LIVE TV

ବାଂଲାଦେଶ ମଡେଲରେ ହୋଇଛି ନେପାଳରେ ଶାସନ ପରିବର୍ତ୍ତନ, ଆମେରିକା କରିଛି ଫଣ୍ଡିଂ!

NEWS7
gfx

ୱାସିଂଟନ/କାଠମାଂଡୁ୨୯।୯: ବାଂଲାଦେଶ ମଡେଲରେ  ନେପାଳରେ ଶାସନ ପରିବର୍ତ୍ତନ ହୋଇଛି। ଏଥି ପାଇଁ ଆମେରିକା ପାଣ୍ଠି ସମେତ ଯୁବକମାନଙ୍କୁ ଟ୍ରେନିଂ ମଧ୍ୟ ଦେଇଥିଲା। ତଥ୍ୟ ଓ ପ୍ରମାଣ ସହିତ ‘ନର୍ଥ ଇଷ୍ଟ ନ୍ୟୁଜ୍’ ଏହି ରିପୋର୍ଟ  ପ୍ରକାଶ କରିଛି। ରିପୋର୍ଟ ଅନୁସାରେ ଆମେରିକା ଅନ୍ତର୍ଜାତୀୟ ରିପବ୍ଲିକାନ ସଂସ୍ଥାନ (ଆଇଆରଆଇ) ବାଂଲାଦେଶରେ ଶାସନ ପରିବର୍ତ୍ତନ ପାଇଁ ଗୋପନରେ ପାଣ୍ଠି ପଠାଉଥିଲା । ରିପୋର୍ଟରେ ଦାବି କରାଯାଇଛି ଯେ ଆଇଆରଆଇ ନେପାଳରେ ହିଂସା ଉସକାଇବାକୁ ବାଂଲାଦେଶୀ ମଡେଲକୁ ବ୍ୟବହାର କରିଛି।

ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶରେ ଶେଖ ହସିନାଙ୍କ ସରକାର ଭାଙ୍ଗିବାରେ ଆମେରିକାର ଇଣ୍ଟରନ୍ୟାସନାଲ ରିପବ୍ଲିକାନ ଇନିଷ୍ଟିଚ୍ୟୁଟ (ଆଇଆରଆଇ) ଓ ନ୍ୟାସନାଲ ଏଣ୍ଡୋମେଣ୍ଟ ଫର ଡେମୋକ୍ରାସୀ (ଏନଇଡି) ଭୂମିକା ଉପରେ ପ୍ରଥମରୁ ହିଁ ପ୍ରଶ୍ନ ଉଠୁଛି। ଏବେ ତାଜା ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ ଏହି ଆମେରିକୀୟ ସଙ୍ଗଠନମାନେ ନେପାଳରେ ଯୁବକମାନଙ୍କୁ ଟ୍ରେନିଂ ଓ ଫଣ୍ଡିଂ ଦେଇ ଆନ୍ଦୋଳନର ଭୂମି ପ୍ରସ୍ତୁତ କରିଥିଲେ। ଏହି ସମୟରେ ସରକାରଙ୍କ ବିରୋଧରେ ଯୁବବର୍ଗଙ୍କୁ ସଙ୍ଗଠିତ କରାଯାଇଥିଲା, ରାଜନୈତିକ ସଚେତନତା ନାମରେ ହିଂସାତ୍ମକ ଆନ୍ଦୋଳନ ନିମନ୍ତେ ଉକସା ଯାଇଥିଲା।

ନର୍ଥଇଷ୍ଟ ନ୍ୟୁଜ୍ ଡକ୍ୟୁମେଣ୍ଟ ଆଧାରରେ ଦାବି କରିଛି ଯେ ଆମେରିକା ନ୍ୟାସନାଲ ଏଣ୍ଡୋମେଣ୍ଟ ଫର ଡେମୋକ୍ରାସୀ କାର୍ଯ୍ୟକ୍ରମରେ ବାଂଲାଦେଶ ଭଳି ନେପାଳକୁ ମଧ୍ୟ ପାଣ୍ଠି ପଠାଉଥିଲା। ଆଇଆରଆଇ ୧ ଜୁଲାଇ ୨୦୨୧ରୁ ୩୦ ଜୁନ ୨୦୨୨ ମଧ୍ୟରେ ‘ଯୁବ ନେତୃତ୍ୱ: ପାରଦର୍ଶୀ ନୀତି କାର୍ଯ୍ୟକ୍ରମ’କୁ ଫଣ୍ଡିଂ କରିବାକୁ ୩,୫୦,୦୦୦ ଡଲାର ପାଖାପାଖି ୩କୋଟି ଟଙ୍କା ନେପାଳ ପଠାଇଥିଲା। ଏଥିରେ ଆମେରିକା ଓ ନେପାଳ ମଧ୍ୟରେ ‘କନସଲ୍ଟାଣ୍ଟ ସର୍ଭିସେସ୍, ଟ୍ରେନିଂ, ୟୁଥ ୱାର୍କସପ ଓ ରିସର୍ଚ୍ଚ ପ୍ରେଜେକ୍ଟ’ ସାମିଲ ଥିଲା। ଏଥି ପାଇଁ ଆଇଆରଆଇ ୱାସିଂଟନ ଅଫିସ ବେତନ ଓ ବେନିଫିଟସ୍ ବାବଦେ ୭୫,୦୦୦ ଡଲାର ବ୍ୟୟ କରିଥିବା ବେଳେ ନେପାଳରେ ଫିଲ୍ଡ ଷ୍ଟାଫ, ଟ୍ରେନର୍ସ ଓ ରିସର୍ଚ୍ଚ ଫାର୍ମଙ୍କୁ ୧.୨ଲକ୍ଷ ଡଲାର ଦେଇଛି।

