ଭୁବନେଶ୍ୱର: ନିଶା ମୁକ୍ତ ହେବ ଓଡିଶା । ଏପ୍ରିଲ ୧ରୁ ଅଭିଯାନ ଆରମ୍ଭ । ଆସନ୍ତା ୩ ବର୍ଷ ଭିତରେ ରାଜ୍ୟରୁ ବିଭିନ୍ନ ନିଶା, ଗଞ୍ଜେଇ, ହେରୋଇନ ଇତ୍ୟାଦିକୁ ମୂଳପୋଛ କରିବା ପାଇଁ ଆରମ୍ଭ ହେବ ଅଭିଯାନ । ଏହି ସୂଚନା ଦେଇ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ ବି ଖୁରାନିଆ କହିଛନ୍ତି, ଏହି ନିଶାମୁକ୍ତି ଅଭିଯାନରେ ୩ ମାସ ଭିତରେ ରାଜ୍ୟରୁ ସମସ୍ତ ନିଶା ଦ୍ରବ୍ୟ ନଷ୍ଟ କରିବୁ। ଶିକ୍ଷାନୁଷ୍ଠାନଗୁଡ଼ିକର ୫୦୦ ମିଟର ଭିତରେ ନିଶା ଦ୍ରବ୍ୟ ବିକ୍ରିକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ। ଏଥିଲାଗି ପୋଲିସ ପକ୍ଷରୁ ଅଭିଯାନ ଚାଲିଛି ଓ ଏହା ଆଗକୁ ଜାରି ରହିବ ବୋଲି ଡିଜିପି କହିଛନ୍ତି। ବିଶେଷକରି ସିଂଥେଟିକ ଡ୍ରଗ୍ସ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟର କାରବାର ସଂପୂର୍ଣ୍ଣ ରୋକ ଲଗାଯିବ। ଏହି ସବୁ ନିଶା ଦ୍ରବ୍ୟ ପଡ଼ୋଶୀ ରାଜ୍ୟରୁ ଆସୁଛି ବୋଲି କହିବା ବେଳେ, ରାଜ୍ୟରେ ବ୍ରାଉନ ସୁଗାର ବିକ୍ରି ବଢ଼ିଥିବା ମାନିଛନ୍ତି ପୋଲିସ ଡିଜି।

ରାଜ୍ୟରେ ସିନ୍ଥେଟିକ ଡ୍ରଗ୍ସର ପ୍ରସାର ଲାଗି ନିଶା ବେପାରୀମାନେ ପ୍ରୟାସ କରୁଛନ୍ତି। ସେମାନଙ୍କୁ ରୋକିବା ସହ ନିଶା ନେଟଓ୍ବର୍କକୁ ଭାଙ୍ଗିବା ଲାଗି ପୋଲିସ ଅଭିଯାନ ଆରମ୍ଭ କରିଛି। ସମସ୍ତ ଶିକ୍ଷାନୁଷ୍ଠାନର ୫୦୦ ମିଟର ଭିତରେ ନିଶା ବିକ୍ରିକୁ ରୋକିବା ଲାଗି ସମସ୍ତ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ପ୍ରସଙ୍ଗରେ ଜନସାଧାରଣଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ଡିଜିପି। କହିଛନ୍ତି ଯଦି କୌଣସି ଶିକ୍ଷାନୁଷ୍ଠାନର ୫୦୦ ମିଟର ଭିତରେ ନିଶା ସାମଗ୍ରୀ ବିକ୍ରି ହେଉଥାଏ, ତେବେ ଜନସାଧାରଣ ସେସଂପର୍କରେ ସ୍ଥାନୀୟ ଏବଂ ଏସପିଙ୍କୁ ଜଣାଇବା ଦରକାର। ଯାହା ଫଳରେ କାର୍ଯ୍ୟାନୁଷ୍ଠାନ ଶୀଘ୍ର ଏବଂ ସହଜ ହୋଇପାରିବ।

Also Read:  ​​​​​​​Scb row in assembly: ବର୍ଷିଲେ ଅରୁଣ, କହିଲେ କାହିଁକି ଚୁପ୍ ସରକାର ?​​​​​​​​​​​​​​ 

​​​​​ଭାଙ୍ଗିଛି ନକ୍ସଲଙ୍କ ମେରୁଦଣ୍ଡ: ଡିଜିପି

ନିଶା କାରବାର ନେଇ ଡିଜିପି ସୂଚନା ରଖିବାବେଳେ କହିଛନ୍ତି, ନକ୍ସଲମାନେ ଯେଉଁ ଜିଲ୍ଲାରେ ସକ୍ରିୟ ଥିଲେ, ସେହି ଜିଲ୍ଲାରେ ଗଞ୍ଜେଇ ଚାଷ ଦେଖିବାକୁ ମିଳିଥିଲା । ତେବେ ଆଣ୍ଟି ନକ୍ସଲ ଅପରେସନ ବେଳେ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଫଳରେ ନକ୍ସଲଙ୍କ ମେରୁଦଣ୍ଡ ଭାଙ୍ଗିଦିଆଯାଇଛି। ଏହା ନକ୍ସଲ ଏବଂ ନିଶା ବିରୁଦ୍ଧରେ ଏକ ସଫଳ ପଦକ୍ଷେପ ହୋଇଛି। ତେବେ ବାହାର ରାଜ୍ୟରୁ ଆସୁଥିବା ସିଂଥେଟିକ ଡ୍ରଗ୍ସ, ହେରୋଇନ ଆଦି ନିଶା ଦ୍ରବ୍ୟକୁ ରୋକିବା ଲାଗି ପୋଲିସ ଦୃଢ଼ ପଦକ୍ଷେପ ନେଉଥିବା ଡିଜିପି ଖୁରାନିଆ କହିଛନ୍ତି।