ଶବାନା ଆଜମୀଙ୍କୁ ସିଟି ଅଫ୍ ଲଣ୍ଡନ ଆୱାର୍ଡରେ କରାଯିବ ସମ୍ମାନିତ

Published By : Prameya-News7 Bureau | May 06, 2024 IST

ନୂଆଦିଲ୍ଲୀ ୦୬।୦୫: ନିଜର ବଳିଷ୍ଠ ଅଭିନୟ ଲାଗି ସୁପରିଚିତ ଭେଟେରାନ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀ ପାଇବେ ସମ୍ମାନଜନକ ‘ଫ୍ରିଡମ୍‌ ଅଫ୍‌ ଦ ସିଟି ଅଫ୍‌ ଲଣ୍ଡନ’ ପୁରସ୍କାର । ଭାରତୀୟ ସିନେମା ଜଗତକୁ ଉଲ୍ଲେଖନୀୟ ଅବଦାନ ଏବଂ ମହିଳାଙ୍କ ଅଧିକାର ଲାଗି ଜଣେ ପ୍ରଚାରକ ଭାବେ କାମ କରିଥିବା ଯୋଗୁ ସିଟି ଅଫ୍‌ ଲଣ୍ଡନ୍‌ କର୍ପୋରେସନ୍‌ ଦ୍ୱାରା ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ଇଣ୍ଡଷ୍ଟ୍ରିରେ ଶବାନାଙ୍କର ୫୦ ବର୍ଷ ପୂର୍ତ୍ତି ହେଉଥିବା ଅବସରରେ ଚଳିତବର୍ଷର ୟୁକେ ଏସିଆନ୍‌ ଫିଲ୍ମ ମହୋତ୍ସବରେ ତାଙ୍କୁ ଏହା ପ୍ରଦାନ କରାଯିବ । 

ଆସନ୍ତା ୧୦ ତାରିଖରେ ଲଣ୍ଡନର ଗିଲ୍ଡହଲ୍‌ଡରେ ସେହି ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ପୁରସ୍କାର ପାଇବା ଲାଗି ଲଣ୍ଡନ ଅଭିମୁଖେ ଯାତ୍ରା କରିବା ସମୟରେ ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଶବାନା କହିଛନ୍ତି, ଏହା ନିଶ୍ଚିତ ଭାବେ ଏକ ଗୌରବର କଥା । ମୋତେ ମିଳିଥିବା ରାଷ୍ଟ୍ରୀୟ ପୁରସ୍କାର ଭଳି ଏହା ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ଆଗକୁ ମଧ୍ୟ ମୁଁ ସିନେମାର କାହାଣୀ ମାଧ୍ୟମରେ ସାମାଜିକ ପ୍ରସଙ୍ଗ ସଂପର୍କରେ ନିଜର ସ୍ୱର ଉଠାଇବାକୁ ଚାହିଁବି । ସାର୍ବଜନୀନ ଜୀବନରେ ଉତ୍କୃଷ୍ଟ ଯୋଗଦାନ ଲାଗି ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ‘ଫ୍ରିଡମ୍‌ ଅଫ୍‌ ଦ ସିଟି ଅଫ୍‌ ଲଣ୍ଡନ’ ପୁରସ୍କାର ପ୍ରଦାନ କରାଯାଇଥାଏ । 

ସୂଚନାଥାଉକି, ଶବାନା ଆଜ୍‌ମୀ ଉଭୟ କଳାତ୍ମକ ଓ ବ୍ୟାବସାୟିକ ସିନେମାରେ ତାଙ୍କର ଉତ୍କର୍ଷତା ପ୍ରକାଶ କରିଛନ୍ତି । ଶେଷଥର ଲାଗି ତାଙ୍କୁ କରନ୍‌ ଜୋହରଙ୍କ ଫିଲ୍ମ ‘ରକି ଔର ରାନି କୀ ପ୍ରେମ୍‌ କହାନି’ରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ଧର୍ମେନ୍ଦ୍ରଙ୍କ ସହିତ ତାଙ୍କର ରୋମାନ୍ସ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଆଗକୁ ତାଙ୍କୁ ‘ବନ୍‌ ଟିକ୍କି’ରେ ଦେଖିବାକୁ ମିଳିବ । ସେହି ଫିଲ୍ମରେ ତାଙ୍କ ସହିତ ଅଭିନେତ୍ରୀ ଜିନତ୍‌ ଅମାନ୍‌ ଓ ଅଭୟ ଦେଓଲଙ୍କ ଭଳି କଳାକାର ନଜର ଆସିବେ । କବି କୈଫି ଆଜ୍‌ମୀଙ୍କ ଝିଅ ଶବାନା ଜାଭେଦ୍‌ ଅଖତାରଙ୍କୁ ବିବାହ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.