ତାତିରୁ ମିଳିବନି ତ୍ରାହି, ଆହୁରି ୧୪ ଦିନ କଲବଲ କରିବ ଖରା

Published By : Prameya-News7 Bureau | April 26, 2024 IST

ଭୁବନେଶ୍ୱର ୨୬।୦୪: ନିଆଁ ଲହରି ଭିତରେ ଜଳିବ ଓଡ଼ିଶା । ତତଲା କଡ଼େଇରେ ଛାଣି ହୋଇଯିବ ଜନଜୀବନ । ଆହୁରି ୧୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତିରୁ ତ୍ରାହି ଆଶା କ୍ଷୀଣ । ଲଗାତାର ୧୧ ଦିନ ହେବ ଜଳୁଛି ସାରା ଓଡ଼ିଶା । ଗ୍ରୀଷ୍ମ ଲହରୀ ଆହୁରି ଚରମ ରୂପ ନେବାକୁ ଯାଉଛି । ମେ’ ୯ ତାରିଖ ଯାଏଁ ହୁତ୍‌ ହୁତ୍‌ ହୋଇ ଜଳିବ ସାରା ରାଜ୍ୟ । ଗତ ୧୫ ତାରିଖରୁ ଜାରି ରହିଥିବା ଗ୍ରୀଷ୍ମ ଲହରୀ ସେତେବେଳକୁ ତାତିରୁ ସବୁ ଅଲୋଡ଼ା ରେକର୍ଡ ଭାଙ୍ଗି ୨୫ ଦିନରେ ପହଞ୍ଚିଯିବ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ମେ’ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଚରମ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ନିକଟ ଭବିଷ୍ୟତରେ ବର୍ଷା ସମ୍ଭାବନା ପ୍ରାୟତଃ ନାହିଁ । ଦୂର ଦୂର ଯାଏଁ ବାଦଲ ଭାସିବା ସମ୍ଭାବନା ବି ଦେଖାଯାଉନି । ମେ’ ପ୍ରଥମ ସପ୍ତାହ ଆରମ୍ଭରେ କାଁ ଭାଁ କାଳବୈଶାଖୀ ବର୍ଷା ହୋଇପାରେ । କିନ୍ତୁ, ବିସ୍ତୃତ ଅଞ୍ଚଳ ଶୁଖିଲା, ତତଲା ରହିବ । 

ଆସନ୍ତା ୫ ଦିନ ଭୟାନକ ଭୀଷର ଗ୍ରୀଷ୍ମ ପ୍ରବାହରେ ଭାଜି ହୋଇଯିବ ସାରା ଓଡ଼ିଶା । ଶୁକ୍ରବାର (୨୬ ତାରିଖ) ବଲାଙ୍ଗୀର ଓ ଝାରସୁଗୁଡ଼ା ୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ । ଟିଟିଲାଗଡ଼, ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ ସମେତ  ବାରିପଦା, ଯାଜପୁର, ଭଦ୍ରକ ବି ୪୪ ଡିଗ୍ରୀ ତାଉରେ ଛଟପଟ ହୋଇପାରେ । ଭୁବନେଶ୍ୱର, କଟକ ସମେତ ବହୁ ସହର ୪୩ ଡିଗ୍ରୀରେ କଲବଲ ହେବ । ୨୭ ଓ ୨୮ରେ ଭୁବନେଶ୍ୱର ତାପମାତ୍ରା ୪୪ ଛୁଇଁପାରେ । ୨୯ରେ ବଲାଙ୍ଗୀର ଓ ଝାରସୁଗୁଡ଼ା ୪୬ ଡିଗ୍ରୀ ଏବଂ ଉପକୂଳର ଭୁବନେଶ୍ୱର, ଯାଜପୁର, ଭଦ୍ରକ, ବାରିପଦା ବି ୪୫ ଡିଗ୍ରୀରେ ଭାଜି ହୋଇପାରେ । ଆସନ୍ତା ୩୦ ଓ ମେ’ ୧ ତାରିଖରେ ଆକାଶରୁ ଅଗ୍ନି ବିସ୍ଫୋରଣ ଭଳି ସ୍ଥିତି ଉପୁଜିପାରେ । ଭୁବନେଶ୍ୱର, କଟକ ସମେତ ଉପକୂଳର ଅଧିକାଂଶ ଅଞ୍ଚଳ ୪୫ ଡିଗ୍ରୀରେ ଓ ପଶ୍ଚିମ ଓଡ଼ିଶା ୪୫-୪୬ ଡିଗ୍ରୀରେ ଜଳୁଥିବ । 

