LIVE TV

ନିର୍ବାଚନ ଆୟୋଗଙ୍କ SIRରେ ହସ୍ତକ୍ଷେପ ସ୍ୱୀକାର ନୁହେଁ, ଅନୁପ୍ରବେଶ ଉପରେ ରାଜନୀତି ନକରନ୍ତୁ: ଅମିତ୍ ଶାହ

NEWS7
AMIT SHAH

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ଏସିଆଇଆର୍ ଓ ଅନୁପ୍ରବେଶ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହ କହିଛନ୍ତି, ଅନ୍ୟ ଦେଶରୁ ଆସିଥିବା ଲୋକଙ୍କ ସଂଖ୍ୟା ଉପରେ ଅଙ୍କୁଶ ନଲଗାଇଲେ ଦେଶ ଧର୍ମଶାଳା ହୋଇ ରହିଯିବ ।  

ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଶାହ କହିଛନ୍ତି, ଅନୁପ୍ରବେଶକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯିବା ଉଚିତ୍ ନୁହେଁ ।  ଅନୁପ୍ରବେଶକାରୀଙ୍କୁ ରାଜନୈତିକ ସୁରକ୍ଷା ନ ଦେବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି । ଭୋଟର ତାଲିକା ସଂଶୋଧନ ପାଇଁ ନିର୍ବାଚନ କମିଶନଙ୍କ ଏସଆଇଆର ଉପରେ ମଧ୍ୟ ବୟାନ ଦେଇଛନ୍ତି । ଅମିତ ଶାହ କହିଛନ୍ତି, ନିର୍ବାଚନ କମିଶନଙ୍କ ପ୍ରକ୍ରିୟାରେ ହସ୍ତକ୍ଷେପ କରାଯିବା ଗ୍ରହଣୀୟ ନୁହେଁ । ସେ କହିଛନ୍ତି, ଏସଆଇଆର୍ ହେଉଛି ନିର୍ବାଚନ କମିଶନଙ୍କ ସାମ୍ବିଧାନିକ ଦାୟିତ୍ୱ ।

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଅନୁପ୍ରବେଶ ସମସ୍ୟାର ସମାଧାନ ପାଇଁ ସରକାର ଡିଟେକ୍ଟ, ଡିଲିଟ ଏବଂ ଡିପୋର୍ଟ ପ୍ରକ୍ରିୟା ଅନୁସରଣ କରିବେ । ଏହାସହ ସେ ସ୍ପଷ୍ଟ କରିଛନ୍ତି ଯେ ଭୋଟର ଅଧିକାର କେବଳ ସେହିମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନେ ଏହି ଦେଶର ନାଗରିକ  ।

ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିଶନ ନିକଟରେ ବିହାରରେ SIR ପ୍ରକ୍ରିୟା ଶେଷ କରିଛନ୍ତି । ଏବେ କମିଶନ ସାରା ଦେଶରେ ଭୋଟର ତାଲିକାର ଏକ ଏସଆଇଆର୍ ପାଇଁ ପ୍ରସ୍ତୁତି କରୁଛନ୍ତି । କମିଶନ କହିଛନ୍ତି ଯେ ପଶ୍ଚିମବଙ୍ଗ ସମେତ ଅନ୍ୟାନ୍ୟ ରାଜ୍ୟରେ ଏସଆଇଆର୍ ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ସମାପ୍ତ ହେବ । ତଥାପି, ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅନ୍ୟ କିଛି ବିରୋଧୀ ରାଜନେତା ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି ।