ପାଣିପାଗ ବିଭାଗର ଚେତାବନୀ, ଆହୁରି ୨ ଡିଗ୍ରୀ ବଢିବ ପାରଦ

Published By : Prameya-News7 Bureau | April 29, 2024 IST

ଭୁବନେଶ୍ୱର ୨୯।୦୪ : ସକାଳ ହେଉ ହେଉ ମାଡ଼ି ଆସୁଛି ତାତି । ଗରମ ଏତେ ବଢ଼ିଯାଉଛି ଯେ, ମଧ୍ୟାହ୍ନର ଭ୍ରମ ସୃଷ୍ଟି କରୁଛି । ତାତି ପ୍ରକୋପରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ତାତି ଏମିତି ଭୟଙ୍କର ରୂପ ନେଉଛି ଯେ, ସକାଳ ୯ଟାରୁ ବାହାରକୁ ଯିବାକୁ ଡର ଲାଗୁଛି । 

ତାତିର ଏ ଯନ୍ତ୍ରଣା ଆଗକୁ ଆହୁରି ଉଗ୍ର ରୂପ ନେବାକୁ ଯାଉଛି । ଲୋକଙ୍କୁ ଅଣନିଶ୍ୱାସୀ କରିଦେବ ଭୀଷଣ ଗ୍ରୀଷ୍ମପ୍ରବାହ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ତାତି ଆହୁରି ୨ ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ ବିଭାଗ ଚେତାଇ ଦେଇଛି । ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ଅଧିକ ଅନୁଭୂତ ହେବ । ରବିବାର ମୟୂରଭଞ୍ଜ, କଟକ ଓ ଢେଙ୍କାନାଳରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ପ୍ରବାହିତ ହୋଇଛି । ଗ୍ରୀଷ୍ମପ୍ରବାହ ଦିନ ଆଗକୁ ଆହୁରି ଲମ୍ବିବ । ୨ ତାରିଖ ଯାଏ ପ୍ରଚଣ୍ଡରୁ ଅତି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେବ ।

ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼,  କଟକକୁ ସତର୍କ କରାଇଛି ପାଣିପାଗ ବିଭାଗ । ଏ ସବୁ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୩୦ରେ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲା ସମେତ ନୟାଗଡ଼, କଟକ, ଖୋର୍ଦ୍ଧା ଓ ଯାଜପୁର ପାଇଁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି ।

ଏହି ସମସ୍ତ ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ମାଡ଼ି ଆସିବ । ୧ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ,    ଢେଙ୍କାନାଳ, ବାଲେଶ୍ୱର ଓ ଯାଜପୁରରେ ଗ୍ରୀଷ୍ମପ୍ରବାହ ଭୀଷଣ ରୂପ ନେବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.