ନୂଆଦିଲ୍ଲୀ ୨୭।୧୦: ବିଶ୍ୱର ସବୁ ଧନବାନ ଲୋକଙ୍କ ଏକ ବଡ଼ ଭାଗ କିଛି ବଛାବଛା ସହରରେ ରହନ୍ତି। ଏହି ଦୌଡରେ ଆମେରିକା ପୁଣି ଥରେ ସମସ୍ତଙ୍କୁ ପଛରେ ପକାଇ ଦେଇଛି।  ଆମେରିକାର ନ୍ୟୁୟର୍କ ସହର ବିଶ୍ୱର ଧନୀ ଲୋକଙ୍କ ସହର ସୂଚୀର ୧ ନମ୍ବର ସ୍ଥାନ ପାଇଛି।ଅଲ୍ଟ୍ରାଟାର ୱାର୍ଲଡ ଅଲଟ୍ରା ୱେଲଥ୍ ରିପୋର୍ଟରୁ ଏହି ସୂଚନା ମିଳିଛି। ଏଥିରେ ବିଶ୍ୱରେ ଧନୀକଙ୍କ ସଂଖ୍ୟା ବଢୁଥିବାର କୁହାଯାଇଛି। ଏଥିରୁ ୨୧,୩୮୦ ଜଣ ଅତି ଧନୀ ଲୋକେ ନ୍ୟୁୟର୍କ ସହରରେ ବସବାସ କରୁଥିବା କୁହାଯାଇଛି।

ଜୁନ ୨୦୨୫ ସୁଦ୍ଧା ୩କୋଟି ୟୁଏସ୍ ଡଲାରରୁ ଅଧିକ ସମ୍ପତ୍ତି ଅର୍ଥାତ ୨୫୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକଙ୍କ ସଂଖ୍ୟା ବଢି ୫,୧୦,୮୧୦ ହୋଇଯାଇଛି। ଏହି ସୁପର ଧନୀକଙ୍କ ମୋଟ ସମ୍ପତ୍ତିରେ ୬.୭% ଅଭିବୃଦ୍ଧି ହୋଇଛି। ଯାହା ଏବେ ୫୯.୮ଟ୍ରିଲିୟନ ଆମେରିକୀୟ ଡଲାର ହୋଇଯାଇଛି। ଅର୍ଥାତ ଆମେରିକାର ବାର୍ଷିକ ଜିଡିପିର ୨ ଗୁଣାରୁ ଅଧିକ। ଏହି ଧନିକମାନଙ୍କୁ ହାଇ ନେଟ ୱର୍ଥ (ଏଚଏନଡବ୍ଲୁ) କ୍ୟାଟଗରୀରେ ରଖା ଯାଇଛି। ଏହି ଏଚଏନଡବ୍ଲୁଙ୍କ ଏକ ବଡ଼ ସଂଖ୍ୟା ନ୍ୟୁୟର୍କ ସହରରେ ରହୁଛନ୍ତି।

ନ୍ୟୁୟର୍କ ପଛକୁ ହଂକଂ ସହର ଥିବା ବେଳେ ତା ପଛକୁ ଆମେରିକାର ଲସଏଞ୍ଜେଲସ୍, ସାନଫ୍ରାନସିସ୍କୋ, ଚିକାଗୋ ଆଦି ସହର ଅଛନ୍ତି। ଜାପାନ ରାଜଧାନୀ ଟୋକିଓର ନମ୍ବର ୬ରେ ରହିଛି। ଯଦିଓ ଜାପାନ ରାଜଧାନୀରେ ଧନୀକଙ୍କ ସଂଖ୍ୟା କମିଛି ତଥାପି ଟୋକିଓ ସହର ଏବେବି ସୁପର ରିଚ୍ ଙ୍କଲାଗି ଏକ ଠିକଣା ହୋଇ ରହିଛି। ଏହା ପଛକୁ ଲଣ୍ଡନ ସପ୍ତାମ ସ୍ଥାନରେ ଥିବା ବେଳେ ଅଷ୍ଟମ ସ୍ଥାନରେ ଡଲାସ ଓ ନବମ ସ୍ଥାନରେ ୱାସିଂଟନ ଡିସି ଅଛି। ଏହି ସୂଚୀର ଏକାଦଶତମ ସ୍ଥାନରେ ଭାରତ ଥିବା ବେଳେ ଏଠାରେ ୧୧,୮୬୫ ଅଲ୍ଟ୍ରା ରିଚ୍ ଲୋକେ ବସବାସ କରୁଛନ୍ତି।

ଯଦିଓ ଭାରତରେ ଧନୀକଙ୍କ ସଂଖ୍ୟା ବଢିବାରେ ଲାଗିଛି ହେଲେ ବିଶ୍ୱର ଟପ ୫ କି ୬ ନମ୍ବର ସହର ସୂଚୀରେ କୌଣସି ଭାରତୀୟ ସହର ନାହାନ୍ତି। ତେବେ ରିପୋର୍ଟରୁ ଏହା ସ୍ପଷ୍ଟ ଦେଖା ଯାଉଛି ଆଗାମୀ ସମୟରେ ଭାରତର ବଡ଼ ସହର ଖୁବ୍ ଶୀଘ୍ର ଧନୀକଙ୍କ ଦୌଡରେ ଉପରକୁ ଆସିବେ। ଖାସ କରି ୪ ଭାରତୀୟ ସହର ଏହି ଗ୍ରୋଥରେ ସବୁଠୁ ଆଗରେ ଅଛନ୍ତି। ଏହି ତାଲିକାରେ ବେଙ୍ଗାଲୁରୁ ସବୁଠୁ ଦ୍ରୁତ ଅଭିବୃଦ୍ଧି କରୁଛି। ୨୦୨୫ ରେ ଏହି ସହରରେ ୫୯୦ ଜଣ ଅତି ଧନୀବ୍ୟକ୍ତି ରହୁଥିବା ଜଣାପଡିଛି, ଯାହା ୨୦୩୦ ବେଳକୁ ବଢି ୧,୦୭୬ ହେବାର ଅନୁମାନ କରାଯାଉଛି।

ବେଙ୍ଗାଲୁରୁ ପଛକୁ ହାଇଦ୍ରାବାଦ ଆସୁଥିବା ବେଳେ ଏହି ସହରରେ ୪୪୯ ଜଣ ଅତି ଧନବାନ ଲୋକ ରହୁଛନ୍ତି। ୨୦୩୦ ବେଳକୁ ଏହି ସଂଖ୍ୟା ୮୧୭ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆକଳନ କରାଯାଉଛି। ସେହିପରି ମୁମ୍ବାଇ ୨୦୨୫ରେ ୭୬୯ ଅତି ଧନବାନ ଲୋକଙ୍କ ଘର ହୋଇଥିବା ବେଳେ ୨୦୨୦ ବେଳକୁ ଏହା ବଢି ୧,୨୮୮ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ସେହିପରି ଦିଲ୍ଲୀରେ ୧,୦୪୭ ଜଣ ଅତିଧନବାନ ଲୋକେ ରହୁଥିବା ଜଣାପଡିଛି ଓ ୨୦୩୦ ବେଳକୁ ଏହା ବଢି ୧,୮୦୬ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।