କାଠମାଂଡୁ ୧୧।୧୦: ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କୁ ଶନିବାର ସ୍ୱାସ୍ଥ୍ୟ ସମ୍ପର୍କିତ ଜଟିଳତା କାରଣରୁ ମନମୋହନ କାର୍ଡିୟୋଥୋରେସିକ୍ ଭାସ୍କୁଲାର ଆଣ୍ଡ ଟ୍ରାନ୍ସପ୍ଲାଣ୍ଟ ସେଣ୍ଟରରେ ଆଡମିସନ କରାଯାଇଛି। ତେବେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ତଥା ତାଙ୍କୁ ଲଗାତାର ଡାକ୍ତରଙ୍କ ନଜରରେ ରଖି ଚିକିତ୍ସା କରାଯାଉଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏ ନେଇ ହସ୍ପିଟାଲ ପକ୍ଷରୁ ଏକ ବୟାନ ଜାରି କରାଯାଇଥିବା ବେଳେ ‘ମାନନୀୟ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ପରେ ଏହି କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଏବେ ସ୍ୱଭାବିକ ଅଛି ଓ ଚିକିତ୍ସକୀୟ ପରୀକ୍ଷଣ ଜାରି ରହିଛି’ ବୋଲି କୁହାଯାଇଛି।

ରାଷ୍ଟ୍ରପତିଙ୍କ ସଚିବାଳୟ ଅନୁସାରେ ପୌଡେଲ ସକାଳ ପାଖାପାଖି ସାଢେ ୧୧ଟା ବେଳେ ଅଚାନକ ଅସୁସ୍ଥ ହୋଇ ପଡିଥିଲେ। ଭୀଷଣ ମୁଣ୍ଡ ବ୍ୟଥା ସାଙ୍ଗକୁ ସେ ବାରମ୍ବାର ବାନ୍ତି କରୁଥିଲେ। ଏଣୁ ତାଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଅସୁସ୍ଥ ହେବା ବେଳେ ରାଷ୍ଟ୍ରପତି ତାଙ୍କ ବ୍ୟକ୍ତିଗତ  ଆବାସ ଶୀତଲ ନିବାସରେ ବୈଠକ କରୁଥିଲେ।ଏହି ବୈଠକରେ ଜେନେରେସନ ଜେଡ୍ ପ୍ରତିନିଧି ମଣ୍ଡଳଙ୍କ ସହ ଆଲୋଚନା ହେବାର ଥିଲା। ତେବେ ରାଷ୍ଟ୍ରପତି ଅସୁସ୍ଥ ହୋଇପଡିବାରୁ ବୈଠକକୁ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।  

ରାଷ୍ଟ୍ରପତି ପୌଡେଲ ହସ୍ପିଟାଲରେ ଭର୍ତ୍ତି ହେବାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ରାଜନୈତିକ ଦଳଙ୍କ ପ୍ରତିନିଧିଙ୍କୁ ଭେଟି ମାର୍ଚ୍ଚ ୨୦୨୬ରେ ନିର୍ବାଚନ ପ୍ରସ୍ତୁତି ପାଇଁ ଆହ୍ୱାନ କରିଥିଲେ। ହସ୍ପିଟାଲରେ ଡାକ୍ତର ରତ୍ନମଣୀ ଗଜୁରେଲ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ୱଭାବିକ ଅଛି। ତେବେ ଚିକିତ୍ସକୀୟ ପରୀକ୍ଷଣ କରାଯାଉଛି। ଏଣୁ ତାଙ୍କୁ ନିୟମିତ ଚିକିତ୍ସକୀୟ ନଜରରେ ରଖା ଯାଇଛି। ଏଥି ମଧ୍ୟରେ ରାଷ୍ଟ୍ରପତି ପୌଡେଲ ଗତ ସେପ୍ଟେମ୍ବର ୨୨ ତାରିଖରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଲା କାର୍କିଙ୍କ ନେତୃତ୍ୱାଧୀନ ସରକାରରେ ୪ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଥିଲେ। ଏହି ଶପଥଗ୍ରହଣ ପରେ କାର୍କିଙ୍କ ମନ୍ତ୍ରୀମଣ୍ଡଳରେ ମୋଟ ୮ ଜଣ ମନ୍ତ୍ରୀ ହୋଇଛନ୍ତି। ସୁଶୀଲା କାର୍କି ମନ୍ତ୍ରୀମାନଙ୍କ ବିଭାଗ ବଦଳାଇ ସେମାନଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି।