ଘରେ ଶୋଇଥିବାବେଳେ ବୃଦ୍ଧାଙ୍କୁ ଝାମ୍ପିନେଲା ଚିତା, ଗାଁରେ ଭୟର ବାତାବରଣ

Published By : Prameya-News7 Bureau | June 10, 2024 IST

ଉମରକୋଟ୍ ୧୦/୬: ଛତିଶଗଡ କାଙ୍କେର ଜିଲ୍ଲା ଚନାର ଗାଁରେ ପୁଣି ବାଘ ଆତଙ୍କ । ରବିବାର ରାତିରେ ଗାଁର ଜଣେ ୭୫ ବର୍ଷୀୟ ବୃଦ୍ଧାଙ୍କୁ ଘରୁ ଟାଣି ନେଇ ଖିନଭିନ କରି ଖାଇବା ପରେ ଫୋପାଡି ଦେଇଛି ବାଘ । ବୃଦ୍ଧା ଜଣକ ଗରମ ଯୋଗୁ କବାଟ ଖୋଲା କରି ଶୋଇଥିଲେ । ଏହି ସମୟରେ ଚିତାବାଘ ବୃଦ୍ଧାଙ୍କୁ ଘରୁ ଝାମ୍ପି ନେଇ ମାରିଦେବା ସହ ଘରଠାରୁ ୨ଶହ ମିଟର ଦୁରରେ ମୃତଦେହ ଫିଙ୍ଗି ପଳାଇଛି । ଏଦୃଶ୍ୟ ଯିଏ ଦେଖୁଛି ଭୟରେ ଥରୁଛି । ବାଘକୁ ଡରି ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି ।

ଘଟଣାସ୍ଥଳରେ ଛତିଶଗଡ ବନବିଭାଗ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଚିତାବାଘକୁ କାବୁ କରିବାକୁ ଉଦ୍ୟମ ଆରମ୍ଭ କରିଛି ।  କିଛି ଦିନ ପୂର୍ବରୁ ମଧ୍ୟ ଛତିଶଗଡର ବିଭିନ୍ନ ଗାଁରେ ଏକ ମଣିଷଖିଆ ବାଘ ୫ରୁ ୬ ଜଣକୁ ଆକ୍ରମଣ କରି ଘାଇଲା କରିଥିଲା । ବନବିଭାଗ ବାଘକୁ କାବୁ କରି ଓଡ଼ିଶା-ଛତିଶଗଡ ସୀମାରେ ଥିବା ଉଦଣ୍ଡୀ ସୀତାନଦୀ ଅଭୟାରଣ୍ୟରେ ଛାଡିଦେଇଥିଲା । ଏବେ ପୁଣି ବାଘ ଗାଁରେ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.