ଫେବୃଆରୀ ୨୦୨୨ରେ ସଲ୍ୟୁସନ କନସଲ୍ଟାଣ୍ଟ ନାମକ କାଠମାଂଡୁସ୍ଥିତ ରିସର୍ଚ୍ଚ କମ୍ପାନୀ ସହ ଏକ ରାଜିନାମା ହୋଇଥିଲା, ଏଥିରେ ଯୁବକମାନଙ୍କ ରାଜନୈତିକ ଭାଗିଦାରୀ ରାସ୍ତାରେ ଆସୁଥିବା ବାଧାକୁ ନେଇ ପୁରା ନେପାଳରେ ସର୍ଭେ କରାଯାଇଥିଲା। ସେହି ଅନୁସାରେ ଦେଶରେ ବିକ୍ଷୋଭ ଆରମ୍ଭ ହେବା ପୂର୍ବରୁ ପ୍ରଦର୍ଶନ ଭଳି ପୃଷ୍ଠଭୂମି ପ୍ରସ୍ତୁତ କରାଯାଇଥିଲା। ଏଥି ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଓ ସବୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଗଣତନ୍ତ୍ରକୁ ମଜଭୁତ କରିବା ପାଇଁ ବୋଲି କୁହାଯାଇଥିଲା। ଏହି ସମୟରେ ନେପାଳରେ ‘ୱି ଫର ଚେଞ୍ଜ’, ‘ସେଣ୍ଟର ଫର ସୋସିଆଲ ଚେଞ୍ଜ’ ଓ ‘ଦଲିତ ୟୁଥ ଆଲାଏନ୍ସ’ ଭଳି ସିଭିଲ ସୋସାଇଟି ସଙ୍ଗଠନଙ୍କ ସହ ମିଶି ଆଇଆରଆଇ ଯୁବ କାର୍ଯ୍ୟକ୍ରମ ସବୁ ଆୟୋଜନ କରିଥିଲା।

ନର୍ଥଇଷ୍ଟ ନ୍ୟୁଜ୍ ଦାବି କରିଛି ଯେ ନେପାଳରେ ଶାସନ ପରିବର୍ତ୍ତନ ପାଇଁ ଆମେରିକାରୁ ପଠା ଯାଇଥିବା ପାଣ୍ଠିର ସବୁ କାଗଜପତ୍ର ଅଛି। ଏହି ସବୁ କାର୍ଯ୍ୟକ୍ରମରେ ଯୁବକମାନଙ୍କୁ ଲିଡରସିପ୍ କ୍ୱାଲିଟି ଓ ଡିଜିଟାଲ ଆକ୍ଟିଭିଟି ଟ୍ରେନିଂ ଦିଆଯାଉଥିଲା। ଏଥିର ଖାସ କରି ସୋସିଆଲ ମିଡିଆ ଉପରେ ଗୁରୁତ୍ୱ ଦିଆଯାଉଥିଲା। ଆଇଆରଆଇର ଯୋଜନା ଥିଲା ନିର୍ବାଚନ ପୂର୍ବରୁ ଏକ ମଜଭୁତ ଯୁବ ନେଟୱାର୍କ ତିଆରି କରିବା ଯିଏ ସରକାରଙ୍କ ଉପରେ ଆକାଉଣ୍ଟିବିଲିଟି ଓ ପାରଦର୍ଶିତା ନାମରେ ଚାପ ବନାଇ ପାରିବ।

ବାଂଲାଦେଶରେ ମଧ୍ୟ ଏନଆଇଡି ଓ ଆଇଆରଆଇ ୟୁନିଭର୍ସିଟି ଏବଂ କଲେଜ ଛାତ୍ରଛାତ୍ରୀଙ୍କୁ ଗଣତନ୍ତ୍ର ଟ୍ରେନିଂ ଦେଉଥିଲେ। ଯାହାର ପ୍ରଭାବ ଅଗଷ୍ଟ ୨୦୨୪ରେ ଦେଖାଯାଇଥିଲା। ଛାତ୍ର ଓ ଯୁବକଙ୍କ ହିଂସାତ୍ମକ ପ୍ରଦର୍ଶନ ପରେ ଦେଶରେ ସରକାରଙ୍କ ପତନ ହୋଇଯାଇଥିଲା ଓ ନେପାଳରେ ମଧ୍ୟ ଏହା କରାଯାଇଛି। ୟୁନିଭର୍ସିଟି ଓ କଲେଜ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଗଲା, ସେମାନଙ୍କୁ ଗଣତାନ୍ତ୍ରିକ କାର୍ଯ୍ୟକ୍ରମ ସହ ସଂଯୁକ୍ତ କରାଗଲା ଓ ସେମାନଙ୍କ ରାଜନୈତି ଅସନ୍ତୋଷ, ସରକାରଙ୍କ ବିଫଳତାକୁ ଅସ୍ତ୍ର କରି ସେମାନଙ୍କୁ ଆନ୍ଦୋଳନରେ ଛିଡା କରାଯାଇଥିଲା।