ଭୁବନେଶ୍ୱର ୦୮/୦୮: ଓଡ଼ିଶା ଯାତ୍ରା ଜଗତ ଜଲିଉଡରେ ନିଇତି ଚାଲିଛି ନୂଆ ପାଲା । କିଏ ଦଳ ଛାଡୁଛି ତ ଆଉ କିଏ ବିରତି ନେଉଛି । ଲାଗି ରହିଛି ପାର୍ଟି ଅଦଳ ବଦଳ । କିଏ କିଏ ନୂଆ ଦଳ ବି ଗଢିବାରେ ବ୍ୟସ୍ତ । ତା ସାଙ୍ଗକୁ ଟଙ୍କା ନେଣଦେଣ ମାମଲା ନୂଆ ନୂଆ ବିବାଦ ସୃଷ୍ଟି କରୁଛି । ଏହାରି ଭିତରେ ଯାତ୍ରା ଜଗତରେ ଏଣ୍ଟ୍ରି ମାରିଛି ନୂଆ ଯାତ୍ରାନୁଷ୍ଠାନ ଅପେରା ଶ୍ରୀମନ୍ଦିର ।
ପୁରୀ ବାଲିଗୁଆଳିରୁ ତାର ଅଭିଯାନ ଆରମ୍ଭ କରିଛି ଏଇ ନୂଆ କରି ଜନ୍ମ ନେଇଥିବା ଯାତ୍ରାପାର୍ଟି । ଉଦଘାଟନୀ ଉତ୍ସବରେ ସାମିଲ ହୋଇଥିଲେ ଅନେକ ରଖି ମହାରଥୀ । ଶ୍ରୀମନ୍ଦିରର ବିଶ୍ବାବସୁ ବିନାୟକ ଦାସ ମହାପାତ୍ର, ପ୍ରସିଦ୍ଧ ମାହାରୀ ନୃତ୍ୟଶିଳ୍ପୀ ରୂପଶ୍ରୀ ପଟ୍ଟନାୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।
ଉଦଘାଟନୀ ଉତ୍ସବରେ ଓଡ଼ିଶା ଯାତ୍ରା ଜଗତର ଗୁରୁଙ୍କୁ ସମ୍ମାନିତ କରି ଯାତ୍ରାରେ ଥିବା ପୂଜ୍ୟପୂଜା ସଂସ୍କୃତିର ପ୍ରମାଣ ଦେଇଛି ଅପେରା ଶ୍ରୀମନ୍ଦିର । ପ୍ରଥମ ଦିନରେ ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର ନିର୍ଦ୍ଦେଶକ ହର ବାରିକଙ୍କ ନାଟକ କହଇ ଦାସ ଜଗନ୍ନାଥରୁ ଅଭିଯାନ ଆରମ୍ଭ କରିଛି ଅପେରା ଶ୍ରୀମନ୍ଦିର ।
ଯେଉଁଥିରେ ଅଭିନୟ କରିଛନ୍ତି କାହ୍ନା-ଟିକି, ମନ୍ଦାକିନୀ, ଅଜୁ-ଆପୁ, ଅକ୍ଷୟ ପାତ୍ରଙ୍କ ପରି ନାମୀଦାମୀ କଳାକାର । ତେବେ ଏଭଳି ଉଚ୍ଚକୋଟିର କଳାକାରଙ୍କୁ ନେଇ ଅନୁଷ୍ଠାନ ଭଲ ବିଜନେସ କରିବାର ଲକ୍ଷ୍ୟ ରଖିଛି । ଏଥିସହ ନାଟକ ମାଧ୍ୟମରେ ଜଗନ୍ନାଥ ଚେତନାର ପ୍ରଚାର ପ୍ରସାର ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଏଇ ଅନୁଷ୍ଠାନର ପ୍ରଯୋଜକ ପ୍ରମୋଦ ସ୍ବାଇଁ ।