ଭୁବନେଶ୍ଵର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ଵାନ କ୍ରମେ ରାଜ୍ୟବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମରେ ଆୟୋଜିତ ‘ଏକ ପେଡ୍ ମା କେ ନାମ ୨.୦’  ଅଭିଯାନରେ ଓଡ଼ିଶା ଖଣି ନିଗମ ସାମିଲ ହୋଇ ଖଣି ଓ ଖଣି ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲକ୍ଷ ଚାରା ରୋପଣ କରିଛି।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵର ସ୍ଥିତ ଡ୍ରିଲ କୋର ଲାଇବ୍ରେରୀଠାରେ ଆୟୋଜିତ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଓଏମସିର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ, ଆଇଏଏସ, ଏକ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଜଙ୍ଗଲ ଓ ପରିବେଶ) ସୁଧାଂଶୁ ଶେଖର ଖୋରା, ଆଇଏଫଏସ ନିର୍ଦ୍ଦେଶକ(ଅପରେସନ) ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ(ମାନବ ସମ୍ବଳ) ଆଲୋକ କୁମାର ପାଲ ଏବଂ ନିର୍ଦ୍ଦେଶକ(ଅର୍ଥ) ବନ ବିହାରୀ ପାଣି ପ୍ରମୁଖ ସାମିଲ ହୋଇଥିଲେ।  ଏଥିସହ ନିଗମର ବିଭାଗୀୟ ମୁଖ୍ୟ,  ବରିଷ୍ଠ ଅଧିକାରୀ ଓ ବହୁ ସଂଖ୍ୟାରେ କର୍ମଚାରୀ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏଥିସହ ନିଗମ ଅଧିନସ୍ଥ ଖଣି ଅଞ୍ଚଳ ଯଥା- ଗୁଆଳୀ, ରୋଇଡ-ସି, ଜିଲିଙ୍ଗ-ଲାଙ୍ଗଲୋଟା, ବାଂଶପାଣି, ଡୁବୁନା-ସେକ୍ରାଡିହି, କାଲିଆପାଣି, ଗଦ୍ଧମାର୍ଦ୍ଦନ, ଖଣ୍ଡବନ୍ଧ, ବାଙ୍ଗୁର, କୋଡିଙ୍ଗାମାଳି, ସୁକରଙ୍ଗି ଖଣି ଓ ଏହାର ପାର୍ଶ୍ଵବର୍ତ୍ତୀ ସର୍ବମୋଟ୍ ୨୭ଟି ସ୍ଥାନରେ ଏକ ଲକ୍ଷ ଚାରା ରୋପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଖଣି କ୍ଷେତ୍ରରେ କାର୍ଯ୍ୟରତ ନିଗମର ବହୁ ସଂଖ୍ୟକ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ସ୍ଵେଚ୍ଛାକୃତ ଭାବେ ଅଂଶ ଗ୍ରହଣ କରିଥିଲେ।

ଓଏମସିର କାର୍ଯ୍ୟକ୍ଷମ ଖଣି କ୍ଷେତ୍ରଗୁଡ଼ିକରେ ୬୦.୦୭୪ ହେକ୍ଟର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ପ୍ରାୟ ୨.୯ କିଲୋମିଟର ପାଖାପାଖି ଜମିରେ ଚାରା ରୋପଣ କରାଯାଇଅଛି।  ନିମ୍ବ, ଶାଳ, ପିଆଶାଳ, ଅଶୋକ, ହରିଡ଼ା, ବାହାଡ଼ା, ଶିଶୁ କରଞ୍ଜ, ବାଉଁଶ, ବର ଭଳି ଅନେକ ବୃକ୍ଷର ଚାରା ରୋପଣ କରାଯାଇଅଛି। ଏଥିସହ ଓଉ, ପିଜୁଳି, ପେସ୍ତା ବାଦାମ, ଅଁଳା, ଚାରକୋଳି, ଜାମୁ, କରମଙ୍ଗା, ସିତାଫଳ, ବେଲ, ପଣସ ପ୍ରଭୁତି ଫଳ ଜାତୀୟ ଚାରା ଗୁଡ଼ିକୁ ମଧ୍ୟ  ଲଗାଯାଇଛନ୍ତି।