ଭୁବନେଶ୍ବର: ଗୁରୁବାରଠାରୁ ଆରମ୍ଭ ହେଉଛି ରାଜ୍ୟ ବିଧାନସଭାର ଶୀତ ଅଧିବେଶନ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବାବେଳେ, ବୁଧବାର ସର୍ବଦଳୀୟ ବୈଠକ ମଧ୍ୟ ସରିଛି। କିଭଳି ଭାବେ ବିଧାସଭାରେ ସୁରୁଖୁରୁରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ସେନେଇ ମଧ୍ୟ ଆଲୋଚନା ହୋଇଛି। ସେପଟେ ବୁଧବାର କଂଗ୍ରେସ ମଧ୍ୟ ବିଧାନସଭାରେ ନିଜର ଆଭିମୁଖ୍ୟ ନେଇ ବିଧାୟକ ଦଳ ବୈଠକ କରିଛି।

ବୈଠକ ପରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସୂଚନା ଦେଇ କହିଛନ୍ତି, ସରକାରଙ୍କୁ ଘେରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କଂଗ୍ରେସ ଦଳ। ରାଜ୍ୟରେ ନାରୀ ନିର୍ଯାତନା ବଢ଼ିଚାଲିଥିବା ବେଳେ ଏହି ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିବ କଂଗ୍ରେସ ଦଳ।

ଏହା ସହ ପ୍ଲାଣ୍ଟିଂ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ହୋଇନଥିବାରୁ ରାଜ୍ୟରେ ଉନ୍ନତି କାର୍ଯ୍ୟ ଠପ୍ ହେବା ପ୍ରସଙ୍ଗ। ନୂଆପଡ଼ା ଉପନିର୍ବାଚନରେ ନୋଟ ଦେଇ ଭୋଟ ହେଲା, ଭୋଟ ଚୋରୀ ପ୍ରସଙ୍ଗ, ସ୍ୱାସ୍ଥ୍ୟ ସମସ୍ୟା, ବେକାରୀ ସମସ୍ୟା, ନିଯୁକ୍ତରେ ଦୁର୍ନୀତି, ଦାଦନ, ଚାଷୀଙ୍କ ସମସ୍ୟା, ଧାନ କିଣାରେ କଟନି-ଛଟନି ଏବଂ ସାର ଅଭାବକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରିଥିବା କହିଛନ୍ତି ରାମଚନ୍ଦ୍ର କାଡାମ।