ଶୁକ୍ରବାର ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଲାଗି ରେଡ୍‌ ୱାର୍ଣ୍ଣିଂ ଓ ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଦେବଗଡ଼, ବୌଦ୍ଧ, ସୋନପୁର, ମାଲକାନଗିରି, କନ୍ଧମାଳ, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୫ ଦିନ ଯାଏଁ ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ । 

ଏହା ପରେ ବି ତାତିରୁ ନିସ୍ତାର ଆଶା କମ୍‌ । ଆସନ୍ତା ଦୁଇ ସପ୍ତାହ ପାଣିପାଗର ଚରମ ରୂପ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଦେଖାଇଛି । ଏଥିରେ ଦର୍ଶାଯାଇଛି, ୨୬ରୁ ମେ’ ୨ ଯାଏଁ ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ଅଧିକ ରହିବ । ମେ’ ୩ରୁ ୯ ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । କାଁ ଭାଁ (ଗୋଟିଏ ଦୁଇଟି ଜାଗାରେ) କାଳବୈଶାଖୀ ବର୍ଷା ହୋଇପାରେ । ହେଲେ କିଛି ଜାଗାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଉପକୂଳର ଅଳ୍ପ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିପାରେ । ଅଧିକାଂଶ ସ୍ଥାନରେ ତାତି ସ୍ୱାଭାବିକଠାରୁ ଅଧିକ ରହିବ । 

ପୂର୍ବାନୁମାନ ଚିତ୍ରରେ ୨୬ରୁ ମେ’ ୨ ଯାଏଁ ସାରା ଓଡ଼ିଶା ସମ୍ପୂର୍ଣ୍ଣ ଲାଲ୍‌ ରଙ୍ଗରେ ଦର୍ଶାଯାଇଛି । କିଛି ଅଞ୍ଚଳ ଅଧିକ ଗାଢ଼ ରଙ୍ଗ ରହିଛି । ଅର୍ଥାତ୍‌ ସବୁଠି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଗାଢ଼ ରଙ୍ଗ ଥିବା ଅଞ୍ଚଳରେ ୪୪ ଛୁଇଁପାରେ । ମେ’ ୩ରୁ ୯ ଯାଏଁ ସାରା ଓଡ଼ିଶା ଲାଲ୍‌ ଓ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଅଧିକ ଗାଢ଼ ରଙ୍ଗରେ ଦର୍ଶାଯାଇଛି । ଅର୍ଥାତ୍‌ ସେହି ଅଞ୍ଚଳ ୪୪ ଡିଗ୍ରୀରେ ଜଳୁଥିବ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡ.ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ଉତ୍ତର-ପଶ୍ଚିମରୁ ତତଲା ପବନ ଆସୁଛି । ଏଥିଯୋଗୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଆସନ୍ତା ସପ୍ତାହେ କିମ୍ବା ୧୦ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ । ମେ’ ୧ ତାରିଖବେଳକୁ  ଉପକୂଳ ଓ ନିକଟବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ଯଦି ଏମିତି ହୁଏ, ତେବେ ଉପକୂଳରେ ତାପମାତ୍ରା ସାମୟିକ ଭାବେ କମିପାରେ । ମାତ୍ର ୪ ତାରିଖବେଳକୁ ପୁଣି ବଢ଼ିବା ସମ୍ଭାବନା ଅଛି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.