ନୂଆଦିଲ୍ଲୀ ୧୩। ୦୫: ଗୁଜରାଟ ଆମ୍ରେଲି ଜିଲ୍ଲାର ଜଣେ ଚାଷୀ ଉକାଭାଇ ଭଟ୍ଟିଙ୍କ ସଂପର୍କରେ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା । ସେ ଗ୍ରାଫ୍ଟିଂ ଏବଂ ବୈଜ୍ଞାନିକ ଉପାୟ ଅବଲମ୍ବନ କରି ଗୋଟିଏ ଗଛରେ ପ୍ରାୟ ୧୪ ପ୍ରଜାତିର ଆମ୍ବକୁ ସଫଳତାର ସହ ଫଳାଇଛନ୍ତି । ସେଥିମଧ୍ୟରେ କେଶର, ଆମ୍ରପାଲି, ଲଙ୍ଗରା, ବାଦାମୀ, ଗୁଲାବୀ, ରସବରି, ଜମାଦାର, କାଲା ଜମାଦାର, ହାପୁସ, ତୋଟାପୁରୀ ପ୍ରଭୃତି ସାମିଲ ।

ଏହି ଆମ୍ବଗୁଡ଼ିକ ଦେଖିବାକୁ ଭିନ୍ନ ଭିନ୍ନ ରଙ୍ଗର ହୋଇଥିବାବେଳେ ବାସ୍ନା, ସ୍ୱାଦ ବି ଅଲଗା । ଏଭଳିକ୍ଷେତ୍ରରେ ଚାଷ ପ୍ରତି ରୁଚି ରଖୁଥିବା ଲୋକେ ଉକାଭାଇଙ୍କର ଏହି ନିଆରା କାର୍ଯ୍ୟକୁ ଦେଖିବା ଲାଗି ତାଙ୍କ ଗାଁକୁ ଆସୁଛନ୍ତି । ଗୋଟିଏ ଗଛରେ ଅନେକ ପ୍ରକାରର ଆମ୍ବ ଫଳାଇବା ପୂର୍ବରୁ ୭୨ ବର୍ଷୀୟ ଉକାଭାଇ ଅନେକ ବର୍ଷ ଧରି ଏ ସଂପର୍କରେ ଗବେଷଣା ଏବଂ ପରୀକ୍ଷାନିରୀକ୍ଷା କରିଥିଲେ । ସେ କହିଛନ୍ତି, ସାଧାରଣତଃ ଗୋଟିଏ ଆମ୍ବ ଗଛରେ ଗୋଟିଏ ପ୍ରଜାତିର ଫଳ ଆସିଥାଏ ।

କିନ୍ତୁ ଆଡଭାନ୍ସଡ ଗ୍ରାଫ୍ଟି ଟେକ୍ନୋଲୋଜି ବ୍ୟବହାର କରି କିପରି ଅନେକ ପ୍ରଜାତିର ଆମ୍ବକୁ ଏକାଠି ଫଳାଇହେବ ତାହା ସେ ଦେଖାଇ ଦେଇଛନ୍ତି । ଏଥିସହ ସ୍ଥାନୀୟ ଅଞ୍ଚଳର ଲୋପ ପାଇଯାଉଥିବା ଆମ୍ବ ପ୍ରଜାତିର ସଂରକ୍ଷଣ ବି କରିଛନ୍ତି । ଏହା ଦେଖି ସେଠାକାର କିଛି ଚାଷୀ ଏଭଳି ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ।