ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀରେ ଅକ୍ଟୋବର ୩ ତାରିଖ ଦିନ ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କାଳର କଭରେଜ କରୁଥିବା ମହିଳା ଗଣମାଧ୍ୟମ କର୍ମଚାରୀ ଓ ବିକ୍ଷୋଭକାରୀଙ୍କ ପ୍ରତି ପୋଲିସର ଅସଦାଚରଣ ଘଟଣାରେ ଏବେ ରାଜନୈତିକ ରଙ୍ଗ ଲାଗିଛି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି, ଶଶି ଥରୁର ଓ ଆମ ଆଦମୀ ପାର୍ଟି ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ କଡ଼ା ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ଅତ୍ୟନ୍ତ ଲଜ୍ଜାଜନକ ଘଟଣା କହିଲେ ଶଶି ଥରୁର
କଂଗ୍ରେସ ନେତା ଶଶି ଥରୁର ଦିଲ୍ଲୀରେ ମହିଳା ପ୍ରଦର୍ଶନକାରୀ ଓ ସାମ୍ବାଦିକଙ୍କ ପ୍ରତି ପୋଲିସର କଥିତ କାର୍ଯ୍ୟାନୁଷ୍ଠାନକୁ ରବିବାର କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି। ସେ ଏହାକୁ ‘ଅତ୍ୟନ୍ତ ଲଜ୍ଜାଜନକ’ କହିବା ସହ ଯେଉଁ ମହିଳାମାନେ ମହିଳାଙ୍କ ବିରୋଧରେ ହେଉଥିବା ହିଂସାର ବିରୋଧ କରନ୍ତି ସେମାନେ ନିଜେ ପୋଲିସ ଅସଦାଚରଣର ଶିକାର ହୋଇଛନ୍ତି। ଥରୁର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଛାତ୍ରନେତ୍ରୀ ନେହା ବୋରାଙ୍କ ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ ‘ମହିଳାଙ୍କ ବିରୋଧରେ ହିଂସାର ବିରୋଧ କରୁଥିବା ମହିଳା ନିଜେ ପୋଲିସ କର୍ମଚାରୀଙ୍କ ହିଂସାର ଶିକାର ହେବା ଅତ୍ୟାନ୍ତ ଲଜ୍ଜାଜନକ’।

ଦେଶରେ ଆଦୌ ସୁରକ୍ଷିତ ନୁହନ୍ତି ମହିଳା
ଏକ ଭିଡିଓ ବାର୍ତ୍ତାରେ ନେହା ବୋରା କହିଛନ୍ତି ଯେ ‘ସଡକରୁ ଆରମ୍ଭ କରି ବିରୋଧ ପ୍ରଦର୍ଶନ ପର୍ଯ୍ୟନ୍ତ ମହିଳା କେଉଁଠି ହେଲେ ସୁରକ୍ଷିତ ନୁହନ୍ତି। ଦିଲ୍ଲୀ ପୋଲିସ ଦ୍ୱାରା ମହିଳା ପ୍ରଦର୍ଶନକାରୀ ଓ ସାମ୍ବାଦିକଙ୍କ ପ୍ରତି କରାଯାଇଥିବା ଆକ୍ରମଣକୁ କଦାପି ବରଦାସ୍ତ କରାଯିବନି। ସଡ଼କରେ ମହିଳାଙ୍କ ସୁରକ୍ଷା ଓ ସ୍ୱାଧୀନତା ହକ୍ ଲାଗି ଦିଲ୍ଲୀ ପୋଲିସ ତଥା ମହିଳା ବିରୋଧୀ ବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରନ୍ତୁ’। ସେୟାର କରାଯାଇଥିବା ଭିଡିଓରେ ଛାତ୍ରନେତ୍ରୀ ନେହା ବୋରା ୪ ଅକ୍ଟୋବର ରବିବାର ଇଣ୍ଡିଆ ଗେଟ୍ ରୁ ଜନ୍ତର ମନ୍ତର ପର୍ଯ୍ୟନ୍ତ ‘ସିଟିଜେନ ମାର୍ଚ୍ଚ’ ଆହ୍ୱାନ ଦେଇଛନ୍ତି। ଏହି ପ୍ରଦର୍ଶନ ଦିଲ୍ଲୀ ପୋଲିସ ଓ ଭୋଟର ଲିଷ୍ଟ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ବିରୋଧରେ ଆୟୋଜନ କରାଯାଇଛି।

