ନୂଆଦିଲ୍ଲୀ ୩୧।୭: ବିହାର ବିଧାନସଭା ନିର୍ବାଚନ ପ୍ରସ୍ତୁତିରେ ଏବେ ଚାଲିଥିବା ଭୋଟର ଲିଷ୍ଟ ବିଶେଷ ପୁନରୀକ୍ଷଣ ଅଭିଯାନ (ଏସଆଇଆର) ଦେଶରେ ନାଗରିକତା ଚର୍ଚ୍ଚାକୁ ଉଷ୍ମ କରିଛି। ଏହି ପ୍ରକ୍ରିୟାରେ ଯେଉଁ ସବୁ କାଗଜପତ୍ରକୁ ବୈଧ ମନେ କରାଯାଉଛି ସେ ସମ୍ପର୍କରେ ସାଧାରଣ ନାଗରିକ ଅନଭିଜ୍ଞ। ତେବେ ଭୋଟର ଫଟୋ ପରିଚୟପତ୍ର, ରାସନ କାର୍ଡ ଓ ଆଧାର କାର୍ଡକୁ ନିର୍ବାଚନ ଆୟୋଗ ନାଗରିକତାର ପ୍ରମାଣ ମାନ୍ୟ କରୁ ନାହାନ୍ତି।
ଏଣୁ ଦିଲ୍ଲୀ ଏନସିଆରରୁ ଆରମ୍ଭ କରି ବିହାରର ନିପଟ ମଫସଲରେ ଲୋକେ ଏବେ ଭୋଟର ହେବା ପାଇଁ ନାଗରିକତା କିପରି ପ୍ରମାଣ କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି। ତେବେ ଏହି ପ୍ରଶ୍ନ ଏବେ କେବଳ ନିର୍ବାଚନ ପ୍ରକ୍ରିୟା ପାଇଁ ନୁହେଁ ଲୋକଙ୍କ ପରିଚୟର ଅଧିକାରକୁ ନେଇ ପ୍ରଶ୍ନବାଚୀ ଲଗାଇଛି। ବିହାର ନିର୍ବାଚନ ଆୟୋଗ ଭୋଟର ଲିଷ୍ଟ ଅପଡେଟ କରିବା ପାଇଁ ଏବେ ବିଶେଷ ଅଭିଯାନ ଚଳାଇଛନ୍ତି। ଏଥିରେ ନୂଆ ଭୋଟରଙ୍କ ନାମ ସଂଯୁକ୍ତ କରିବା ପାଇଁ ସ୍ୱତନ୍ତ୍ର କାଗଜପତ୍ର ପ୍ରସ୍ତୁତ କରିବାକୁ ପଡୁଛି। ତେବେ ଏଥି ପାଇଁ ଆବଶ୍ୟକ ହେଉଥିବା କାଗଜପତ୍ର ସମ୍ପର୍କରେ ଆସନ୍ତୁ ଜାଣିବା।
ଭୋଟ ଦେବା ପାଇଁ ନାଗରିକତା ସାବ୍ୟସ୍ତ ନିମନ୍ତେ ଏସଆଇଆରରେ ଏହି ୧୧ଟି କାଗଜ ଆବଶ୍ୟକ ହେଉଛି। ଏଥିରେ ସରକାର ଅଥବା ସାର୍ବଜନିକ କ୍ଷେତ୍ରର ସଂସ୍ଥାଙ୍କ ଦ୍ୱାରା ଜାରି ପରିଚୟପତ୍ର, ପେନସନ ଅର୍ଡର. ୧ ଜୁଲାଇ ୧୯୮୭ ପୂର୍ବରୁ ଭାରତ ସରକାର ଅଥବା କୌଣସି ପ୍ରାଧିକରଣ ଦ୍ୱାରା ଜାରି କରାଯାଇଥିବା କୌଣସି କାଗଜପତ୍ର, ଅଧିକୃତ ସଂସ୍ଥା ଦ୍ୱାରା ଜାରି ଜନ୍ମ ପ୍ରମାଣପତ୍ର, କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡ ଅଥବା ଶିକ୍ଷାନୁଷ୍ଠାନରୁ ପ୍ରାପ୍ତ ପ୍ରମାଣ ପତ୍ର ଜରୁରି ହେଉଛି।
ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ବନ ଅଧିକାର ପ୍ରମାଣ ପତ୍ର, ଏସସି, ଏସଟି ଅଥବା ଓବିସି, ଏସଇବିସି ଜାତି ପ୍ରମାଣପତ୍ର, ଜାତୀୟ ନାଗରିକ ରେଜିଷ୍ଟର (ଯେଉଁଠି ଲାଗୁ ହୋଇଛି), ପରିବାର ରେଜିଷ୍ଟର (ରାଜ୍ୟ ବା ସ୍ଥାନୀୟ ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ)ସରକାରଙ୍କ ଦ୍ୱାରା ଜାରି ଭୂମି ଅଥବା ଆବାସ ଆବଣ୍ଟନ ପ୍ରମାଣ ପତ୍ର ମଧ୍ୟ ଏଥି ପାଇଁ ଆବଶ୍ୟକ ହେବ।
ତେବେ ଏଥି ପାଇଁ ଆଧାର କାର୍ଡ, ପୂର୍ବରୁ ଥିବା ଭୋଟର ଫଟୋ ପରିଚୟପତ୍ର କି ଆୟକର ଦାତା ପ୍ରମାଣ ପିଏଏନ କାର୍ଡ ମାନ୍ୟ ହେବ ନାହିଁ। କାରଣ ଆଧାର କାର୍ଡ ଆକ୍ଟ ଧାରା ୯ ଅନୁସାରେ ଏହା ନା ତ ନାଗରିକତା ନା ଡୋମିସାଇଲର ପ୍ରମାଣ। ୟୁଆଇଡିଏଆଇ ଏହାକୁ କେବଳ ପରିଚୟ ସତ୍ୟାପନର ମାଧ୍ୟମ ମନେ କରନ୍ତି। ସେହିପରି ଭୋଟର ଆଇଡି କାର୍ଡ (ଇପିଆଇସି) କେବଳ ଭୋଟ ଦେବା ପାଇଁ ଏକ ପରିଚୟପତ୍ର। ହେଲେ ଏହା ନାଗରିକତାର ପ୍ରମାଣପତ୍ର ନୁହେଁ।
ସେହିପରି ପିଏଏନ କାର୍ଡ ଭାରତରେ ଆର୍ଥିକ ଗତିବିଦ୍ଧି ଲାଗି ଜରୁରି କିନ୍ତୁ ନାଗରିକତା ପ୍ରମାଣ ନିମନ୍ତେ ଯଥେଷ୍ଟ ନୁହେଁ। ସେହିପରି ରାସନ କାର୍ଡ ଖାଦ୍ୟ ସୁରକ୍ଷା ଲାଗି ଉପଯୋଗୀ ଓ ନିବାସର ପ୍ରମାଣ ହେଲେ ନାଗରିକତାର ପ୍ରମାଣ ନୁହେଁ ବୋଲି କୁହାଯାଇଛି। ହେଲେ ନାଗରିକତା ପ୍ରମାଣ ନିମନ୍ତେ ପାସପୋର୍ଟ ଗ୍ରହଣୀୟ ହେବ। କାରଣ ଭାରତ ସରକାର କେବଳ ଭାରତୀୟ ନାଗରିକଙ୍କୁ ପାସପୋର୍ଟ ଜାରି କରନ୍ତି। ଏଥି ପାଇଁ ପୋଲିସ ଭେରିଫିକେସନ ଓ ନାଗରିକତା ଯାଞ୍ଚ ହୁଏ ଏହା ଛଡା ଏହାକୁ ବିଦେଶ ମନ୍ତ୍ରାଳୟ ଓ ଗୃହମନ୍ତ୍ରାଳୟ ସତ୍ୟାପନ କରନ୍ତି।