ମାର୍କୋ ରୁବିଓ କାର୍ଯ୍ୟକାରୀ ଜାତୀୟ ସୁରକ୍ଷା ପରାମର୍ଶଦାତା, ଟ୍ରମ୍ପ୍‌ ପ୍ରଶାସନରୁ ମାଇକ୍ ୱାଲ୍ଜ ଆଉଟ୍‌

Published By : Prameya-News7 Bureau | May 02, 2025 IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଦେଶ ସଚିବ ମାର୍କୋ ରୁବିଓଙ୍କୁ କାର୍ଯ୍ୟକାରୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି। ସେ ମାଇକ୍ ୱାଲ୍ଜଙ୍କ ସ୍ଥାନ ନେବେ। ମାଇକ୍ ୱାଲ୍ଜ ଏବଂ ତାଙ୍କ ଡେପୁଟି ଆଲେକ୍ସ ୱଙ୍ଗଙ୍କୁ ଟ୍ରମ୍ପ ପ୍ରଶାସନରୁ ବହିଷ୍କାର କରାଯିବା ପରେ ଗୁରୁବାର ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ସେହିପରି, ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍ ୱାଲ୍ଜଙ୍କୁ ତାଙ୍କ ପଦରୁ ହଟାଇବାର କିଛି ଘଣ୍ଟା ପରେ, ତାଙ୍କୁ ଜାତିସଂଘରେ ଆମେରିକୀୟ ରାଷ୍ଟ୍ରଦୂତ ପାଇଁ ପରବର୍ତ୍ତୀ ପ୍ରାର୍ଥୀ ଭାବରେ ଚୟନ କରାଯାଇଛି।

ପ୍ରକାଶଥାଉକି ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଶାସନିକ ପୁନର୍ଗଠନ ଦୃଷ୍ଟିରୁ ଏହା ସବୁଠାରୁ ବଡ଼ ପରିବର୍ତ୍ତନ। ସାମ୍ପ୍ରତିକ ସିଗନାଲ ଚାଟରେ ହୋଇଥିବା ବଡ଼ ଭୁଲକୁ ନେଇ ମାଇକ ୱାଲ୍ଜଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସିଗନାଲ ଚାଟ୍ ଲିକ୍ ନେଇ ମାର୍ଚ୍ଚ ମାସରେ ମାଇକ୍ ୱାଲ୍ଜଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା। ସେ ଏନକ୍ରିପ୍ଟେଡ୍ ମେସେଜିଂ ଆପ୍ ସିଗନାଲରେ ମେସେଜିଂ କରୁଥିବା ସମୟରେ ସାମ୍ବାଦିକ ଜେଫ୍ରି ଗୋଲ୍ଡବର୍ଗଙ୍କୁ ଯୋଡିଥିଲେ। ଏହି ପ୍ରକାଶ ପରେ, ୱାଲ୍ଜଙ୍କ ଉପରେ ଇସ୍ତଫା ଦେବା ପାଇଁ ଚାପ ବଢ଼ିଯାଇଥିଲା।

ଆପଣଙ୍କୁ କହି ରଖୁଛୁ ଯେ ଆମେରିକୀୟ ଅଧିକାରୀମାନେ ୟେମେନରେ ହୁତୀ ବିଦ୍ରୋହୀଙ୍କ ଘାଟି ଉପରେ ଆକ୍ରମଣ କରିବା ପାଇଁ ମେସେଜିଂ ଆପ୍ ସିଗନାଲରେ ଏକ ଗ୍ରୁପ୍‌ କରିଥିଲେ। ଗ୍ରୁପ୍‌ କରିବା ପରେ, ୱାଲ୍ଜ ଟ୍ରମ୍ପ ପ୍ରଶାସନର ୧୮ ଜଣ ଶୀର୍ଷ ଅଧିକାରୀଙ୍କୁ ଏଥିରେ ଆଡ୍‌ କରିଥିଲେ। ଏଥିରେ ଉପାଧ୍ୟକ୍ଷ ଜେଡି ଭାନ୍ସ, ରାଜ୍ୟ ସଚିବ ମାର୍କୋ ରୁବିଓ, ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ଏବଂ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସି ନିର୍ଦ୍ଦେଶକ ଜନ୍ ରାଟକ୍ଲିଫ୍ ସାମିଲ ଥିଲେ।

 ଦି ଆଟଲାଣ୍ଟିକ୍ ପତ୍ରିକାର ସମ୍ପାଦକ ଜେଫ୍ରି ଗୋଲ୍ଡବର୍ଗ ମଧ୍ୟ ଏହି ଗ୍ରୁପ୍‌ରେ ଥିଲେ। ସେ ୟେମେନରେ ହୁତୀମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଆମେରିକାର ଯୋଜନାକୁ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରିଥିଲେ। ଏହା ପରେ, ଡେମୋକ୍ରାଟିକ୍ ସାଂସଦମାନେ ଏହି ମାମଲାର ତଦନ୍ତ ଦାବି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.