥାକୁ ନେଇ କରୁଛି ପାକିସ୍ତାନ ?

ଅଶ୍ଵିନ ଏହି ଧାରଣାକୁ ସଂପୂର୍ଣ୍ଣ ଭାବେ ଖାରଜ କରିଛନ୍ତି ଯେ, ରେଫରୀ ଖେଳାଳିଙ୍କୁ କରମର୍ଦ୍ଦନ କରିବାକୁ ବାଧ୍ୟ କରି ପାରିଥାନ୍ତେ। ମ୍ୟାଚ୍ ରେଫରୀ କୌଣସି ସ୍କୁଲ ଶିକ୍ଷକ କିମ୍ବା ପ୍ରିନ୍ସିପାଲ୍ ନୁହନ୍ତି ଯେ ଯାଇକି କହିବେ ହାତ ମିଳାଅ। ତାଙ୍କର କାମ ଏହା ନୁହେଁ। ଏଥିରେ ପାଇକ୍ରଫ୍ଟଙ୍କ ଭୁଲ୍ କଣ ?

ଆଇସିସି ସ୍ପଷ୍ଟ କରିଛି ଯେ, ପାଇକ୍ରଫ୍ଟ ‘ସ୍ପିରିଟ୍ ଅଫ ଦ ଗେମ’ର ଉଲ୍ଲଂଘନ କରି ନାହାନ୍ତି। ମ୍ୟାଚ୍ ରେଫରୀ କେବଳ ସେହି ସନ୍ଦେଶ ପାକିସ୍ତାନ ଦଳକୁ ଦେଇଥିଲେ, ଯାହା ଏସିଆନ କ୍ରିକେଟ୍ କାଉନସିଲ(ଏସିସି)ର ଭେନ୍ୟୁ ମ୍ୟାନେଜର ଦେଇଥିଲେ। ବାରମ୍ବାର ଆପତ୍ତି ସତ୍ତ୍ଵେ ଆଇସିସି ପାଇକ୍ରଫ୍ଟଙ୍କୁ ରବିବାର ହେବାକୁ ଥିବା ଭାରତ-ପାକିସ୍ତାନ ସୁପର-୪ ମୁକାବିଲା ପାଇଁ ମ୍ୟାଚ୍ ରେଫରୀ ନିଯୁକ୍ତ କରିଛି। ଏଥିରୁ ସ୍ପଷ୍ଟ ଯେ ଆଇସିସି ନିଜର ଏଲିଟ୍ ପ୍ୟାନେଲ ଉପରେ କାଏମ ରହିଛି ଏବଂ ପିସିବିର ଦାବିର ଚାପ ଉପରେ ନଇଁବ ନାହିଁ।