ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଅପରେସନ ସିନ୍ଦୂରର ଦୀର୍ଘ ସମୟ ପରେ ମୁହଁ ଖୋଲିଛନ୍ତି। ସେ ପଡୋଶୀମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ‘ଭାରତ ଶତ୍ରୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳେ ପରିଣାମ କଥା ଭାବି ନଥାଏ’। ଅପରେସନ ସିନ୍ଦୂର ପରେ ଡୋଭାଲଙ୍କ ଏହି ବୟାନ ଭାରତର ପରିବର୍ତ୍ତିତ ନୀତିର ସ୍ପଷ୍ଟ ଉଦାହରଣ ଭାବେ ବୁଝା ଯାଇପାରେ। ଡୋଭାଲ ସ୍ପଷ୍ଟ ଭାବେ କହିଛନ୍ତି ଯେ ‘ଭାରତର ଉଦାରତାକୁ ଏହାର ଦୁର୍ବଳତା ଭାବିବା ଉଚିତ ନୁହେ। ଭାରତ ବିପଦକୁ ମୁକାବିଲା କରିପାରେ ଓ କଡ଼ା ପ୍ରହାର ମଧ୍ୟ କରେ’।

ଏଥିରେ ଡୋଭାଲ କହିଛନ୍ତି ଯେ ବିଶ୍ୱକୁ ଆମର ବାର୍ତ୍ତା ସ୍ପଷ୍ଟ ‘ଭାରତର ଉଦାରତା ବା ସହନଶୀଳତାକୁ ତାର ଦୁର୍ବଳତା ବୁଝାଯିବା ଉଚିତ ନୁହେଁ। ତେଣିକି ପରିଣାମ ଯାହା ବି ହେଉ ନା କାହିକି ଭାରତ ସଂକଟର ମୁକାବିଲା କରିପାରେ ଓ କଡ଼ା ପ୍ରହାର ମଧ୍ୟ କରେ’। ପହଲଗାଁଓରେ ନିରସ୍ତ୍ର ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଭାରତ ଆତଙ୍କବାଦୀଙ୍କ ଆଡ୍ଡାକୁ ସଠିକ ଟାର୍ଗେଟ୍ କରି ଅପରେସନ ସିନ୍ଦୂରକୁ ସଫଳ କରିଥିଲା। ଏହି ଅପରେସନ କାଳରେ ଭାରତ ଏହା ମଧ୍ୟ ସୁନିଶ୍ଚିତ କରିଥିଲା ଯେ ଏଥିରେ ପାକିସ୍ତାନୀ ସାମରିକ ଆଡ୍ଡା ଓ ବେସାମରିକ ଲୋକଙ୍କୁ ଯେପରି ଟାର୍ଗେଟ କରାନଯାଏ।

ଏହା ପରେ ଯେତେବେଳେ ପାକିସ୍ତାନ ପାଲଟା ଆକ୍ରମଣ କରି ନାଗରିକ ଓ ସାମରିକ ଠିକଣାକୁ ଟାର୍ଗେଟ କଲା ଜବାବରେ ଭାରତ ତାର ଏୟାର ଡିଫେନ୍ସ ସିଷ୍ଟମ ଓ ରାଡାର ଧ୍ୱଂସ କରିଦେଇଥିଲା। ଏହା ପରେ ପାକିସ୍ତାନୀୟ ବାୟୁସେନା ଘାଟିକୁ ଟାର୍ଗେଟ୍ କରାଯାଇଥିଲା। ଏଣୁ ପାକିସ୍ତାନ ଆଣ୍ଠୁମାଡ଼ି ବସିବାକୁ ବାଧ୍ୟ ହୋଇଥିଲା। ଦୀର୍ଘ ୮୮ ଘଣ୍ଟା ପରେ ଯୁଦ୍ଧବିରାମ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ ଭାବେ କହିଥିଲେ ଯେ ପାକିସ୍ତାନର ସବୁ ଅଞ୍ଚଳ ବ୍ରହ୍ମୋସ ମିଜାଇଲ ରେଞ୍ଜରେ ଅଛି। ଏପର୍ଯ୍ୟନ୍ତ ପରମାଣୁ ଶକ୍ତି ବୋଲି ଧମକାଉଥିବା ପାକିସ୍ତାନର ଅପରେସନ ସିନ୍ଦୂର ଆଣ୍ଟ ଭାଙ୍ଗି ଦେଇଛି।