ମହିଳା ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର
କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ କରି ଜନ୍ତରମନ୍ତରରେ ମହିଳା ସାମ୍ବାଦିକ ଓ ପ୍ରଦର୍ଶନକାରୀଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରର ପ୍ରସଙ୍ଗ ଉଠାଇଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନର କଭର କରୁଥିବା ମହିଳା ସାମ୍ବାଦିକ ପୋଲିସ କର୍ମଚାରୀଙ୍କ ବିରୋଧରେ ଅସଦାଚାରଣର ଗୁରୁତର ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ପର୍ଦର୍ଶନରତ ମହିଳା ମାନେ ପୋଲିସର ଅଶୋଭନୀୟ ବ୍ୟବହାରର ମଧ୍ୟ ଅଭିଯୋଗ କରିଛନ୍ତି। ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ ଅନେକ ସାମ୍ବାଦିକଙ୍କ କଡ଼ା ବିରୋଧ ସତ୍ତ୍ୱେ ଏହି ମାମଲାରେ ନା ତ କୌଣସି ଏତଲା ରୁଜୁ ହୋଇଛି ନା କୌଣସି ମଜଭୁତ କାର୍ଯ୍ୟାନୁଷ୍ଠାନ କରାଯାଇଛି।

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ପଚାରିଲେ ଲିଖିତ ପ୍ରଶ୍ନ
ପ୍ରିୟଙ୍କା ଗାନ୍ଧି କହିଛନ୍ତି ଯେ ‘ପୋଲିସ, ଯାହାର କାମ ସୁରକ୍ଷା ଦେବା ସେ ହିଁ ମହିଳାଙ୍କୁ ଅସୁରକ୍ଷିତ ଅନୁଭବ କରାଇଛି। ଏଣୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମହିଳାଙ୍କ ପ୍ରତି ଏପରି ବ୍ୟବହାର ଉଚିତ କି ବୋଲି ପ୍ରଶ୍ନ କରିଛନ୍ତି। ଯଦି ଏହା ଉଚିତ ନୁହେଁ ଆପଣମାନେ ମାମଲାର ସଂଜ୍ଞାନ ନେଉ ନାହାନ୍ତି କାହିଁକି ବୋଲି ପ୍ରିୟଙ୍କା ପଚାରିଛନ୍ତି’।

ନ୍ୟାୟ ପାଇଁ କାହା ପାଖକୁ ଯିବେ ମହିଳା?
କଂଗ୍ରେସ ନେତା ପବନ ଖେଡା ମଧ୍ୟ ଦିଲ୍ଲୀ ପୋଲିସର ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପୋଲିସ ବିରୋଧରେ ପୁଣି ଥରେ ମହିଳାଙ୍କ ଗାରିମା ସହ ଖେଳିବାର ଅଭିଯୋଗ ହୋଇଛି। ଖେଡା କହିଛନ୍ତି ଯେ ଯଦି ରାସ୍ତାରେ ଚାଲୁଥିବା ମହିଳାଙ୍କ ପ୍ରତି ଅସାମାଜିକ ତତ୍ୱ ଖରାପ ଆଚରଣ କରେ ଆଶା କରାଯାଏ ପୋଲିସ ସହାୟତା କରିବ, ଯଦି ଏପରି ଅଭିଯୋଗ ପୋଲିସ ବିରୋଧରେ ହୁଏ ତେବେ ମହିଳା ନ୍ୟାୟ ପାଇଁ କାହା ପାଖକୁ ଯିବେ?

ପବନ ଖେଡା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମାମଲାରେ ଏଫଆଇଆର ରୁଜୁ କରିବାକୁ ଓ ଦାୟି ପୋଲିସ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଲାଗି ଦାବି କରିଛନ୍ତି। ସେହିପରି ଆମ ଆଦମୀ ପାର୍ଟି ନେତା ସୌରଭ ଭରଦ୍ୱାଜ ଓ ପାର୍ଟି କାର୍ଯ୍ୟକର୍ତ୍ତାମାନେ ମାମଲାରେ ଏଫଆଇଆର ରୁଜୁ ଦାବିରେ ସଂସଦ ଷ୍ଟ୍ରିଟ୍ ପୋଲିସ ଷ୍ଟେସନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।